କଟକ ରୋଡ୍‌ ସ୍ଥିତି ଅସମ୍ଭାଳ

କେଉଁଠି ରହିଛି ସମାଧାନର ବାଟ

ଭୁବନେଶ୍ୱର: କଳ୍ପନାରୁ ରସୁଲଗଡ଼ ପର୍ଯ୍ୟନ୍ତ ଥିବା କଟକ ରୋଡ୍‌ ସ୍ଥିତି ଅସମ୍ଭାଳ ହେଲାଣି। ବିଶେଷକରି ଏକାମ୍ର ସିନେମା ହଲ୍‌ରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ରାସ୍ତା। ଏହି ଦେଢ଼ କିମି ରାସ୍ତା ଅତିକ୍ରମ କରିବାକୁ ଲୋକଙ୍କୁ ଏବେ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଉଛି। ବମିଖାଲ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଏହି ରାସ୍ତାରେ ଯାତ୍ରା ଯନ୍ତ୍ରଣାଦାୟକ ଥିବାବେଳେ ଏବେ ଏସ୍‌ପ୍ଲାନେଡ୍‌ ମଲ୍‌ ଖୋଲିବା ପରେ ସ୍ଥିତି ଆହୁରି ସଙ୍ଗିନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅସମ୍ଭାଳ ଭିଡ଼ ଜମୁଥିବାରୁ ଏହି ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡ଼ୁଛି। ଗତ କିଛି ଦିନ ହେଲା କଟକ ରୋଡ୍‌ର ବମିଖାଲରୁ ରସୁଲଗଡ଼ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଅଣାୟତ ହେଉଥିଲେ ହେଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। କିପରି ଭିଡ଼ ନିୟନ୍ତ୍ରଣ ହେବ, ଲୋକ ସୁବିଧାରେ ଯାତାୟତ କରିବେ ତାହାର ବାଟ ବାହାର କରାଯାଉନି। ଫଳରେ ଏବେ ଅସମ୍ଭାଳ ଭିଡ଼ ଦେଖାଉଯାଉଥିବା ଏହି ଅଞ୍ଚଳରେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଏବଂ ଦୁର୍ଘଟଣାପ୍ରବଣ ଅଞ୍ଚଳ ପାଲଟିଯିବାର ଆଶଙ୍କା ସୃଷ୍ଟି ହେଲାଣି।

