ମୟୂରଭଂଜ ଉତ୍ସବ ଆରମ୍ଭ: ଝୁମର ଆଖଡ଼ା ଦେଖିଲେ, ମୁଢ଼ି ମାଂସ ଖାଇଲେ

ଭୁବନେଶ୍ବର: ଝୁମର ଓ ଛଉ ନୃତ୍ୟରେ କମ୍ପୁଥିଲା ମଞ୍ଚ। ମୁଢ଼ି ଓ ଖାସି ମାଂସର ବାସ୍ନାରେ ମହକୁଥିଲା ମୁକ୍ତ‌ାକାଶ ପ୍ରେକ୍ଷାଳୟ ପରିସର। ଉତ୍କଳ ମଣ୍ଡପରେ ମୟୂରଭଂଜ ସଂସ୍କୃତି ଓ ପରମ୍ପରାର ଅନୁଭବ ସାଉଁଟିଛନ୍ତି ଦର୍ଶକ। ମୟୂରଭଂଜ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ‘ମୟୂରଭଂଜ ଉତ୍ସବ’ରେ ଝୁମର ଆଖଡ଼ା, ଛଉ ନୃତ୍ୟ ସାଙ୍ଗକୁ କମେଡ଼ିରେ ବି ବିଭୋର୍‌ ହୋଇଥି‌ଲେ ଦର୍ଶକ।

ପ୍ରାରମ୍ଭରେ ମୟୂରଭଂଜ ଶୀର୍ଷକ ସଂଗୀତ ଭିଡିଓ ପ୍ରଦର୍ଶିତ ହୋଇଥିଲା। ବାରିପଦା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର ଛଉ ନୃତ୍ୟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ସୁରେଇଡିହିର ଆଦିମ କୁଡ଼ୁମୀଙ୍କ ଦ୍ବାରା ଝୁମର ଆଖଡ଼ା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଚଳଚ୍ଚିତ୍ର ନିର୍ଦେଶକ ତାପସ ସରଘରିଆଙ୍କ କମେଡ଼ି ଦର୍ଶକଙ୍କୁ ଖୁବ୍‌ ହସାଇଥିଲା। ଆଦିମ ଅଧିବାସୀ ମହାସଂଘ ଭୁବନେଶ୍ବରର ଈଶ୍ବର ଅର୍ପିତା, ପ‌ରମେଶ୍ବର ଷ୍ଟାର ଡ୍ୟାନ୍‌ସ ଏକାଡେମିର ଦଳଗତ ଆଧୁନିକ ନୃତ୍ୟ ସାଙ୍ଗକୁ ସୁଜିତ ନାଥଙ୍କ ସଂଗୀତରେ ଦର୍ଶକ ବିଭୋର୍‌ ହୋଇଥିଲେ। ଏହାବ୍ୟତୀତ ବାରିପଦାର ମୁଢ଼ି ମାଂସ, ଦଳାଖେଚୁଡ଼ି, ରାମରୋଚକ ତରକାରୀ, କାକରା, ମଣ୍ଡା ପିଠା ଖାଇବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉତ୍ସବ କମିଟିର ଅଧ୍ୟକ୍ଷ ଅରୁଣ କୁମାର ରଥ, ମୟୂରଭଂଜ ସାଂସ୍କୃତିକ ସଂସଦର କାର୍ଯ୍ୟକାରୀ ସଭାପତି ବୀରଭଦ୍ର ସିଂହ, ଉପସଭାପତି ତଥା ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ସାଧାରଣ ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଚଳଚ୍ଚିତ୍ର ସଂଳାପକାର ଚିନ୍ମୟ ଦାସ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର