ଏନ୍‌ଏଚ୍‌ରେ ଯାନ୍ତ୍ରିକ ସଫେଇର ଅସଲ ଚିତ୍ର : ବିଏମ୍‌ସିର ଘରୋଇ ସଂସ୍ଥା ପ୍ରୀତି, ରାସ୍ତାରେ ଗଛ ଉଠିଲାଣି, ଗଦା ହୋଇଛି ବାଲି

ଭୁବନେଶ୍ବର : ଜାତୀୟ ରାଜପଥରେ ବିଏମ୍‌ସି ପକ୍ଷରୁ ହେଉଥିବା ଯାନ୍ତ୍ରିକ ସଫେଇ ବେଆଇନ୍ ହୋଇଥିବା ବେଳେ ଏଠାରେ କିପରି ସଫେଇ ନହୋଇ ଟଙ୍କା ଗଣା ହେଉଛି ତାହାର ଅସଲ ଚିତ୍ର ଦେଖିବାକୁ ମିଳିଛି। ପଳାସୁଣିରୁ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଫ୍ଲାଏଓଭର ଉପରେ ପ୍ରୋ ପାଓ୍ୱାର ସୁଇପି˚ କମ୍ପାନି ଓ ଲାୟନ୍ସ ସର୍ଭିସେସ୍‌ ସଂସ୍ଥା ଯାନ୍ତ୍ରିକ ସଫେଇ କରୁଥିଲେ ହେଁ ଏବେ ରାସ୍ତାରେ ବାଲି ଗଦା ହେବା ସହ ଗଛ ଉଠିଥିବା ଦେଖିବାକୁ ମିଳୁଛି।

ବିଏମ୍‌ସି କର୍ତ୍ତୃପକ୍ଷ ଏହି ସଂସ୍ଥା ଦ୍ବାରା ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ରେ ଜାତୀୟ ରାଜପଥରେ ସଫେଇ କରାଇଥିଲେ ବି ରସୁଲଗଡ଼ ଫ୍ଲାଏଓଭରର ସ୍ଥିତି ଯାହା ଅଛି ତାହା ଗତ ଦୁଇ/ତିନି ମାସ ଭିତରେ ସଫା ହୋଇଥିବା ଭଳି ଦେଖାଯାଉନି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ରେକର୍ଡରେ ସବୁଦିନ ସଫେଇ ହୋଇଛି। ଭୁବନେଶ୍ବର ଅପରେସନ୍ ସେଣ୍ଟରରେ ଜିପିଏସ୍‌ ଟ୍ରାକିଂ କରି ବିଏମ୍‌ସି ସଫେଇ ସଂସ୍ଥାକୁ କିଲୋମିଟର ପିଛା ଟଙ୍କା‌ ଦେଉଥିଲେ ହେଁ ରାସ୍ତାରେ କେତେ ବାଲି, ଆବର୍ଜନା ଅଛି, କେତେ ସଫା ହେଲା ତାହା ନଦେଖି କେବଳ ଟଙ୍କା ଦେବାରେ ଲାଗିଛି। ଦିନକୁ ଯେଉଁ ଜାତୀୟ ରାଜପଥ-୧୬ ସଫା ପାଇଁ ବିଏମ୍‌ସି ୨୮୫୦୦ଟଙ୍କା ଖର୍ଚ୍ଚ କରୁଛି ସେଠାରେ କେବଳ ଯାନ୍ତ୍ରିକ ସଫେଇ ଗାଡ଼ି ବ୍ରସ୍‌ ଟେକି ଚାଲୁଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ଜାଣିପାରୁନାହାନ୍ତି। ଜିପିଏସ୍‌ ଟ୍ରାକିଂରୁ ଜାଣିଲେ ଯେ, ଗାଡ଼ି ଗଡ଼ୁଛି। ଗାଡ଼ି ଗଡ଼ୁଛି ମାନେ ସଫା କରୁଛି। ସେହି ହିସାବରେ ଟଙ୍କା ଦେଇ ଚାଲିଛନ୍ତି।

ଏବେ ରସୁଲଗଡ଼ ଫ୍ଲାଏଓଭରର ରାସ୍ତା ଉପରେ କେବଳ ବାଲି ଗଦା ହୋଇନି। ଏଠାରେ ଘାସ ମାଡ଼ି ଯିବା ସହ ଓସ୍ତ ଓ ଜଙ୍ଗଲି ଗଛ ବି ଉଠିଯାଇଛି। ଗଛର ଉଚ୍ଚତା ଦର୍ଶାଉଛି ଯେ, ଏହା ଦୁଇରୁ ତିନି ମାସ ତଳର। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନଜରରେ ଏହା ପଡ଼ୁନି। ଏପରିକି ରାସ୍ତା ଉପରୁ ଗଛ କାଟିବା, ଘାସ ଚାଞ୍ଛିବା, ଫ୍ଲାଏଓଭର ଉପରୁ ବର ଓ ଓସ୍ତ ଏବଂ ବିଭିନ୍ନ ଜଙ୍ଗଲି ଗଛ କାଟି ସଫା କରିବା କାମ ଏହି ଯାନ୍ତ୍ରିକ ସଫେଇ ନେଇଥିବା ସଂସ୍ଥାର। କିନ୍ତୁ ତାହା ବି ହେଉନି। ବିଏମ୍‌ସି ପରିମଳ ଦାୟିତ୍ବରେ ଥିବା କୌଣସି ଅଧିକାରୀ କି ସାନିଟାରି ଇନ୍ସପେକ୍ଟରଙ୍କ ନଜରରେ ବି ଏହା ନପଡ଼ିବା ସେମାନଙ୍କ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରୁଛି।

କେବଳ ଏତିକି ନୁହେଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କହୁଛନ୍ତି ଯେ, ଏସ୍‌ଜେଇପିଏଲ୍‌ ଏନ୍‌ଚ୍-୧୬ ସଫା କରୁଛି। ଏହି ସଂସ୍ଥା ନିୟମିତ ବୁସ୍‌ କଟିଙ୍ଗ୍‌ ସହ ବାଲି କାଢ଼ୁଛି। ହେଲେ ରସୁଲଗଡ଼ ଫ୍ଲାଏଓଭରରେ ଯେଉଁ ଗଛ ଉଠିଛି, ବାଲି ଜମିଛି ତାହା କ’ଣ କାହା ନଜରରେ ପଡ଼ୁନି ବୋଲି ପ୍ରଶ୍ନ ଉଠିଲାଣି।

ସମ୍ବନ୍ଧିତ ଖବର