ଖାଓଗଳିରେ ମେୟରଙ୍କ ଚଢ଼ଉ: ଭଡ଼ାରେ ଲାଗିଛି ଲାଇସେନ୍ସ

୩୦ ଲାଇସେନ୍ସ, ୫୦ ଦୋକାନ, ସବୁ ଦୋକାନ ସିଲ୍‌

ଭୁବନେଶ୍ବର : ରାଜଧାନୀର ପ୍ରସିଦ୍ଧ ଫାଷ୍ଟଫୁଡ୍‌ ହବ୍‌ ଖାଓ ଗଳିରେ ଚାଲିଥିଲା ବେଆଇନ ଧନ୍ଦା। ଭଡ଼ା‌ରେ ଲାଗିଥିଲା ବିଏମ୍‌ସି ଲାଇସେନ୍ସ। ବିଏମ୍‌ସିଠାରୁ ଲାଇସେନ୍‌ସ ନେଇଥିବା ହିତାଧିକାରୀମାନେ ଲାଇସେନ୍ସକୁ ଭଡ଼ାରେ ଲଗାଇ ବେଶ୍ ଉପାର୍ଜନ କରୁଥିଲେ। ଆଜି ଖୋଦ୍‌ ମେୟର ସୁ‌ଲୋଚନା ଦାସ ଚଢ଼ଉ କରି ଏହି ବେଆଇନ କାରବାରର ପର୍ଦ୍ଦାଫାସ୍‌ କରିଛନ୍ତି। ଏଥିସହିତ ସେ ପୂରା ଖାଓଗଳିକୁ ସିଲ୍‌ କରିଛନ୍ତି। ମେୟର ଶ୍ରୀମତୀ ଦାସଙ୍କ ଏହି ପଦକ୍ଷେପ ଆଜି ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁସାରେ ସ୍ଥାନୀୟ ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଅନୁରୋଧ କ୍ରମେ ମେୟର ଶ୍ରୀମତୀ ଦାସ ଆଜି ରାମ ମନ୍ଦିର ଖାଓଗଳିରେ ଚଢ଼ଉ କରିଥିଲେ। ବହୁ ଦୋକାନ କଡ଼ରେ ମଦ ବୋତଲ ଗଡ଼ୁଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥି‌ଲେ ଓ ବ୍ୟବସାୟୀମାନଙ୍କୁ କଡ଼ା ତାଗିଦ୍ କରିଥିଲେ। ସେହିଭଳି ବଡ଼ ଅସ୍ବାସ୍ଥ୍ୟକର ପରିବେଶରେ ବ୍ୟବସାୟୀମାନେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖି ସେ ବେପାରୀମାନଙ୍କୁ ସତର୍କ କରାଇଥିଲେ। ତେବେ ଅସଲ ବେଆଇନ କାମ ଧରାପଡ଼ିଥିଲା ଲାଇସେନ୍ସ ଯାଞ୍ଚ କଲାବେଳେ। ସେହି ଗଳିରେ ବିଏମ୍‌ସି ୩୦ ଜଣଙ୍କୁ ଲାଇସେନ୍ସ ଦେଇଥିବା ବେଳେ ୫୦ ଦୋକାନ ଚାଲିଥିଲା। ତେଣୁ ବିନା ଲାଇସେନ୍ସରେ ୨୦ ଦୋକାନ ଚାଲିଥିବା ଜଣାପଡ଼ିଥିଲା। ସେହିଭଳି ବହୁ ବେପାରୀ ଲାଇସେନ୍‌ସ ଭଡ଼ାକୁ ଆଣି ବେପାର କରୁଥିବା ସେ ଦେଖିଥିଲେ। ବିଏମ୍‌ସିରୁ ଲାଇସେନ୍ସ ନେଇଥିବା ହିତାଧିକାରୀ ଅନ୍ୟ ବେପାର କରୁଥିବା ବେଳେ ଏହି ଗଳି ପାଇଁ ନେଇଥିବା ଲାଇସେନ୍ସକୁ ଭଡ଼ା ଦେଇଥିବା ସ୍ପଷ୍ଟ ହୋଇଥିଲା। ବର୍ଷ ବର୍ଷ ଧରି ଏହି ବେଆଇନ ଧନ୍ଦା ଚାଲିଥିବା ଜଣାପଡ଼ିଥିଲା। ତେଣୁ ସବୁ ଦିଗରୁ ପୁଳାପୁଳା ବେଆଇନ କାମ ଦେଖି ସେ ଖାଓଗଳିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ସବୁ ଦୋକାନ ବନ୍ଦ ହୋଇଥିଲା। ସେହିଭଳି ଲାଇସେନ୍ସ ପାଇଥିବା ସବୁ ହିତାଧିକାରୀ ନୀତିନିୟମ ମାନିବା ପାଇଁ ଆସନ୍ତାକାଲି ମଧ୍ୟରେ ଲିଖିତ ଭାବେ ପ୍ରତିଶ୍ରୁତି ନ ଦେଲେ, ଲାଇସେନ୍ସ ପ୍ରତ୍ୟାହାର କରିନିଆଯିବ ବୋଲି ମେୟର ଶ୍ରୀମତୀ ଦାସ ସ୍ପଷ୍ଟ କରିଛନ୍ତି। କେବଳ ଲାଇସେନ୍ସ ପାଇଥିବା ବେପାରୀ ହିଁ ଏହି ଗଳିରେ ବେପାର କରିବେ ବୋଲି ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବିନା ଲାଇସେନ୍ସରେ ହୋଇଥିବା ବେଆଇନ ଦୋକାନକୁ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।