କଟକ ରୋଡ୍‌ରେ ଭିଡ଼ ଆରମ୍ଭ ହେଉଛି ଏକାମ୍ର ଫିଲ୍ମ ହଲ୍‌ ନିକଟରୁ। ଏଠାରେ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଥିବାବେଳେ ରାସ୍ତାକୁ ସଙ୍କୁଚିତ କରି ନିର୍ମାଣ କାର୍ଯ୍ୟ ହେଉଛି। ଗୋଟିଏ ପାର୍ଶ୍ୱରେ ମାତ୍ର ଗୋଟିଏ ଗାଡ଼ି ଅତିକ୍ରମ କରିବା ଭଳି ରାସ୍ତା ଥିବାରୁ ଗାଡ଼ିଗୁଡ଼ିକ ଅତିକ୍ରମ କରିପାରୁନି। କଷ୍ଟମଷ୍ଟେ ୫୦୦ମିଟର ରାସ୍ତା ଅତିକ୍ରମ କରିବା ବେଳକୁ ବମିଖାଲ ଛକରୁ ପୁଣି ଲମ୍ବା ଧାଡ଼ି। ଗତ ୧୨ ତାରିଖରୁ ଏସ୍‌ପ୍ଲାନେଡ୍‌ ମଲ୍‌ ଖୋଲିବା ପରେ ବମିଖାଲରୁ ରସୁଲଗଡ଼ ମଧ୍ୟରେ ଲମ୍ବା ଧାଡ଼ିରେ ଗାଡ଼ି ଛିଡା ହେଉଛି। ପ୍ରାୟ ୧କିମିର ରାସ୍ତା ଅତିକ୍ରମ କରିବାକୁ ଅଧ ଘଣ୍ଟା ଲାଗିଯାଉଛି। କେବଳ ଏହି ରାସ୍ତା ନୁହେଁ। ରସୁଲଗଡ଼ ଶିଳ୍ପାଞ୍ଚଳକୁ ପଡ଼ିଥିବା ରାସ୍ତାରେ ମଲ୍‌କୁ ଆସୁଥିବା ଲୋକମାନେ ଗାଡ଼ି ପାର୍କିଂ କରୁଥିବାରୁ ଏହି ରାସ୍ତାରେ ବି ଅସମ୍ଭାଳ ଭିଡ଼ ଜମୁଛି। ରସୁଲଗଡ଼ ଶିଳ୍ପାଞ୍ଚଳରେ ତିନିଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟାଳୟ ସମେତ ୧୦ରୁ ଅଧିକ ଶିଳ୍ପ ସଂସ୍ଥା ଥିବାରୁ ବହୁ ଭାରୀ ଯାନ ଏହା ମଧ୍ୟରେ ପାର୍କିଂ ହେଉଛି। ଏହା ସାଙ୍ଗକୁ କାର୍‌ ଓ ବାଇକ୍‌ ପାର୍କିଂ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଉଛି। ଗତକାଲି ଓ ଆଜି ଦୁଇଦିନ ଛୁଟି ଥିବାରୁ ମଲ୍‌ରେ ପ୍ରବଳ ଭିଡ଼ ଜମିଥିଲା। ଯାହାର ପ୍ରଭାବ ଆଜି ଦିନତମାମ୍‌ କଟକ ରୋଡ୍‌ ଏବଂ ଶିଳ୍ପାଞ୍ଚଳ ରାସ୍ତାରେ ଦେଖିବାକୁ ମିଳିଥିଲା। ଯାତାୟତରେ ଅସୁବିଧା ହେବାରୁ ଲୋକ କମିସନରେଟ୍‌ ପୁଲିସର କଣ୍ଟ୍ରୋଲ ରୁମ୍‌କୁ ଘନଘନ ଫୋନ୍‌ କରିଥିଲେ। ଏହାପରେ ବମିଖାଲ ଓଭରବ୍ରିଜ୍‌ ନିକଟରେ ଥିବା କଟ୍‌କୁ ବନ୍ଦ କରାଯାଇଥିଲା। ତଥାପି ଭିଡ଼ ନିୟନ୍ତ୍ରଣ ହୋଇପାରିନଥିଲା। ଏନେଇ ଟ୍ରାଫିକ ଏସିପି ଅନୁପ କାନୁନଗୋଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଭିଡ଼ ଜମିବା ପରେ ଆମ କଣ୍ଟ୍ରୋଲ ରୁମ୍‌କୁ କଲ୍‌ ଆସିଥିଲା। ଏହାପରେ ଟ୍ରାଫିକ୍‌ ପୁଲିସ୍‌ ମୁତୟନ କରି ନିୟନ୍ତ୍ରଣ କରାଯାଇଛି। ଆଗକୁ କିପରି ଭିଡ଼ ନିୟନ୍ତ୍ରଣ ହେବ ସେନେଇ ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ରାଜଧାନୀରେ ଯେଉଁଠି ବି ସପିଂ ମଲ୍‌ ଖୋଲା ଯାଇଛି ତାହା ସାମ୍ନାରେ ଅସମ୍ଭାଳ ଭିଡ଼ ଜମୁଛି। ଯେଉଁଠି ବ୍ୟବସ୍ଥିତ ଢଙ୍ଗରେ ଏହାକୁ ପରିଚାଳନା କରାଯାଉଛି ସେଠାରେ ଭିଡ଼ କିଛି ମାତ୍ରାରେ ନିୟନ୍ତ୍ରଣ ହେଉଛି। ବର୍ତ୍ତମାନ ଏସ୍‌ପ୍ଲାନେଡ୍‌ ସମ୍ମୁଖରେ ଭିଡ଼ ଜମୁଥିବାବେଳେ ଏହାର କିଛି ମାତ୍ରାରେ ସମାଧାନ ହୋଇପାରିବ। କିନ୍ତୁ ଏହାକୁ ପ୍ରଶାସନ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଦରକାର।

ଓଭରବ୍ରିଜ୍‌ର ଗୋଟିଏ ପାର୍ଶ୍ୱ ଖୋଲାଯାଇପାରିବ
ବମିଖାଲ-ସହିଦନଗର ରେଳ ଓଭରବ୍ରିଜ୍‌ କାର୍ଯ୍ୟ ବିଭିନ୍ନ ବାଧା ପ୍ରତିବନ୍ଧକ ଦେଇ ଚାଲିଥିଲେ ହେଁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେଉନି। ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ୱରେ କାର୍ଯ୍ୟ ବହୁ ମନ୍ଥର ଗତିରେ ଚାଲୁଥିବାବେଳେ ଏହା ଶେଷ ହେବାକୁ ଆହୁରି ୨ରୁ ୩ ମାସ ଲାଗିଯିବ। ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଓମ୍‌ ପ୍ରକାଶ ପଟେଲଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜୁଲାଇ ମାସରେ ଓଭରବ୍ରିଜ୍‌ କାମ ସାରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ସରିବନି। ଦଶହରା ପୂର୍ବରୁ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖିଛୁ। ଯଦି ଏବେ ସନ୍ତୋଷୀ ମା’ ମନ୍ଦିର ପାର୍ଶ୍ୱରେ ଓଭରବ୍ରିଜ୍‌ କାର୍ଯ୍ୟ ଶେଷ ହେଉନି ତେବେ ସହିଦନଗରରୁ ରସୁଲଗଡ଼ ପାର୍ଶ୍ୱକୁ ପଡ଼ିଥିବା ଓଭରବ୍ରିଜ୍‌ କାର୍ଯ୍ୟ ଶେଷ ହୋଇଯାଇଥିବାରୁ ଏହାକୁ ଖୋଲାଗଲେ କଟକ ରୋଡ୍‌ ଭିଡ଼କୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ।

ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତାରେ ମାଳମାଳ ଜବରଦଖଲ

ଏସ୍‌ପ୍ଲାନେଡ୍‌ ମଲ୍‌ର ପ୍ରସ୍ଥାନ ବାଟ ଶିଳ୍ପାଞ୍ଚଳ ରାସ୍ତାକୁ କରାଯାଇଛି। ଫଳରେ ଏହି ରାସ୍ତାରେ ବହୁ ଗାଡ଼ି ଯାତାୟତ କରୁଛି। ଏପରିକି ବହୁ ଲୋକ ମଲ୍‌ର ପାର୍କିଂ ଅଞ୍ଚଳକୁ ଗାଡ଼ି ନନେଇ ରାସ୍ତା ଉପରେ ଗାଡ଼ି ପାର୍କିଂ କରୁଛନ୍ତି। ଏହି ରାସ୍ତାରେ ୪/୫ଟି ଉଠାଦୋକାନ, ୫ରୁ ଅଧିକ ଝୁମ୍ପୁଡ଼ି ଘର ଥିବାବେଳେ ରାସ୍ତାର ଅଧିକାଂଶ ଅଞ୍ଚଳ ମାଟିରେ ପୋତି ହୋଇ ଅଣଓସାରିଆ ହୋଇଯାଇଛି। ଗାଡ଼ି ପାର୍କିଂ ହେବା ଦ୍ୱାରା ଅସମ୍ଭାଳ ଭିଡ଼ ଜମୁଛି। ତେଣୁ ଇଡ୍‌କୋ ଏହି ରାସ୍ତାରେ ପାର୍କିଂ ନିଷିଦ୍ଧ କରିବା ସହ ବିଏମ୍‌ସି/ବିଡିଏ ସହାୟତାରେ ଜବରଦଖଲ ଉଚ୍ଛେଦ କଲେ ପ୍ରଶସ୍ତ ରାସ୍ତା ଭିଡ଼ କମାଇବାରେ ସହାୟକ ହେବ।

ପୁରୀ ବାଇପାସ୍‌ରେ ଭାରୀଯାନ ଛଡ଼ା ଯାଇପାରିବ
ପୁରୀ ପାର୍ଶ୍ୱରୁ ଆସୁଥିବା ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଭିତରକୁ ନ ଛାଡ଼ି ଦୟା ବ୍ରିଜ୍‌ ପରେ ପୁରୀ ବାଇପାସ୍‌ରେ ଛାଡ଼ିଲେ କଟକ ରୋଡ୍‌ରେ ଭିଡ଼କୁ ବହୁ ମାତ୍ରାରେ କମାଯାଇପାରିବ। କଟକକୁ ଯିବାକୁ ଥିବା ଗାଡ଼ିଗୁଡ଼ିକ ହାଇଟେକ୍‌ ମେଡିକାଲ ଛକରୁ ଡାହାଣକୁ କଟକ ଅଭିମୁଖେ ଯିବ ଏବଂ ଭୁବନେଶ୍ୱର ଅଭିମୁଖେ ଆସିବାକୁ ଥିବା ଗାଡ଼ିଗୁଡ଼ିକ ବାମକୁ ଆସି ପଳାସୁଣି ଭାୟା ହୋଇ ଓଭରବ୍ରିଜ୍‌ରେ ବରମୁଣ୍ଡା ଯାଇପାରିବ। ଏହି ତିନିଟି ଉପାୟରେ କଟକ ରୋଡ୍‌ର ଭିଡ଼ ନିୟନ୍ତ୍ରଣ କରାଯାଇପାରିବ କିନ୍ତୁ ଏହାକୁ ପ୍ରଶାସନ ତୁରନ୍ତ କାର୍ଯ୍ୟକାରୀ କରିବା ଦରକାର।

ସମ୍ବନ୍ଧିତ ଖବର