ନୃତ୍ୟରେ ଦୁଲୁକେଇଲେ, ଖାଦ୍ୟରେ ମହକେଇଲେ

ମୟୂରଭଞ୍ଜ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ୱର: ମଞ୍ଚରେ ଦୁଲୁକୁଥିଲା ଛଉଠୁ ଝୁମର ଯାଏଁ। ଆଦିବାସୀ ନୃତ୍ୟରେ ପାରମ୍ପରିକ ଅନୁଭବ ସାଙ୍ଗକୁ ସିନେମା ଗୀତରେ ବୋବାଲିଆ ନାଚରେ ହାତ ଗୋଡ଼ ଉଠପଡ଼ ହେଉଥିଲା। ପୁଣି ମଞ୍ଚ ସାମ୍ନାରେ ମୁଢ଼ି ଓ ଖାସି ମାଂସରେ ମହକୁଥିଲା ପୂରା ପରିସର। ଏମିତି ଏକ ମନୋରମ ବର୍ଷା ଭିଜା ସନ୍ଧ୍ୟା ଭେଟି ଦେଇଥିଲା ମୟୂରଭଂଜ ଉତ୍ସବର ଉଦ୍‌ଘାଟନୀ ପର୍ବ। ଯେମିତି ବର୍ଷା ଉତ୍କଳ ମଣ୍ଡପରେ ହିଁ ଚାହିଁ ରହିଥିଲା ସ୍ୱାଗତ କରିବାକୁ। ମୟୂରଭଂଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ଆୟୋଜିତ ଏହି ମନୋରମ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଉଭୟ ପାରମ୍ପରିକ ଆଧୁନିକ ନୃତ୍ୟର ଝଲକ। ଭଂଜ ଭୂମି ଆମର ମାଆ..ଶୀର୍ଷକ ଗୀତରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ପରେ ଛାଉଣୀ, ଛଉନୃତ୍ୟ, ସୁଲୋଚନା ଦେବୀ ଝୁମର ମେଲୋଡ଼ି, ଝୁମର ନୃତ୍ୟ ଉପଭୋଗ କରିଥିଲେ ସମବେତ ଦର୍ଶକ। ବାରିପଦାର ଗୁରୁକୁଳ ଡ୍ୟାନ୍ସ ଏକାଡେମି ସିନେ ସଂଗୀତରେ ନୃତ୍ୟର ତଡ଼କା ଦେଖାଇଥିବା ବେଳେ ଆଦିମ ଆଦିବାସୀ ସାଂସ୍କୃତିକ ସଂଘ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ। ସବୁଠୁ ଆକର୍ଷଣ ସାଜିଥିଲା ମୟୂରଭଂଜିଆ ଟୋକା ପପୁ ପମ୍‌ପମ୍‌ଙ୍କ ମନଛୁଆଁ କମେଡ଼ି ଏବଂ ସ୍ୱରାଜ ବାରିକଙ୍କ ଦମଦାର ନୃତ୍ୟ। ଏଥିସହିତ ପରିସରରେ କ୍ରାଫ୍‌ଟ ମେଳା, ବାରିପଦାର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନର ସମାହାରରେ ଖାସି ମାଂସ, ଦେଶୀ କୁକୁଡ଼ା ଝୋଳ, ଚକୁଳି ମାଂସ, ଖେଚେଡ଼ି, ରାମରୋଚକ ତରକାରି ଦର୍ଶକଙ୍କୁ ଟାଣି ନେଇଥିଲା। ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତ ସରକାରଙ୍କ ପୂର୍ବତନ ସଚିବ ଅରୁଣ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ସଭାପତି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାଧାରଣ ସମ୍ପାଦକ ଗୋକୁଳଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୁକାନ୍ତ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଚିନ୍ମୟ ଦାସ ପଟ୍ଟନାୟକ ପରିଚାଳନା କରିଥିଲେ। ଅଶୋକ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସୃଜନ ଫଟୋ ପ୍ରଦର୍ଶନୀ ଏହି ଅବସରରେ ଆକର୍ଷଣ ସାଜିଥିଲା। ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଦର୍ଶକ ପାରମ୍ପରିକ ଖାଦ୍ୟ ସହ ପାରମ୍ପରିକ ନୃତ୍ୟର ଅନୁଭବ ପାଇପାରିବେ।

ସମ୍ବନ୍ଧିତ ଖବର