ଏହି ଗଳିରେ ମଦ୍ୟପାନ ଯୋଗୁଁ ବହୁ ସମୟରେ ଅପ୍ରୀତିକର ପରିସ୍ଥିତି ଉପୁଜୁଥିବାରୁ ଅଭିଯୋଗ ହୋଇଥିଲା ଓ ଏହାକୁ ଆଧାର କରି ମେୟର ଶ୍ରୀମତୀ ଦାସ, ଜେଡ୍‌ଡିସି ପୁରନ୍ଦର ନନ୍ଦ, ସ୍ଥାନୀୟ କର୍ପୋରେଟର ଓ ଅନ୍ୟ ଅଧିକାରୀମାନେ ଆଜି ସନ୍ଧ୍ୟାରେ ଚଢ଼ଉ କରିଥିଲେ। ଏଣିକି ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଫିସର ନିୟମିତ ଏଠାରେ ଖାଦ୍ୟର ମାନ ଯାଞ୍ଚ କରିବେ। ପ୍ରବଳ ଗହଳି ଯୋଗୁଁ ହେଉଥିବା ରାସ୍ତା ଜାମ୍‌ ନିୟନ୍ତ୍ରଣ କରିବାକୁ ଟ୍ରାଫିକ୍‌ ପୁଲିସ ନଜର ରଖିବେ। ଉଲ୍ଲେଖଯୋଗ୍ୟ, ଏହି ଖାଓଗଳିରେ ଉତ୍ତମ ଗୁଣବତ୍ତାର ଖାଦ୍ୟ ପ୍ରସ୍ତୁତ ହେଉଛି ବୋଲି ଖାଦ୍ୟ ସୁରକ୍ଷା ପରିଚାଳନା ବ୍ୟବସ୍ଥା (ଏଫ୍‌ଏସ୍‌ଏସ୍ଏଆଇ) ମାନ୍ୟତା ଦେଇଥିଲା। ମାତ୍ର ଆଜି ମେୟରଙ୍କ ଅତର୍କିତ ଯାଞ୍ଚ ବେଳେ ସବୁ କିଛି ଓଲଟା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର