ରାସ୍ତାରୁ ଅଳିଆ ଉଠୁନି, ସପ୍ତାହେ ହେଲା ମେକାନିକାଲ ସୁଇପିଂ ବନ୍ଦ

ଭୁବନେଶ୍ବର: ରାଜଧାନୀରେ ମେକାନିକାଲ୍ ସୁଇପିଂ ଆରମ୍ଭ ହେବା ଦିନରୁ ବିବାଦ ଏହା ପିଛା ଛାଡ଼ୁନି। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏବେ ରାଜଧାନୀରେ ମେକାନିକାଲ୍‌ ବ୍ୟବସ୍ଥା ଦ୍ବାରା ଲୋକ ଯେତିକି ଉପକୃତ ହେବା କଥା ହୋଇପାରୁନାହାନ୍ତି। ମେକାନିକାଲ୍ ସୁଇପିଂର ପ୍ୟାକେଜ୍-୧ ନେଇଥିବା ଏମ୍‌ଏସ୍‌ ପ୍ରୋ ପାୱାର ସୁଇପର୍‌ସ ପ୍ରାଇଭେଟ୍‌ ଲିମିଟେଡ ଏବଂ ଏମ୍‌ଏସ୍‌ ଲାୟନ୍ ସର୍ଭିସେସ୍ ପ୍ରାଇଭେଟ୍‌ ଲିମିଟେଡ ବାରମ୍ବାର କାର୍ଯ୍ୟ ବନ୍ଦ କରୁଥିବାରୁ ରାଜଧାନୀର ପ୍ରମୁଖ ୩୭କିମି ରାସ୍ତାରେ ଏବେ ଦିନ ଦିନ ଧରି ଅଳିଆ ଗଦା ହୋଇ ରହୁଛି।

ସପ୍ତାହେ ହେଲା ଏହି ସଂସ୍ଥା ରାଜଧାନୀର ୩୭କିମି ରାସ୍ତାରେ ସଫେଇ ବନ୍ଦ କରିଦେଇଥିବାରୁ ବିଦ୍ୟୁତ ମାର୍ଗ ସମେତ ରାଜଧାନୀର ପ୍ରମୁଖ ଅଞ୍ଚଳରେ ରାସ୍ତା ଉପରେ ଆବର୍ଜନା ଗଦା ହୋଇ ରହିଛି। ହଠାତ୍ ମେକାନିକାଲ୍‌ ସୁଇପିଂ ବନ୍ଦ ହେବା ନୂଆ କଥା ନୁହେଁ। ଏହାପୂର୍ବରୁ ଦୁଇ ଥର ଏହିଭଳି ଲାୟନ୍ସ ସଂସ୍ଥା ସଫେଇ ବନ୍ଦ କରିଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଏବେ ସଂସ୍ଥା ମନଇଚ୍ଛା ସଫେଇ ବନ୍ଦ କରିଦେଇଛି। ସଂସ୍ଥାର ଯୁକ୍ତି ଯେ, ବିଏମ୍‌ସି କର୍ତ୍ତୃପକ୍ଷ ମାସକୁ ମାସ ଚୁକ୍ତି ଅନୁଯାୟୀ ଟଙ୍କା ଦେଉନାହାନ୍ତି। ବିନା ଟଙ୍କାରେ ଗାଡ଼ି ଚଲାଇବା ସମ୍ଭବ ନଥିବାରୁ ଆମେ ସଫେଇ ବନ୍ଦ କରୁଛୁ। ଏନେଇ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ବିଏମ୍‌ସି କମିସନର ଆଜି ସଫେଇ ସଂସ୍ଥାକୁ ସମସ୍ୟାର ସମାଧାନ କରିଛନ୍ତି। ଆଜି ରାତିରୁ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର