ରାଜଧାନୀରେ ଗୋଧି ମାଂସ ବିକ୍ରି ମାମଲା: ରଜ ପାଇଁ ବାଲିପାଟଣାରୁ ଅଣାଯାଇଥିଲା ଗୋଧି

ଗୋଧିକୁ କଟାଯାଇଥିବା ଚିକେନ୍ କାଉଣ୍ଟରରେ ଚଢ଼ଉ, ଜବତ ୭ ଗୋଧିରୁ ୨ଟି ଅଣନିଶ୍ବାସୀ ହୋଇ ମରିଗଲେ

ଭୁବନେଶ୍ବର: ରଜରେ ଗୋଧି ମାଂସ ବିକ୍ରି ତଥା ଖାଇବା ପାଇଁ ରାଜଧାନୀକୁ ବାଲିପାଟଣା ଅଞ୍ଚଳରୁ ଗୋଧି ଅଣାଯାଇଥିଲା। ଦିନେ କି ଦୁଇଦିନ ନୁହେଁ; ଦୀର୍ଘ ଦିନ ଆଗରୁ ଏହି ଯୋଜନା କରାଯାଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଏ ବିଷୟ ଜଣାପଡ଼ିଛି। ଅପରପକ୍ଷରେ ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜି. କ୍ରିଷ୍ଣା(୨୪)କୁ କୋର୍ଟ ଜାମିନ୍‌ ଦେଇଛନ୍ତି। କରୋନା ପାଇଁ କ୍ରିଷ୍ଣାର ଜାମିନ୍ ହୋଇଥିବା ଜଣାପଡ଼ିଥିବା ବେଳେ ରାଘବର ଜାମିନ୍‌କୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ବନ୍ୟପ୍ରାଣୀ ଚୋରା ଚାଲାଣ ନିୟମ ଅନୁସାରେ ସର୍ବାଧିକ ୭ବର୍ଷର କୋହଳ ଦଣ୍ଡ ଥିବାରୁ କ୍ରିଷ୍ଣା ଜାମିନ୍ ପାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି।

ଆଜି ବନ ବିଭାଗର ଜଣେ କର୍ମଚାରୀ ସୂଚନ‌ା ଦେଇ କହିଛନ୍ତି, ଏହି ଲୋକମାନେ ସାଧାରଣତଃ ଭୁବନେଶ୍ବର ଉପକଣ୍ଠ ଅଞ୍ଚଳକୁ ମାଟି ଖୋଳିବା ପାଇଁ ଯାଆନ୍ତି। କିଛିଦିନ ତଳେ ବାଲିପାଟଣା ଓ ଆଖପାଖ ଅଞ୍ଚଳକୁ ସେମାନେ ମାଟି ଖୋଳିବାକୁ ଯାଇଥିବାବେଳେ ସେଠାରେ ଗୋଧିଗୁଡ଼ିକୁ ଧରିଥିଲେ। ତେବେ ଏହାକୁ ସଂଗେ ସଂଗେ ନ ଆଣି ରଜ ପାଇଁ ଗୋଧିଗୁଡ଼ିକୁ ଉକ୍ତ ଅଞ୍ଚଳରେ ଜଣଙ୍କ ଘରେ ସାଇତି ରଖିଥିଲେ। ଏହା ପରେ ରଜ ବେଳକୁ ଏଠାକୁ ବିକ୍ରି କରିବା ତଥା ଘରେ ଗୋଧି ମାଂସ ଖାଇବା ପାଇଁ ଆଣିଥିଲେ। ମାତ୍ର ସେମାନେ କେତୋଟି ଗୋଧି ଶିକାର କରିଥିଲେ ଏବଂ ବାଲିପାଟଣାରେ ଏହାକୁ କାହା ଘରେ କେତେ ଦିନ ତଳୁ ରଖିଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଅପରପକ୍ଷରେ ଭୁବନେଶ୍ବର ବନ ବିଭାଗ ଆଜି ସ୍ପଷ୍ଟ କରିଛି, ଗତକାଲି ଘଟଣାସ୍ଥଳରୁ ୮ଟି ନୁହେଁ; ୭ଟି ଗୋଧି ଜବତ କରାଯାଇଥିଲା। ଗୋଧିଗୁଡ଼ିକୁ ଅଖା ଭିତରେ ବାନ୍ଧି ଦିଆଯାଇଥିବାରୁ ୭ଟି ଗୋଧିରୁ ୨ଟି ଗୋଧି ମରିଯାଇଥିଲେ। ଗୋଧି ଲାଞ୍ଜକୁ ପେଟ ବାଟ ଦେଇ ବେକରେ ବାନ୍ଧିଥିବାରୁ ସବୁ ଗୋଧି ଆହତ ହୋଇଛନ୍ତି। ଅଣନିଶ୍ବାସୀ ହେତୁ ଦୁଇଟି ଗୋଧି ମରିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ବାକି ୫ଟିକୁ ପ୍ରାଥମିକ ଚିକିତ୍ସା କରାଯାଇ ଚନ୍ଦକା ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଆସନ୍ତାକାଲି ମୃତ ଗୋଧି ଦୁଇଟିକୁ ବ୍ୟବଚ୍ଛେଦ କରାଯିବ। ଏହା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସେପଟେ ଆଜି ବନ ବିଭାଗ ଗୋଧି ଉଦ୍ଧାର କରାଯାଇଥିବା ଚିକେନ୍ କାଉଣ୍ଟର୍ ଉପରେ ଚଢ଼ଉ କରିଥିଲା। ମାତ୍ର ଗିରଫ ହେବା ଭୟରେ ଚିକେନ୍ କାଉଣ୍ଟର୍ ମାଲିକ ଆଜି ଦୋକାନ ଖୋଲିବାକୁ ଆସି ନ ଥିବା ସନ୍ଦେହ କରାଯାଉଛି। କାରଣ ଗୋଧିକୁ ସେଠାରେ କଟାଯିବା ବେଳେ କିଛି ଲୋକ ସେଠାରୁ ଖସି ପଳାଇଥିଲେ। ତେଣୁ ଗରାଖଙ୍କ ସମେତ ଏହି ଗୋଧି ମାଂସ ଓ ଚମଡ଼ା ବିକ୍ରୟରେ ଚିକେନ୍ କାଉଣ୍ଟର୍ ମାଲିକ ସଂପୃକ୍ତ ଥିବା କୁହାଯାଉଛି।

୨୦୧୭ରେ ଜବତ ହୋଇଥିଲା ୨୧୦ ଗୋଧି ଯୌନାଙ୍ଗ
ବେଆଇନ ଗୋଧି ଶିକାର ଓ କାରବାର ରାଜଧାନୀରେ ନୂଆ କଥା ନୁହେଁ। ୨୦୧୭ ମେ’ ୩୦ରେ ବ୍ରହ୍ମେଶ୍ବରପାଟଣାରୁ ୨୧୦ଟି ଗୋଧି ଯୌନାଙ୍ଗ ଜବତ ହୋଇଥିଲା। ଏହି ଯୌନାଙ୍ଗକୁ ଅନ୍‌ଲାଇନ୍‌ରେ ବିକ୍ରୟ ପାଇଁ ରଖାଯାଇଥିଲା। ଏଥିପାଇଁ ଇ କମର୍ସ ସାଇଟ୍ ଫ୍ଲିପକାର୍ଟ ଓ ଆମଜନ୍‌ରେ ଗୋଧି ଯୌନାଙ୍ଗ ଫଟୋକୁ ଛଡ଼ାଯାଇଥିଲା। ସାଧାରଣତଃ ଗୋଧି ଯୌନାଙ୍ଗକୁ ‘ହାତଯୋଡ଼ି’ ବୋଲି କୁହାଯାଏ। ଯୌନାଙ୍ଗର ଆକୃତି ହିମାଳୟ ପାଦଦେଶର ଏକ ଗଛର ଚେର ଆକୃତିର। ଏହାକୁ ଲୋକଙ୍କୁ ବଶୀକରଣ ପାଇଁ ବ୍ୟବହାର କରାଯାଉଥିବାରୁ ଅନ୍‌ଲାଇନ୍‌ରେ ବିକ୍ରୟ ପାଇଁ ରଖାଯାଇଥିଲା। ଅନ୍‌ଲାଇନ୍‌ରେ ଏ ଗୁଡ଼ିକର ମୂଲ୍ୟ ପ୍ରାୟ ୪ଶହରୁ ୧୪ହଜାର ଟଙ୍କା ପର୍ଯ୍ୟନ୍ତ ରଖାଯାଇଥିଲା। ସୂଚନାଯୋଗ୍ୟ, ଗୋଧି ମାଂସକୁ ଖାଦ୍ୟ ପାଇଁ ବ୍ୟବହାର କରାଯାଉଥିବା ବେଳେ ଏହାର ଚମଡ଼ାକୁ ବାଦ୍ୟ ଯନ୍ତ୍ର ପାାଇଁ ବ୍ୟବହାର କରାଯାଏ।

ବନ୍ୟଜନ୍ତୁ ଚାଲାଣ ମାମଲାରେ ବନ ବିଭାଗ କରୁଛି କ’ଣ?

ଗୋଧି ଜବତ ମାମଲାରେ ମଧ୍ୟ ବନ ବିଭାଗର କାର୍ଯ୍ୟକଳାପ ଉପରେ ଅନେକ ପରିବେଶବିତ୍ ଓ ବନ୍ୟଜନ୍ତୁ ରକ୍ଷାକାରୀ ବ୍ୟକ୍ତିବିଶେଷ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିବେଶବିତ୍ ବିଶ୍ବଜିତ ମହାନ୍ତି କହିଛନ୍ତି, ବନବିଭାଗ କେବଳ ବୃକ୍ଷରୋପଣ ଓ ଜଙ୍ଗଲରେ ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେଉଛି। ଗତ ୩୦ ବର୍ଷରେ ବନ ବିଭାଗ ଧରିଥିବା ମାମଲାକୁ ଯଦି ଉଦାହରଣ ରୂପେ ନିଆଯାଏ, ତେବେ ମାତ୍ର ଗୋଟିଏ କି ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରିବାରେ ବନ ବିଭାଗ ସଫଳ ହୋଇଛି। ହାତୀ ଦାନ୍ତ ଉଦ୍ଧାରଠୁ ଆରମ୍ଭ କରି ପିଚୁକୁଳିରେ ବାଘଛାଲ ଜବତ ମାମଲା ସବୁଥିରେ ବନ ବିଭାଗ ବିଫଳ। ବଡ଼କଥା ହେଉଛି, ଗିରଫ ହେଉଥିବା ଅଭିଯୁକ୍ତ ଆରାମ୍‌ରେ ଜାମିନ୍ ପାଇ ବୁଢ଼ା ହୋଇ ମରିଯାଉଛନ୍ତି ପଛେ, ବନ ବିଭାଗ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିପାରୁନାହାନ୍ତି।

ଅପରପକ୍ଷରେ ଭୁବନେଶ୍ବର ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି, ଗତ କିଛି ମାସ ତଳେ ଧରାହୋଇଥିବା ସାପ ବିଷ ମାମଲାରେ ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଓ କୋଲ୍‌କାତାକୁ ପଠାଯାଇଥିବା ନମୁନାର ପରୀକ୍ଷା ରିପୋର୍ଟ ଆସିନାହିଁ। କୋଭିଡ୍ ପାଇଁ ଅଳ୍ପ କର୍ମଚାରୀରେ ବିଭାଗ ଚଳାଯାଉଥିବାରୁ ଏ ପର୍ଯ୍ୟନ୍ତ ଜବତ ତରଳ ପଦାର୍ଥ ସାପ ବିଷ କି ନୁହେଁ ତା’ ମଧ୍ୟ ଜଣାପଡ଼ିନାହିଁ। ମାମଲା ଏବେ କ୍ରାଇମ୍‌ବ୍ରାଞ୍ଚ୍ ପାଖରେ ଥିବାରୁ ଘଟଣାର ତଦନ୍ତ ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେହିଭଳି ପିତାପଲ୍ଲୀ ଓ ଖୋର୍ଧାରୁ ଜବତ ୭ଟି ଭାଲୁ ଘଟଣାରେ ଏପର୍ଯ୍ୟନ୍ତ ଚାଲାଣକାରୀଙ୍କ ବିଷୟରେ ବନ ବିଭାଗ ସାମାନ୍ୟ ସୂଚନାଟିଏ ପାଇନାହିଁ। ଯେଉଁଥିପାଇଁ ଅଭିଯୁକ୍ତ ଦୋଷାରୋପ ଦୂରେ ଥାଉ, ଗିରଫ ହେବା ବନ ବିଭାଗ ପାଇଁ କଷ୍ଟପ୍ରଦ ହୋଇପଡ଼ୁଥିବା କୁହାଯାଉଛି। ବନ ବିଭାଗ କର୍ମଚାରୀଙ୍କ ଆଗ୍ରହ, ଇଚ୍ଛାଶକ୍ତିର ଅଭାବ ଓ ଅପାରଗତା ଯୋଗୁଁ ଶିକାରୀମାନେ ବାରମ୍ବାର ଜାମିନ୍‌ରେ ଖସିଆସି ପୁଣି ବନ୍ୟଜନ୍ତୁଙ୍କୁ ମାରୁଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର