ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ : କାହା ଭାଗରେ କେତେ?

ନିଜ ଅଞ୍ଚଳକୁ ଛାଡ଼ି ଏନଏଚ୍‌ ସଫେଇରେ ମାତିଛି ବିଏମ୍‌ସି
ଏନ୍‌ଏଚ୍‌ଏଆଇ କହୁଛି ଆମେ ସଫା କରୁଛୁ, ବିଏମ୍‌ସି କୋଟି କୋଟି ଗଣୁଛି

ଭୁବନେଶ୍ୱର,(ବିଶ୍ୱଜିତ ଦାଶ): ବିଏମ୍‌ସି ଅଧୀନ ଭୁବନେଶ୍ବର ଦେଇ କିଛି ଜାତୀୟ ରାଜପଥ ଯାଇଛି। ଏହା ୧୬ ନମ୍ବର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ରହିଛି। କିନ୍ତୁ ବିଏମ୍‌ସି ପ୍ରତି ରାତିରେ ଯାନ୍ତ୍ରିକ ସଫେଇ ଗାଡ଼ି ଗଡ଼ାଇ ସଫେଇ ନାଁରେ ୨୮୫୦୦ ଟଙ୍କା ଲେଖାଏ ଖର୍ଚ୍ଚ କରୁଛି। କେବଳ ପଳାସୁଣିରୁ ବରମୁଣ୍ଡା କାଳୀ ମନ୍ଦିର ପର୍ଯ୍ୟନ୍ତ ଫ୍ଲାଏଓଭର ସଫେଇ କରି ଦେଢ଼ ବର୍ଷରେ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରିସାରିଲାଣି ବୋଲି ବିଏମ୍‌ସିର ରେକର୍ଡ କହୁଛି। କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହୁଛନ୍ତି ଯେ, ଜାତୀୟ ରାଜପଥ ଆମେ ସଫା କରୁଛୁ।

ଏଠାରେ ପ୍ରଶ୍ନ ଉଠୁଛି ଯଦି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ଦେଇ ଯାଇଥିବା ଫ୍ଲାଏଓଭରକୁ ସଫା କରୁଛନ୍ତି, ତେବେ ବିଏମ୍‌ସି କର୍ତ୍ତୃପକ୍ଷ କେଉଁ ହିସାବରେ ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥାକୁ ଦେଢ ବର୍ଷରେ ପ୍ରାୟ ଦେଢ଼ କୋଟି ଟଙ୍କା ଅଗ୍ରିମ ଆକାରରେ ଦେଇଛନ୍ତି।

ରାଜଧାନୀ ରାସ୍ତାଘାଟ ସଫେଇ କରିବା କାମ ବିଏମ୍‌ସିର। ଜାତୀୟ ରାଜପଥ ସଫେଇ କରିବା କାମ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। କିନ୍ତୁ ବିଏମ୍‌ସି ରାଜଧାନୀ ରାସ୍ତାଘାଟକୁ ଛାଡ଼ି ଏବେ ଜାତୀୟ ରାଜପଥକୁ ଅଧିକ ଫୋକସ୍‌ କରୁଛି। ଏଠାରେ ସଫେଇ କମ୍‌, ବିଲ୍‌ ଅଧିକ ହେଉଥିବାରୁ ବିଏମ୍‌ସି ନିଜ ଅଞ୍ଚଳ ଛାଡ଼ି ଜାତୀୟ ରାଜପଥ ସଫେଇରେ ମାତିଛି ବା ଆଗ୍ରହ ଦେଖାଉଛି। ଜାତୀୟ ରାଜପଥ ସଫେଇ ନେଇ ବିଏମ୍‌ସି କର୍ତ୍ତୃପକ୍ଷ ଏନ୍‌ଏଚ୍‌ଏଆଇକୁ କିଛି ଜଣାଇ ନାହାନ୍ତି। ଏନେଇ ବି କିଛି ଅନୁମତି ଆଣି ନାହାନ୍ତି। କିନ୍ତୁ କିଛି ଅଧିକାରୀ ନିଜ ଇଚ୍ଛାରେ ଜାତୀୟ ରାଜପଥ (ଏନ୍‌ଏଚ୍‌) ସଫେଇ କରିବାରେ ଲାଗିପଡ଼ିଛନ୍ତି। ଏନ୍‌ଏଚ୍‌ ସଫେଇ ଦାୟିତ୍ବ ତାଙ୍କର ନୁହେଁ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଜାଣିବା ପରେ ବି ଚୁପ୍‌ ବସିଛନ୍ତି। ତେବେ ଏଠ‌ାରେ ପ୍ରଶ୍ନ ଉଠୁଛି, କାହାର ସ୍ବାର୍ଥ ପାଇଁ ସମସ୍ତେ ଏହି ମହାଦୁର୍ନୀତିକୁ ଚାପି ବସିଛନ୍ତି।

