ଝାରସୁଗୁଡ଼ାରେ ଆକର୍ଷଣୀୟ ଇକୋ-ପାର୍କ ପ୍ରତିଷ୍ଠା କଲା ଏମ୍‌ସିଏଲ୍‌

ଭୁବନେଶ୍ବର: ମହାନଦୀ କୋଲ ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌) ପରିବେଶ ଅନୁକୂଳ ଏବଂ ସ୍ଥାୟୀ ଖନନ ବ୍ୟବସ୍ଥା ମାଧ୍ୟମରେ କୋଇଲା ଉତ୍ପାଦନରେ ଲଗାତାର ନୂତନ ସଫଳତା ହାସଲ କରିଚାଲିଛି । ଏହି କ୍ଷେତ୍ରରେ ଏମ୍‌ସିଏଲ୍‌ର ନୂଆ ଉପଲବ୍ଧି ମଧ୍ୟରେ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ଇବ୍‌ ଭ୍ୟାଲି କୋଲ୍‌ ଫିଲ୍ଡସର ଓରିଏଣ୍ଟ ଏରିଆ ଖଣି ସଂଖ୍ୟା- ୪ରେ ଚନ୍ଦ୍ରଶେଖର ଆଜାଦ ଇକୋ-ପାର୍କ ଏବଂ କୋଇଲା ସଂଗ୍ରହାଳୟ ବିକଶିତ କରାଯାଇଛି ।

ଏହି ଇକୋ ପାର୍କଟି ଝାରସୁଗୁଡ଼ା- ରାୟଗଡ଼ ଜାତୀୟ ରାଜପଥ ୪୯ ପାର୍ଶ୍ୱସ୍ଥ ଗଣ୍ଡଘୋରା ଗାଁରେ ରହିଛି। କୋଇଲା ଖଣି ସଂଖ୍ୟା-୪ରୁ ୨୦୧୭ରେ ଉତ୍ପାଦନ ବନ୍ଦ ହେବା ପରେ ଏହାକୁ ପୁନଃ ବ୍ୟବହାର ଯୋଗ୍ୟ କରିବା ପାଇଁ ସବୁଜିମାଭରା ଦୃଶ୍ୟରାଜି, କୋଲ କ୍ୟାଫେ ଓ ଶିଶୁ ଉଦ୍ୟାନ ଥିବା ଏହି ଆକର୍ଷଣୀୟ ଇକୋ ପାର୍କ ଏମ୍‌ସିଏଲ ଦ୍ୱାରା ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ କରାଯାଇଛି । ୨୦୨୧ ରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ପାର୍କର ଶିଳାନ୍ୟାସ କରିଥିଲେ । ଏହି ପାର୍କ ପରିଦର୍ଶକମାନଙ୍କୁ ଭୂତଳ ଖଣିର ପ୍ରତ୍ୟକ୍ଷ ଅନୁଭବ ଲାଭ କରିବାର ସୁଯୋଗ ପ୍ରଦାନ କରିବ।
ଏହି ପାର୍କ ଭିତରେ ଥିବା କୋଇଲା ସଂଗ୍ରହାଳୟ ଭାରତରେ କୋଇଲା ଖନନର ଇତିହାସ ଓ ପରମ୍ପରାର ଏକ ପ୍ରକୃଷ୍ଟ ଝଲକ। ଭୂତଳ ଓ ଓପନ କାଷ୍ଟ ଖଣିଗୁଡିକରେ ବ୍ୟବହାର ହେଉଥିବା ବିଭିନ୍ନ ମେସିନ ଓ ଯାନବାହାନର ୱାର୍କିଂ ମଡେଲ୍‌ଗୁଡିକ ପ୍ରଦର୍ଶିତ କରାଯାଇଛି। ସରଫେସ୍‌ ମାଇନର, ଡମ୍ପର, କ୍ରେନ, ଟିପର, ଡୋଜର, ବେଲ୍ଟ କନଭେୟର, କୋଲ କଟିଂ ମେସିନ, ଡ୍ରିଲ ମେସିନ ଓ ବ୍ୟାକହୋ ଭଳି କୋଇଲା ଖନନ ଉପକରଣ ତଥା ଯନ୍ତ୍ରାଂଶ ପ୍ରଦର୍ଶିତ କରାଯାଇଛି।

ସମ୍ବନ୍ଧିତ ଖବର