ଭୁବନେଶ୍ବର: କୋଭିଡ୍ ମୁକାବିଲା ପାଇଁ ୧୫ରୁ ୧୮ବର୍ଷର କିଶୋରଙ୍କ ଟିକାକରଣ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସଫଳତାର ସହିତ ଏହା ସମ୍ପନ୍ନ ହେଲେ ପିଲାଙ୍କୁ ସ୍କୁଲ, କଲେଜ ପଠାଇବା ନେଇ ଅଭିଭାବକଙ୍କ ଚିନ୍ତା ରହିବ ନାହିଁ ଏବଂ ପିଲା ମଧ୍ୟ ସୁରକ୍ଷିତ ରହିବେ। ଏମ୍ସ ଭୁବନେଶ୍ବରର କମ୍ୟୁନିଟି ମେଡିସିନ୍ ବିଭାଗର ଅତିରିକ୍ତ ପ୍ରଫେସର୍ ସ୍ବୟଂପ୍ରଜ୍ଞା ପରିଡ଼ା ଏଭଳି ମତ ରଖିଛନ୍ତି। ସେ କହିଛନ୍ତି, ଜାନୁଆରି ୩ ତାରିଖରୁ ଏମ୍ସରେ ଟିକାକରଣ ଆରମ୍ଭ ହେବ। ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ କିଶୋରଙ୍କୁ ଏବଂ ୩ଟାରେ ବୟସ୍କଙ୍କୁ ଟିକା ଦିଆଯିବ।
୩ଜଣ ଡାକ୍ତର ସ୍ବୟଂପ୍ରଜ୍ଞା, ଅରବିନ୍ଦ ଏବଂ ଅଭିଷେକଙ୍କ ତତ୍ତ୍ବାବଧାନରେ ଟିକାକରଣ କରାଯିବ। ପ୍ରତ୍ୟେକ ଦିନ ଅନ୍ୟୁନ ୪୦୦ ପିଲାଙ୍କୁ ଟିକା ଦିଆଯାଇପାରିବ। ଆସନ୍ତାକାଲିଠାରୁ କୋ-ଓ୍ବିନ୍ରେ ପଞ୍ଜୀକରଣ ଆରମ୍ଭ ହେବ। ପିଲାଙ୍କ ଆଧାରକାର୍ଡ କିମ୍ବା ସ୍କୁଲ ପରିଚୟପତ୍ର ଜରିଆରେ ଅଭିଭାବକ ପଞ୍ଜୀକରଣ କରିପାରିବେ। ୧୮ବର୍ଷରୁ ଊର୍ଧ୍ବଙ୍କ ପାଇଁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ୍ ସମେତ ଆହୁରି ଅନେକ ଟିକାର ସୁବିଧା ରହିଛି।
୧୫ରୁ ୧୮ବର୍ଷୀୟ ପିଲାଙ୍କୁ କେବଳ କୋଭାକ୍ସିନ୍ ଦିଆଯିବ। ପୋଲିଓ, ଡିପିଟି ଭଳି ପିଲାଙ୍କୁ ଦିଆଯାଉଥିବା ଟିକା ଯେଉଁ ମେକାନିଜିମ୍ରେ ତିଆରି ହୋଇଛି, କୋଭାକ୍ସିନ୍ ମଧ୍ୟ ସେହି ମେକାନିଜିମ୍ରେ ତିଆରି ହୋଇଥିବାରୁ ଏହା ପିଲାଙ୍କ ପାଇଁ ସୁରକ୍ଷିତ ବୋଲି ଅତିରିକ୍ତ ପ୍ରଫେସର୍ ସ୍ବୟଂପ୍ରଜ୍ଞା କହିଛନ୍ତି। ବୟସ୍କଙ୍କ ଟିକା ନେବାର ଯେଉଁ ନିୟମ ରହିଛି, ପିଲାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେଉଛି। ସବୁ ପିଲା ଟିକା ନେଇପାରିବେ। ଋତୁସ୍ରାବ ସମୟରେ ମଧ୍ୟ କିଶୋରୀମାନେ ଟିକା ନେବାରେ କୌଣସି ଅସୁବିଧା ନାହିଁ।
ଭୟଙ୍କର ଅସୁସ୍ଥ ଥିଲେ, ଡାଏରିଆ, ଜ୍ବର ହେଉଥିଲେ କିମ୍ବା କୋଭିଡ୍ ଆକ୍ରାନ୍ତ ଥିଲେ ପରେ ଟିକା ନେବା ଉଚିତ। କୋଭିଡ୍ ଆକ୍ରାନ୍ତ ପିଲା ସୁସ୍ଥ ହେବାର ୩ମାସ ପରେ ଟିକା ନେବା ଉଚିତ। ଟିକା ନେବା ପୂର୍ବରୁ ପିଲା ଖାଇକି ଆସିବା ସହ ଟିକାକରଣ କେନ୍ଦ୍ରକୁ ପାଣି ନେଇ ଆସିବା ଉଚିତ। ଏଠାରେ ଟିକା ନେବା ପରେ ୩୦ ମିନିଟ୍ ବିଶ୍ରାମ ନେବାକୁ କୁହାଯିବ। ଆବଶ୍ୟକ ପଡ଼ିଲେ କ୍ରୋସିନ କିମ୍ବା ପାରାସିଟାମଲ୍ ବି ଦିଆଯିବ।