କେବଳ ଏତିକି ନୁହେଁ, ଅଡିଟ୍‌ ସମୟରେ ଏହା ଯେପରି ଜଣା ନ ପଡ଼ିବ ସେ ନେଇ ପୂରା ବନ୍ଦୋବସ୍ତ ବି କରାଯାଇଥିବା ପରି ମନେ ହେଉଛି। ଯେଉଁଥି ପାଇଁ ଯାନ୍ତ୍ରିକ ସଫେଇ ଆରମ୍ଭ ହେବା ପରେ ବିଏମ୍‌ସିରେ ଏନେଇ ଅଡିଟ୍‌ ହୋଇଥିଲେ ହେଁ ସମସ୍ତେ ଚୁପ୍‌ ବସିଛନ୍ତି ବା ଚାପି ଦେବାକୁ ଉଦ୍ୟମ କରିଛନ୍ତି।

ଅପରପକ୍ଷେ ଏନେଇ ଏନ୍‌ଏଚ୍‌ଏଆଇର ମହାପ୍ରବନ୍ଧକ (ଓଡ଼ିଶା ମୁଖ୍ୟ) ଆର୍‌.ପି ପଣ୍ଡା କହିଛନ୍ତି ଯେ, ଏନ୍‌ଏଚ୍‌ ସଫା କରିବାକୁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ୱେଜ୍ ପ୍ରାଇଭେଟ୍ ଲିମିଟେଡ (ଏସ୍‌ଜେଇପିଏଲ୍‌) ସଂସ୍ଥାକୁ ଦାୟିତ୍ବ ଦେଇଛୁ। ଏହି ସଂସ୍ଥା ବରମୁଣ୍ଡା କାଳୀମନ୍ଦିର ଠାରୁ ଚଣ୍ଡୀଖୋଲ ପର୍ଯ୍ୟନ୍ତ ରାସ୍ତା, ଓଭରବ୍ରିଜ୍‌ ନିର୍ମାଣ କରିଥିବାରୁ ଏହାର ରକ୍ଷଣାବେକ୍ଷଣ କରିବା ଏବଂ ନିୟମିତ ସଫେଇ କରିବା ଦାୟିତ୍ବ ଏସ୍‌ଜେଇପିଏଲ୍‌କୁ ଦେଇଛୁ। ବୁସ୍‌ କଟିଂ ସହ ରାସ୍ତା, ମେଡିଆନ୍‌ ସଫା କରିବା ଦାୟିତ୍ବ ବି ଏହି ସଂସ୍ଥା ଉପରେ ନି‌ୟୋଜିତ ରହିଛି। ଏଥିପାଇଁ ଏହି ସଂସ୍ଥା ଜାତୀୟ ରାଜପଥ ନିର୍ମାଣ ସମୟରେ ଅର୍ଥ ପାଇଛି। ଏବେ ଆମେ ରାସ୍ତା ସଫା ନେଇ ସମୀକ୍ଷା କଲା ବେଳେ ଉକ୍ତ ସଂସ୍ଥା ଭୁବନେଶ୍ବରରେ ବି ରାସ୍ତା ସଫା କରୁଛି ବୋଲି କହୁଛି। ଆମର ରାସ୍ତା ସଫା ହେବା ଦରକାର। ରାସ୍ତା ବି ସଫା ହେଉଛି। ବିଏମ୍‌ସି ଆମ ରାସ୍ତା କାହିଁକି ସଫା କରୁଛି ଆମେ ଜାଣିନୁ। ଏନେଇ ଆମକୁ କେହି ପଚାରି ନାହାନ୍ତି କି ଅନୁମତି ବି ନେଇନାହାନ୍ତି। ଆମେ ଏସ୍‌ଜେଇପିଏଲ୍‌କୁ ଟଙ୍କା ଦେଇ ସାରିଥିବାରୁ ସେ ହିଁ ରାସ୍ତା ସଫା କରୁଛି ବୋଲି ଜାଣିଛୁ।

ଅପରପକ୍ଷେ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜାତୀୟ ରାଜପଥର ଦୁଇ କଡ଼ରେ ବାଲି ଜମା ହେଉଥିବାରୁ ଏବଂ ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବାରୁ ଅକ୍ଟୋବର, ୨୦୧୮ରେ ହକି ବିଶ୍ବକପ୍‌ ପୂର୍ବରୁ ବିଏମ୍‌ସି ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ ଆରମ୍ଭ କରିଥିଲା। ଏଥିରେ ପଳାସୁଣିରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ (ଫ୍ଲାଏଓଭର ଉପରେ) ପ୍ରାୟ ୧୩କିମି ରାସ୍ତାରେ (୫୨କିମି ଲେନ୍‌ ରାସ୍ତା) ସଫେଇ ଆରମ୍ଭ ହୋଇଥିଲା। ଏବେ ଏହା ଚାଲିଛି। ଆମେ ଜିପିଏସ୍‌ ମାଧ୍ୟମରେ ଟ୍ରାକିଂ କରି ଯେଉଁ ଗାଡ଼ି ଯେତେ କିମି ସଫା କରୁଛି ସେହି ଅନୁଯାୟୀ ଅର୍ଥ ଦେଉଛୁ। ତେଣୁ ଅଧିକ କାହାକୁ ଦିଆଯାଉନି କି ଦୁର୍ନୀତି ହେଉନି।

ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତା ସଫା ଓ ବୁସ୍‌ କଟିଙ୍ଗ୍‌ ପାଇଁ ଅର୍ଥ ଦେଇ ସାରିଥିବା ବେଳେ ବିଏମ୍‌ସି କାହିଁକି ଏଥିପାଇଁ କୋଟି କୋଟି ଗଣୁଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ପ୍ରତି ୧କିମି ଲେନ୍ ରାସ୍ତା ଯାନ୍ତ୍ରିକ ସଫେଇ ଏବଂ ଜାତୀୟ ରାଜପଥରେ ଏହି ଅଞ୍ଚଳରେ ବୁସ୍‌ କଟିଙ୍ଗ୍‌ ଆଦି ପାଇଁ ବିଏମ୍‌ସି ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥାକୁ ୫୪୮ଟଙ୍କା ହିସାବରେ ଦେଉଛି। ଏହିପରି ଦିନକୁ ୨୮୫୦୦ ଟଙ୍କା ହିସାବରେ ଦେଢ ବର୍ଷରେ ପ୍ରାୟ ଦେଢ଼ କୋଟି ଟଙ୍କା ଦେଇସାରିଲେଣି।

ଏନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ‌ଚୌଧରୀଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତା ପାଇଁ ସହରକୁ ଦୁଇ ଭାଗରେ ବିଭକ୍ତ କରିହେବନି। ଜାତୀୟ ରାଜପଥ ବି ଆମେ ସଫା କରିବା କଥା ତେଣୁ କରୁଛୁ।

ବିଏମ୍‌ସି କମିସନରଙ୍କ ଏହି ଉତ୍ତରରୁ ସ୍ପଷ୍ଟ ଥିଲା ଯେ, ବିଏମ୍‌ସି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ତାଙ୍କ କାମ କରିବାକୁ ଅନୁରୋଧ କରିପାରିବନି କି ତାଗିଦ୍‌ କରିପାରିବନି। ବିଏମ୍‌ସିର ଏହି ଅପାରଗତାର ଫାଇଦା ନେଇ ଏସ୍‌ଜେଇପିଏଲ୍ ମାଲାମାଲ୍‌ ହେଉଛି ଏବଂ ବିଏମ୍‌ସି ଅକାରଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି। ଯଦି ବିଏମ୍‌ସି ଜାତୀୟ ରାଜପଥ ସଫା କରିପାରୁଛି ତେବେ ଜାତୀୟ ରାଜପଥ କଡ଼ର ଡ୍ରେନ୍‌ ବି କରିପାରନ୍ତା। ଯଦି ଏତିକି ହୁଅନ୍ତା ତେବେ ରାଜଧାନୀରେ ଜଳବନ୍ଦୀ ସମସ୍ୟା କିଛି ମାତ୍ରାରେ କମିପାରନ୍ତା। ହେଲେ ସେ ବେଳକୁ ବିଏମ୍‌ସିର ଅର୍ଥ ନାହିଁ ବୋଲି କୁହାଯାଉଛି।

କେବଳ ଏତିକି ନୁହେଁ, ଜାତୀୟ ରାଜପଥରେ ବିଏମ୍‌ସି ଯାନ୍ତ୍ରିକ ସଫେଇ କରୁଥିଲେ ହେଁ ବିଏମ୍‌ସି ଅଧୀନରେ ଥିବା ଜାତୀୟ ରାଜପଥରେ ଏବେ ବି ବାଲି ବିଛେଇ ହୋଇ ପଡ଼ିଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ହେଲେ ଜିପିଏସ୍‌ ଟ୍ରାକିଂ କରି ଅର୍ଥ ଦେଉଥିବା ବିଏମ୍‌ସି ରାସ୍ତା କେମିତି ସଫା ହେଉଛି, କେଉଁ କେଉଁ ରାସ୍ତା ସଫା ହେବା ଦରକାର ତାହା ବି ଯାଞ୍ଚ କରିବା କଥା। କିନ୍ତୁ ତାହା କରୁନି। ଫଳରେ ବିଏମ୍‌ସି ଅଯଥାରେ କୋଟି କୋଟି ଟଙ୍କା ଗଣୁଥିଲେ ବି କାମ ଠିକ୍‌ ହେଉଛି କି ନାହିଁ ଯାଞ୍ଚ ହେଉନି।

ସମ୍ବନ୍ଧିତ ଖବର