ମୟୂରଭଂଜ ମହୋତ୍ସବ, ମୟୂରଭଂଜ ମଣିଷପଣିଆର ଲାବୋରାଟୋରି

ଭୁବନେଶ୍ବର: ଝାଲ ମୁଢ଼ି ସାଙ୍ଗକୁ ଖାସି ମାଂସ। ଦଳା ଖେଚୁଡ଼ି ସାଙ୍ଗକୁ ରାମରୋଚକ ତରକାରୀ। ପୁଣି ବାଉଁଶଠୁ ନେଇ ସବାଇ ଘାସ ଶିଳ୍ପର ଭଳିକି ଭଳି ସମ୍ଭାର। ମୟୂରଭଂଜର ଏହି ସ୍ବତନ୍ତ୍ର ଭେଟି ସାଙ୍ଗକୁ ଉତ୍କଳ ମଣ୍ଡପ ମଞ୍ଚରେ ସିନେ ତାରକାଙ୍କ ନୃତ୍ୟ ଦର୍ଶକଙ୍କୁ ଶେଷ ଯାଏଁ ବାନ୍ଧି ରଖିଥିଲା। ମୟୂରଭଂଜ ସାଂସ୍କୃତିକ ସଂସଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପରେ ଆୟୋଜିତ ମୟୂରଭଂଜ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଦର୍ଶକ ଏହି ନିଆରା ପରିବେଶ ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ମୟୂରଭଂଜ ମଣିଷପଣିଆର ଲାବୋରାଟୋରି। ଖାଦ୍ୟ, କଳା, ସଂସ୍କୃତି, ପରିବେଶ, ନିଷ୍କପଟତା ସବୁ ଏଇଠି ମହଜୁଦ ଅଛି ବୋଲି ସେ କହିଥିଲେ। ଏଥିସହ ସେ ବସିଥିବା ଅତିଥି ଆସନ ସମ୍ମୁଖରେ ମୟୂରଭଂଜର ମୁଢ଼ି, ଆରିସା ନରଖି କାହିଁକି ଚିପ୍‌ସ ରଖାଗଲା ବୋଲି ମଂଚ ଉପରେ କର୍ମକର୍ତାଙ୍କୁ ପ୍ରଶ୍ନ କରିଥିଲେ। ଏଥିସହ ନିଜେ ପରିସରରେ ଥିବା ଷ୍ଟଲ୍‌ରୁ ମୁଢ଼ି ଓ ଖାସି ମାଂସ ଖାଇଥିଲେ। ସଂସଦର ସ୍ମରଣିକା ଲୋକାର୍ପିତ ହୋଇଥିଲା। ଅଭିନେତା ଉତ୍ତମ ମହାନ୍ତି, ମିହିର ଦାସ ମଧ୍ୟ ଉପସ୍ଥିତ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଭାଗରେ ଛଉ ନୃତ୍ୟରେ ଅର୍ପଣ ଓ ପ୍ରେମଋତୁର ବର୍ଣ୍ଣନା ଦେଖିବାକୁ ମିଳିଥିଲା। ପରେ ଅଭିନେତା ପପୁ ପମ୍‌ପମ୍‌, ବାବୁସାନ୍‌ ଏବଂ ସ୍ବରାଜ ବାରିକଙ୍କ ଉପସ୍ଥିତି କାର୍ଯ୍ୟକ୍ରମରେ ରଙ୍ଗ ଭରିଥିଲା। ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ, ସ୍ମରଣିକା ସମ୍ପାଦକ ସନତ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥି‌ବା ବେଳେ ରଜନୀକାନ୍ତ ବିଶ୍ବାଳ ଧନ୍ୟବାଦ ଦେଇଥିଲେ। ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର