ଭୁବନେଶ୍ବର: ଗତମାସ ୩୧ ତାରିଖ ରାତିରେ ଆଚାର୍ଯ୍ୟବିହାରସ୍ଥିତ ଏକ ଘରୋଇ କମ୍ପାନି କାର୍ଯ୍ୟାଳୟ ସମ୍ମୁଖରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ(ଏମ୍ଡି)ଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ସହିଦନଗର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ
ବାଲିପାଟଣାର ମାନସ ଜେନା ଓରଫ ଦଣ୍ଡା(୨୯), ବିଶ୍ବରଞ୍ଜନ ଭୋଇ ଓରଫ ବାବୁଲ୍ (୩୮) ଓ କଟକ ସଦର ଅଞ୍ଚଳର ଦୀପକ ସାମଲ ଓରଫ ଦୀପୁ(୨୧)। ଦଣ୍ଡା ନିକଟରୁ ଖଣ୍ଡା, ଲୁଟିଥିବା ସୁନାଚେନ୍ ଓ ୨୧ ହଜାର ଟଙ୍କା ଜବତ କରାଯାଇଛି। ସଂସ୍ଥାରୁ ତଡ଼ା ଖାଇବା ପରେ ଦଣ୍ଡା ତା’ର ଦୁଇ ସହଯୋଗୀଙ୍କ ସହଯୋଗରେ ଏମ୍ଡି ବିଭୁ ସୁନ୍ଦର ମଲ୍ଲଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିଥିଲା ବୋଲି ଅଭିଯୋଗ ହୋଇଥିଲା।
ପୁଲିସ ସୂଚନାନୁସାରେ ଶ୍ରୀ ମଲ୍ଲ ଏକ ଟେଲିକମ୍ ନେଟ୍ୱାର୍କ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଭାବେ କାମ କରନ୍ତି। ଏହି ସଂସ୍ଥାରେ ଅଭିଯୁକ୍ତ ଦଣ୍ଡା ନିଯୁକ୍ତି ପାଇଥିଲା। ଗତ ମାସ ୨୫ ତାରିଖରେ ଦଣ୍ଡା ଓ ଅନ୍ୟ କିଛି କର୍ମଚାରୀଙ୍କୁ ଏମ୍ଡି ଶ୍ରୀ ମଲ୍ଲ ଚାକିରିରୁ ବାହାର କରି ଦେଇଥିଲେ। କାର୍ଯ୍ୟରେ ଅବହେଳା ଓ ଲୋକାଲ ଯୁବକ ହିସାବରେ ଅନ୍ୟ କର୍ମଚାରୀଙ୍କୁ ନାଲି ଆଖି ଦେଖାଇବା ଓ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଏଥିରେ ଦଣ୍ଡା ଆହୁରି ରାଗି ଯାଇଥିଲା ଏବଂ ଏମ୍ଡି ଶ୍ରୀ ମଲ୍ଲଙ୍କ ଉପରେ କଡ଼ଗଣ୍ଡା କରି ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ଯୋଜନାନୁସାରେ ୩୧ ତାରିଖ ରାତିରେ ଦଣ୍ଡା ତା’ର ସହଯୋଗୀମାନଙ୍କୁ ସାଙ୍ଗରେ ଧରି ଆଚାର୍ଯ୍ୟବିହାରସ୍ଥିତ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରିଥିଲା। ସେମାନେ ପ୍ରଥମେ ଏମ୍ଡି ଶ୍ରୀ ମଲ୍ଲଙ୍କୁ କାବୁ କରି ୩ଲକ୍ଷ ଟଙ୍କା ଦାବି କରିଥିଲେ। ସେ ମନା କରିବାରୁ ସେମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥାରେ ଶ୍ରୀ ମଲ୍ଲ ତଳେ ପଡ଼ିଯିବା ପରେ ସେମାନେ ତାଙ୍କ ସୁନାଚେନ୍, ବ୍ରେସ୍ଲେଟ୍ ଓ ୱାଲେଟ୍ରୁ ପ୍ରାୟ ୨୮ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ। ଘଟଣା ପରଠୁ ଦଣ୍ଡା ଫେରାର ହୋଇଯାଇଥିଲା। ଗତକାଲି ପୁଲିସ ତାକୁ ଇନ୍ଫୋଭ୍ୟାଲି ଥାନା ପିତାପଲ୍ଲୀରୁ ଉଠାଇଥିଲା। ସେ ଟ୍ରକ୍ ଯୋଗେ ରାଜ୍ୟ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ପଞ୍ଝାରେ ପଡ଼ିଥିଲା ଏବଂ ଏହାପରେ ଦୁଇ ସହଯୋଗୀ ଧରାପଡ଼ିଥିଲେ।