ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ କାମ ବିଏମ୍‌ସି କରୁଛି : ଏନ୍‌ଏଚ୍‌ ସଫା କରିବାକୁ ବର୍ଷକୁ କୋଟିଏ, ଦିନକୁ ଖର୍ଚ୍ଚ ‌ହେଉଛି ୨୮,୫୦୦ ଟଙ୍କା

ସହର ଭିତର ଚିନ୍ତା ନାହିଁ, ଜାତୀୟ ରାଜପଥରେ ମାତିଛନ୍ତି
ଏସ୍‌ଜେଇପିଏଲ୍‌, ଏନ୍‌ଏଚ୍ କର୍ତ୍ତୃପକ୍ଷ ସଫା କରିବା କଥା

ଭୁବନେଶ୍ବର : ରାଜଧାନୀ ରାସ୍ତାଘାଟ ସଫେଇ କରିବା କାମ ବିଏମ୍‌ସିର। ଜାତୀୟ ରାଜପଥ ସଫେଇ କରିବା କାମ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର। କିନ୍ତୁ ବିଏମ୍‌ସି ରାଜଧାନୀ ରାସ୍ତାଘାଟକୁ ଛାଡ଼ି ଏବେ ଜାତୀୟ ରାଜପଥକୁ ଅଧିକ ଗୁରୁତ୍ବ ଦେଉଛି। ଏଠାରେ ସଫେଇ କମ୍‌ ଅଧିକ ସଫେଇ ବିଲ୍‌ ହେଉଥିବାରୁ ବିଏମ୍‌ସି ନିଜ ଅଞ୍ଚଳ ଛାଡ଼ି ଜାତୀୟ ରାଜପଥ ସଫେଇରେ ମାତିଛି। ତାହା ପୁଣି ଦିନକୁ ପ୍ରାୟ ୨୮,୫୦୦ଟଙ୍କା ହିସାବରେ ବର୍ଷକୁ କୋଟିଏ ଟଙ୍କା ଖର୍ଚ୍ଚ କରୁଛି। ଯେତେବେଳେ କି ନିୟମ କହୁଛି ଯେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିୟମିତ ବ୍ୟବଧାନରେ ସଫେଇ କରିବେ। ସ୍ବଚ୍ଛ ଭାରତ ଗାଇଡଲାଇନ୍ ଅନୁଯାୟୀ, ବିଏମ୍‌ସି କଦବା କ୍ବଚିତ ଜାତୀୟ ରାଜପଥ ସଫା କରିବ। ହେଲେ ବିଏମ୍‌ସି ସବୁଦିନ ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ କରୁଛି।

ରାଜଧାନୀର ପ୍ରମୁଖ ୮୦ କିମି ରାସ୍ତାରେ ବିଏମ୍‌ସି ପକ୍ଷରୁ ଯାନ୍ତ୍ରିକ ସଫେଇ ହେଉଛି। ରାଜଧାନୀର ସମସ୍ତ ଚାରିଥାକିଆ ରାସ୍ତାରେ ସଫେଇ ହେଉଥିବାରୁ ୩୨୦ କିମି ଲେନ୍ ରାସ୍ତାରେ ସଫେଇ ହେଉଛି। ପ୍ରୋ-ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥା ଚନ୍ଦ୍ରଶେଖରପୁର ଅଞ୍ଚଳ ସମେତ ଜାତୀୟ ରାଜପଥ ସ‌େଫଇ କରୁଥିବା ବେଳେ ରାଜଧାନୀର ଅନ୍ୟ ପ୍ରମୁଖ ରାସ୍ତାରେ ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍ ଯାନ୍ତ୍ରିକ ସଫେଇ କରୁଛି।

ଜାତୀୟ ରାଜପଥର ଦୁଇ କଡ଼ରେ ବାଲି ଜମା ହେଉଥିବାରୁ ଏବଂ ଏଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାରୁ ଅକ୍ଟୋବର, ୨୦୧୮ରେ ହକି ବିଶ୍ବକପ୍‌ ପୂର୍ବରୁ ବିଏମ୍‌ସି ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ ଆରମ୍ଭ କରିଥିଲା। ଏଥିରେ ପଳାସୁଣିରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥରେ (ଫ୍ଲାଏଓଭର ଉପରେ) ପ୍ରାୟ ୧୩ କିମି ରାସ୍ତାରେ (୫୨କିମି ଲେନ୍‌ ରାସ୍ତା) ସଫେଇ ଆରମ୍ଭ ହୋଇଥିଲା। ପ୍ରତି ୧ କିମି ଲେନ୍ ରାସ୍ତା ଯାନ୍ତ୍ରିକ ସଫେଇ ଏବଂ ଜାତୀୟ ରାଜପଥରେ ଏହି ଅଞ୍ଚଳରେ ବୁସ୍‌ କଟିଙ୍ଗ୍‌ ଆଦି ପାଇଁ ବିଏମ୍‌ସି ପ୍ରୋ ପାଵାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥାକୁ ୫୪୮ ଟଙ୍କା ହିସାବରେ ଦେଉଛି। ଏହିପରି ଦିନକୁ ୨୮୫୦୦ ଟଙ୍କା ହିସାବରେ ବର୍ଷକୁ ୧କୋଟି ୪ଲକ୍ଷ ଟଙ୍କା କେବଳ ଜାତୀୟ ରାଜପଥ ସଫେଇ ପାଇଁ ଗଣୁଛି।

ଜାତୀୟ ରାଜପଥରେ ବହୁ ଭାରୀଯାନ ଯାଉଥିବାରୁ ଏବଂ ବହୁ ଗାଡ଼ି ଯାତାୟାତ କରୁଥିବାରୁ ଏହାର ଗତି ଯୋଗୁଁ ରାସ୍ତାରେ ବାଲି କି କୌଣସି ଅଳିଆ ରୁହେନି ବୋଲି ଇଞ୍ଜିନିୟରିଂ ପାଠ କହୁଛି। ହେଲେ ବିଏମ୍‌ସିର ବାବୁମାନେ ପରିଷ୍କାର ରାସ୍ତାରେ ଗାଡ଼ି ବୁଲାଇ ଘରୋଇ ସଂସ୍ଥାକୁ ବର୍ଷକରେ କୋଟିଏ ଟଙ୍କା ଦେଇସାରିଲେଣି। ରାଜଧାନୀର ପରିମଳ ବ୍ୟବସ୍ଥା ସୁଧାରି ପାରୁ ନ ଥିବା ବିଏମ୍‌ସି କାହା ସ୍ବାର୍ଥରେ ବର୍ଷକୁ ଅଯଥାରେ କୋଟିଏ ଟଙ୍କା ଖର୍ଚ୍ଚ କଲାଣି ବୋଲି ପ୍ରଶ୍ନ ଉଠିଲାଣି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ଦେଇ ଯାଇଥିବା ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ବ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ୱେଜ୍ ପ୍ରାଇ‌ଭେଟ୍‌ ଲିମିଟେଡ୍‌ (ଏସ୍‌ଜେଇପିଏଲ୍‌) ସଂସ୍ଥାକୁ ଦେଇଛନ୍ତି। ଏହି ସଂସ୍ଥା‌ କିନ୍ତୁ ଭୁବନେଶ୍ବର ଦେଇ ଯାଇଥିବା ରାଜପଥରେ ସଫେଇ କରୁନି କି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନେଇ କିଛି କରୁନାହାନ୍ତି। ଏପରିକି ବିଏମ୍‌ସି ଏନେଇ ନିକଟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଅବଗତ ବି କରୁନି। ନିଜ ରାଜକୋଷରୁ ମାସକୁ ମାସ ପାଣି ବୁହାଇଲା ଭଳି ଲକ୍ଷ ଲକ୍ଷ ଟଙ୍କା ଦେଇ ଚାଲିଛି।

ବିଏମ୍‌ସି ରାଜଧାନୀରେ ପରିମଳ ବ୍ୟବସ୍ଥା ସଜାଡ଼ି ପାରୁନି। ସଫେଇ ସଂସ୍ଥାକୁ ଅଳିଆ ଉଠା ବାବଦକୁ (ଏସ୍କାଲେସନ୍ ଫି’) ନିୟମ ମୁତାବକ ଦେଉ ନ ଥିବାରୁ ସଫେଇ ସଂସ୍ଥା ମନଇଚ୍ଛା ଅଳିଆ ଉଠାଉଛନ୍ତି। ଦିନ ଦିନ ଧରି ଅଳିଆ ଉଠୁନି। ସଫେଇ କର୍ମଚାରୀଙ୍କ ଦରମା ବଢ଼ୁ ନ ଥିବାରୁ ସେମାନେ ମନଇଚ୍ଛା କାମ ବନ୍ଦ କରିଦେଉଛନ୍ତି। ବିଏମ୍‌ସି ଏହାର ସମାଧାନ ନକରି, ରାଜଧାନୀର ଗଳିକନ୍ଦିକୁ ପରିଷ୍କାର ପରିଛନ୍ନ ରଖିବା ନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନନେଇ ପରିଷ୍କାର ପରିଛନ୍ନ ରହୁଥିବା ଜାତୀୟ ରାଜପଥରେ ଗାଡ଼ି ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଗଣୁଛି।

ଜାତୀୟ ରାଜପଥ ସ‌ଫା ନ କରିବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଏମ୍‌ସିକୁ ଆମେ ରାସ୍ତା ସଫେଇ ପାଇଁ କହିନୁ। ସେମାନେ ତାଙ୍କ ଇଚ୍ଛାରେ କରୁଛନ୍ତି। ଆମେ ନିୟମ ଅନୁଯାୟୀ ନିୟମିତ ବ୍ୟବଧାନରେ ରାସ୍ତାକଡ଼ରୁ ବାଲି ଉଠାଇବା ସହ ବୁସ୍‌ କଟିଙ୍ଗ୍‌ କରୁଛୁ।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ ପାଇଁ ହକି ବିଶ୍ବକପ୍‌ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏହି ରାସ୍ତା ସବୁଦିନ ସଫା ହେବାର ନିୟମ ନାହିଁ। କିନ୍ତୁ ଆମେ ଯେ‌ହେତୁ ଗୋଟିଏ ସଂସ୍ଥାକୁ ଜାତୀୟ ରାଜପଥ ସଫେଇ ପାଇଁ ନିୟୋଜିତ କରିଛୁ, ତେଣୁ ସବୁଦିନ ସଫେଇ ହେଉଛି। ଏଥିରେ ବିଏମ୍‌ସିର ବହୁ ରାଜସ୍ବ ଖର୍ଚ୍ଚ ହେଉଛି। ତେଣୁ ଆମେ ଜାତୀୟ ରାଜପଥରେ ଯାନ୍ତ୍ରିକ ସଫେଇ ବନ୍ଦ କରିବୁ ବୋଲି ଭାବୁଛୁ। ଜାତୀୟ ରାଜପଥରେ ଯେପରି ବାଲି ନ ଜମିବ, ସେନେଇ ନିୟମିତ ବ୍ୟବଧାନରେ ସଫେଇ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବୁ।

ସମ୍ବନ୍ଧିତ ଖବର