ଏମ୍‌ବିବିଏସ୍‌ ଶିକ୍ଷା, ପ୍ରତିବର୍ଷ ବିଦେଶକୁ ଯାଉଛନ୍ତି ୬୦୦ ଓଡ଼ିଆ

ଭୁବନେଶ୍ବର: ଏମ୍‌ବିବିଏସ୍‌ ପଢ଼ିବା ଓ ଡାକ୍ତର ହେବା ଆଉ ସ୍ବପ୍ନ ହୋଇ ରହିନାହିଁ। ନିଟ୍‌ରେ ଭଲ ରୢାଙ୍କ ପାଇ ମଧ୍ୟ ଓଡ଼ିଶା ତଥା ଦେଶରେ ଏମ୍‌ବିବିଏସ୍‌ ପଢ଼ିବାକୁ ସୁଯୋଗ ପାଇପାରୁ ନଥିବା ଛାତ୍ରଛାତ୍ରୀ ଦେଶ ବାହାରେ ବି ଶିକ୍ଷା ଗ୍ରହଣ କରିପାରୁଛନ୍ତି। ପ୍ରତିବର୍ଷ ଦେଶରୁ ପ୍ରାୟ ୨୬ ହଜାର ଛାତ୍ରଛାତ୍ରୀ ବିଦେଶରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୬୦୦ରୁ ୭୦୦ ଛାତ୍ରଛାତ୍ରୀ ବିଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନକୁ ଯାଉଛନ୍ତି। ସେଠାରେ ସଫଳତାର ସହ କୃତକାର୍ଯ୍ୟ ‌ହୋଇ ଭାରତ ଫେରିବା ପରେ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ) ସେମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରୁଛି। ଯାହାଦ୍ବାରା ଭାରତରେ ମଧ୍ୟ ସେମାନେ ନିଯୁକ୍ତି ସୁଯୋଗ ପାଉଛନ୍ତି। ବିଶେଷକରି ୟୁକ୍ରେନ୍‌ ପରି ଦେଶରେ କମ୍‌ ଖର୍ଚ୍ଚରେ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ଶିକ୍ଷା ଗ୍ରହଣ କରିପାରୁଛନ୍ତି ବୋଲି ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଗ୍ରୁପ ପକ୍ଷରୁ ଆଜି ଜୟଦେବ ଭବନରେ ଅନୁଷ୍ଠିତ ‘ଏମ୍‌ବିବିଏସ୍‌ ଶିକ୍ଷା ମେଳା-୨୦୧୯’ରେ ଯୋଗଦେଇଥିବା ବକ୍ତାମ‌ାନେ ମତପ୍ରକାଶ କରିଛନ୍ତି।

ଉତ୍ସବରେ ଡା. ଜୟ ପ୍ରକାଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଣେ ସଫଳ ଡାକ୍ତର ହେବା ଲାଗି ଗୁଣବତ୍ତା ଶିକ୍ଷା ଓ କଠିନ ଅଧ୍ୟବସାୟ ଆବଶ୍ୟକ ବୋଲି କହିଥିଲେ। ଗ୍ଲୋବାଲ ଫୋକସ ଏଜୁକେସନ ପ୍ରାଇଭେଟ ଲିମିଟେଡ ଏମ୍‌ଡି ଅବଦୁଲ ଜାହିର ଆଲୋଚନାଚକ୍ରର ପରିଚାଳନା କରି କହିଲେ ଓଡ଼ିଶାରେ ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବହୁତ କମ୍‌ ରହିଛି। ଯେଉଁଥିପାଇଁ ବହୁତ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେଉଛନ୍ତି। ଏଭଳି ମେଳା ମାଧ୍ୟମରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ଚାହୁଁଛୁ ଯେ ବିଦେଶରେ ପଢ଼ିବା ପାଇଁ ସେମାନଙ୍କ ପାଖରେ ସୁଯୋଗ ରହିଛି। ଯେଉଁମାନେ ନିଟ୍‌ରେ ଯୋଗ୍ୟତା ଅର୍ଜନ କରିବେ ସେମାନେ ବାହାରେ ପଢ଼ିବେ। ୨୦୧୧ରୁ ଏପର୍ଯ୍ୟନ୍ତ ଆମ ଶିକ୍ଷାନୁଷ୍ଠାନ ମାଧ୍ୟମରେ ଓଡ଼ିଶାରୁ ପାଖାପାଖି ଏକ ହଜାର ପିଲା ୟୁକ୍ରେନ୍‌ରେ ପଢ଼ୁଛନ୍ତି। ଚଳିତ ଶିକ୍ଷାବର୍ଷରେ ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ୟୁକ୍ରେନ୍‌‌ରେ ପଢ଼ିବା ପାଇଁ ପଞ୍ଜୀକରଣ କରିଛନ୍ତି। କୋର୍ସ ଫି’ ପାଖାପାଖି ୧୮ରୁ ୨୦ ଲକ୍ଷ ଟଙ୍କା ରହୁଛି ବୋଲି ସେ କହିଥିଲେ। ଏହି ଅବସରରେ ୟୁକ୍ରେନରୁ ଶିକ୍ଷା ଗ୍ରହଣ କରିଥିବା ଓ ଏମ୍‌ସିଆଇ ଦ୍ବାରା ମଞ୍ଜୁରୀପ୍ରାପ୍ତ ୧୧ ଜଣ ଡାକ୍ତର ସେମାନଙ୍କ ଶିକ୍ଷା ଗ୍ରହଣ, ଅଭିଜ୍ଞତା, ମେଡିକାଲ ଶିକ୍ଷାର ଗୁଣବତ୍ତା ଉପରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ଜ୍ୟୋତି ସଙ୍ଗଵାନ, ଡା. ଗୌରବ ମହାପାତ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ନିର୍ଦ୍ଦେଶକ ସ୍ବାଧୀନ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର