ଅଳିଆ ନ ଥିଲା, ଗାଡ଼ି ବୁଲୁଥିଲା : ଲକ୍‌ଡାଉନ୍‌ରେ ବି ରାସ୍ତା ସଫା କରିବାକୁ ୩୦ଲକ୍ଷ

ପୁରୀ ବାଇପାସ୍‌ କାହିଁକି ସଫା ହେଉନି? ଅଧା ରାସ୍ତା ବାଲିରେ ପୋତି ହୋଇଗଲାଣି

ଭୁବନେଶ୍ବର : କରୋନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଘୋଷଣା କଲେ। ପ୍ରାୟ ମାସେ କାଳ ରାଜଧାନୀରେ ଗାଡ଼ି ଚଳାଚଳ ପ୍ରାୟତଃ ବନ୍ଦ ହୋଇଗଲା। ଏପରିକି ଅଧିକାଂଶ ଲୋକ ଘରୁ ବାହାରିଲେନି। ଯିଏ ବାହାରିଲେ, ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରକୁ ଫେରିଲେ। ପ୍ରାୟ ୧ମାସ ନିର୍ମାଣ କାମ ବନ୍ଦ ରହିବାରୁ ଅଧିକାଂଶ ରାସ୍ତାରେ ବାଲି ଟ୍ରକ୍‌ କି କୌଣସି ଭାରୀଯାନ ବି ଗଡ଼ିଲାନି। ହେଲେ ବିଏମ୍‌ସିର ଯାନ୍ତ୍ରିକ ସଫେଇ ବନ୍ଦ ହେଲାନି। ରାସ୍ତାରେ ଅଳିଆ କି ବାଲି ନଥିଲା। ଭୁବନେଶ୍ବରର ପ୍ରଦୂଷଣ କମି ଯାଇଥିବାରୁ ଧୂଳି ବି ନ ଥିବାର ପ୍ରମାଣ ଥିଲା। କିନ୍ତୁ ଯାନ୍ତ୍ରିକ ସଫେଇ ଗାଡ଼ି ଚକ୍କର କାଟୁଥିଲା। ଏପରିକି ଜା‌ତୀୟ ରାଜପଥ ପୂରା ଖାଁ ଖାଁ ଥିବା ସମୟରେ ପ୍ରତି ରାତିରେ ଯାନ୍ତ୍ରିକ ସଫେଇ ହେଉଥିଲା।

ରାସ୍ତାରେ ଅଳିଆ ଥିଲା ନା ବିଏମ୍‌ସି ଟଙ୍କା ଦେବା ପାଇଁ ରାସ୍ତା ସଫା କରୁଥିଲା, ତାହା ଯେ କେହି ବି ବିଏମ୍‌ସି ଟୁଇଟ୍‌ ଦେଖିଲେ ଜାଣିପାରିବେ। ରାସ୍ତାରେ ଧୂଳି ନଥିଲା କି ଅଳିଆ ନଥିଲା, କିନ୍ତୁ କେମିତି ଯାନ୍ତ୍ରିକ ସଫେଇ ଗାଡ଼ି ରାସ୍ତାରେ ଗଡ଼ୁଛି, ଜିପିଏସ୍‌ ଟ୍ରାକିଂ ହେଉଛି, ତାହା ବିଏମ୍‌ସି ନିଜ ଟୁଇଟର୍‌ରେ ଅପଲୋଡ୍‌ କରିଛି। ଏପରିକି ଲକ୍‌ଡାଉନ୍‌ର ପ୍ରଥମ ମାସକରେ ରାଜଧାନୀରେ ଯାନ୍ତ୍ରିକ ସଫେଇ ପାଇଁ ୩୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଦେଲେ।

ଯଦି ଯାନ୍ତ୍ରିକ ସଫେଇ କରି ସଫେଇ ସଂସ୍ଥାକୁ ଟଙ୍କା ଦେବାର ଥିଲା, ତେବେ ରାଜଧାନୀର ବିଭିନ୍ନ ରାସ୍ତାରେ ପାଳି କରି ଗାଡ଼ି ଚଲାଇ ପାରିଥାନ୍ତେ। ଯେଉଁ ରାସ୍ତାରେ ବାଲି ଜମୁଥିବାରୁ ଦୁର୍ଘଟଣା ହେଉଛି, ସେଠାରୁ ବାଲି ଉଠାଇ ପାରିଥାନ୍ତେ। କିନ୍ତୁ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ମୁଣ୍ଡରେ ଏହା ଜୁଟିଲାନି। ଯାନ୍ତ୍ରିକ ସଫେଇ ନାଁରେ ଗାଡ଼ି ସାଇଡ୍‌ ବ୍ରସ୍‌ ଓ ଆଗ ବ୍ରସ୍‌ ଟେକି ଘଣ୍ଟା ପିଛା ୧୫ରୁ ୨୦ କିମି ବେଗରେ ରାସ୍ତାରେ ଚାଲିଲେ। ବିଏମ୍‌ସିରୁ ଟଙ୍କା ଅଗ୍ରିମ ନେବା ପାଇଁ ଆବେଦନ କରିଦେଲେ। ଏବେ ଟଙ୍କା ଦେବା ପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ଲକ୍‌ଡାଉନ୍‌ କଡ଼ାକଡ଼ି ହେବା ସମୟରେ ଓ ସଟ୍‌ଡାଉନ୍‌ ସମୟରେ ରାସ୍ତାରେ ଅଳିଆ କି ବାଲି ନଥିବାରୁ ଯାନ୍ତ୍ରିକ ସଫେଇ ଗାଡ଼ି ବ୍ରସ୍‌ ଟେକି ଯାଉଥିଲେ। ମଝିରେ ମଝିରେ ରାସ୍ତାରେ ବ୍ରସ୍‌ ମାରି‌ ଦେଉଥିଲେ। କିନ୍ତୁ ଏହା ଜଗିବାକୁ କେହି ନଥିଲେ। ଜିପିଏସ୍‌ ଟ୍ରାକିଂ ଦେଖି ଟଙ୍କା ଦେଉଥିବା ବାବୁମାନଙ୍କ ନିକଟରେ ରାସ୍ତା‌ କେତେ ଅପରିଷ୍କାର ଥିଲା, କେତେ ସଫା ହେଲା, ଦେଖିବାକୁ ସମୟ ନଥିଲା ବୋଧେ।

ପୁରୀ ବାଇପାସ୍‌ କାହିଁକି ସଫା ହେଉନି? ଅଧା ରାସ୍ତା ବାଲିରେ ପୋତି ହୋଇଗଲାଣି
ଭୁବନେଶ୍ବର : ଜାତୀୟ ରାଜପଥ-୧୬କୁ ନିୟମିତ ସଫା କରିବା ଦାୟିତ୍ବ ଜାତୀୟ ରାଜପଥ (ଏନ୍‌ଏଚ୍‌ଏଆଇ) କର୍ତ୍ତୃପକ୍ଷଙ୍କର। ଏଥିପାଇଁ ଏକ ସଂସ୍ଥାକୁ ବି ଏନ୍‌ଏଚ୍‌ଏଆଇ ନିୟୋଜିତ କରିଛି। କିନ୍ତୁ ବିଏମ୍‌ସି ଉପ‌ରେ ପଡ଼ି କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଫା କରୁଛି। ଏପଟେ ଜାତୀୟ ରାଜପଥ ୩୧୬ରେ ବାଲି ଅଧା ରାସ୍ତା ପୋତି ପକାଇଥିବା ବେଳେ ଏହାକୁ ବିଏମ୍‌ସି ସଫା କରିପାରୁନି। ଫଳରେ ପ୍ରତିଦିନ ପୁରୀ ବାଇପାସ୍‌ (ହାଇଟେକ୍‌ ଛକରୁ ଦୟା ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା‌)ରେ ଦୁର୍ଘଟଣା ଘଟୁଛି। ବାଲି ଏଠାରେ ମରଣଯନ୍ତା ବିଛାଇଛି। ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ପୁରୀ ବାଇପାସ୍‌ ବିଏମ୍‌ସି ଅଞ୍ଚଳରେ ଯାଉନି। ତେଣୁ ଏହି ରାସ୍ତା ସଫା ହେଉନି। ଯଦି ପୁରୀ ବାଇପାସ୍‌ ବିଏମ୍‌ସି ଅଧୀନରେ ଯାଉନି, ତେବେ ପଳାସୁଣିରୁ ଖଣ୍ଡଗିରି ପର୍ଯ୍ୟନ୍ତ ରାସ୍ତା ବିଏମ୍‌ସି ଅଧୀନରେ ନଥାଇ ବି କାହିଁକି ସଫା ହେଉଛି। ଯେଉଁ ସ୍ବାର୍ଥରେ ବିଏମ୍‌ସି ଏନ୍‌ଏଚ୍‌-୧୬ ସଫା କରୁଛି, ସେହି ସ୍ବାର୍ଥ କ’ଣ ଏନ୍‌ଏଚ୍‌-୩୧୬ରେ ହାସଲ ହେବନି। ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ ବିଏମ୍‌ସି ଆମକୁ ଏହି ରାସ୍ତା ସଫା କରିବାକୁ କିଛି କହିନି। ଆମେ ଏହି ରାସ୍ତା ସଫା କରିବୁ। କରୋନା ପାଇଁ ସବୁ କାମ ଧିମେଇ ଯାଇଥିଲା। ଏବେ ଏନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବୁ।

ସମ୍ବନ୍ଧିତ ଖବର