ଭୁବନେଶ୍ୱର: ଗଣମାଧ୍ୟମ ଅବକ୍ଷୟ ସମାଜକୁ ସଜାଡ଼ିଥାଏ। ଜଣେ ସାମ୍ବାଦିକ ତା’ର କଲମ ମୁନରେ ଏକ ସାଧାରଣ ଲୋକକୁ ନ୍ୟାୟ ପ୍ରଦାନ କରିପାରେ। ତେଣୁ ସମସ୍ତ ଗଣମାଧ୍ୟମ ନିର୍ଭିକତା ଓ ନିରପେକ୍ଷତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସାପ୍ତାହିକ ସମ୍ବାଦପତ୍ର ‘ପ୍ରବାହ’ର ୧୬ତମ ସ୍ୱନକ୍ଷତ୍ର ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଏହି ଉତ୍ସବ ଆଜି ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଗଣମାଧ୍ୟମ ସମାଜକୁ ସଠିକ୍ ଦିଗ୍ଦର୍ଶନ ଦେଇଥାଏ ବୋଲି ମତବ୍ୟକ୍ତ କରିଛନ୍ତି।
ଏମର୍ଜିଙ୍ଗ ସାଇନ୍ସର ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜି ବିଭାଗର ପୂର୍ବତନ ପ୍ରଧ୍ୟାପକ ଗୌରାଙ୍ଗ ଚରଣ ସ୍ୱାଇଁ, ରବି ସାମଲ, ପ୍ରବାହର ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ଓ ସମ୍ପାଦକ ଅଭିମନ୍ୟୁ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧା ଲ’କଲେଜର ଅଧ୍ୟକ୍ଷ ତଥା ଅଧିକାର ଲ’ଏକାଡେମି ନିର୍ଦ୍ଦେଶକ ଗିରିଶ ରଞ୍ଜନ ସାହୁ ଏହି ଉତ୍ସବରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ତଥା କବି ଚନ୍ଦ୍ର ବିଜୟୀ ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ପ୍ରବାହର ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ଧନ୍ୟବାଦ ଦେଇଥିଲେ।