ହୀରାଞ୍ଚଳର ଚତୁର୍ଦ୍ଦଶ ସ୍ବନକ୍ଷତ୍ର ଉତ୍ସବ, ‘ସମାଜକୁ ସଜାଡ଼ିବାର ଦାୟିତ୍ବ ନେଉ ଗଣମାଧ୍ୟମ’

ଭୁବନେଶ୍ୱର: ଗଣମାଧ୍ୟମ ପ୍ରତି ଲୋକଙ୍କ ଭଲ ପାଇବା ରହିବା ଆବଶ୍ୟକ। କିନ୍ତୁ ତିନି ତୁଣ୍ଡରେ ଛେଳି କୁକୁର ଆଧାରରେ ଖବର ପରିବେଷଣ କଲେ ଲୋକେ ଭଲ ପାଇବେନି। ଗଣମାଧ୍ୟମ ସକାରାତ୍ମକ ଖବର ପରିବେଷଣ କରି ସମାଜକୁ ସଜାଡ଼ିବାର ଦାୟିତ୍ବ ନେଉ। ସମ୍ବାଦପତ୍ର ‘ହୀରାଞ୍ଚଳ’ର ଚତୁର୍ଦ୍ଦଶ ସ୍ବନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏପରି କହିଛନ୍ତି ସାଂସଦ ଡ. ଅଚ୍ୟୁତ ସାମନ୍ତ। ସମ୍ବଲପୁର ଓ ଭୁବନେଶ୍ବରରୁ ଏକସଂଗେ ପ୍ରକାଶିତ ‘ହୀରାଞ୍ଚଳ’ର ସମ୍ପାଦକ ଯୁଗଳ ସାମଲଙ୍କ ଅଧ୍ୟକ୍ଷତାରେ ହୋଟେଲ୍‌ ନ୍ୟୁ ମାରିୟନ୍‌ ପରିସର‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ହୀରାଞ୍ଚଳକୁ ପଶ୍ଚିମ ଓଡ଼ିଶାର ମଶାଲ ସହ ତୁଳନା କରିଥିଲେ। ଅନ୍ୟତମ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସବୁଜ ଭୁବନେଶ୍ବର ଓ ସୁନ୍ଦର ଓଡ଼ିଶା ଗଠନରେ ଗଣମାଧ୍ୟମ ସହାୟକ ହେଉ ବୋଲି କାମନା କରିଥିଲେ। ପୂର୍ବତନ ପୁଲିସ ଡିଜି ଅମିୟ ଭୂଷଣ ତ୍ରିପାଠୀ କହିଲେ, ଯେତେ ବୈଷୟିକ ଜ୍ଞାନକୌଶଳ ଉନ୍ନତି କଲେ ମଧ୍ୟ ଛାପା ଗଣମାଧ୍ୟମ ଚିରସବୁଜ।

ଏହି ଅବସରରେ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ସମେତ କ୍ରିକେଟର୍‌ ଶୁଭକାନ୍ତ ସାହୁ ଓ ରଶ୍ମିରଞ୍ଜନ ପରିଡ଼ା, ବାନ୍ଧଶିଳ୍ପୀ ରାମକ୍ରିଷ୍ଣ ମେହେର, ସାମ୍ବାଦିକ ଆଲୋକ ମହାପାତ୍ର, ମାନସ ମଙ୍ଗରାଜ, ଦିଲୀପ ପାତ୍ର, ସ୍ତମ୍ଭକାର ଡ. ଅରୁନ୍ଧତୀ ଦେବୀ, ସାହିତ୍ୟିକା ଅନୀତା ପାଣି ଓ ଶରତ ରାଉତ, ଚାଟାର୍ଡ ଆକାଉଣ୍ଟାଣ୍ଟ ସୁନ୍ଦର ପ୍ରକାଶ ଅଗ୍ରୱାଲ, ଟ୍ରେନର୍‌ ମନୋଜ ବିଶ୍ବାଳ, ସଂଗ୍ରାମ କେଶରୀ ଦେହୁରୀ, ସାହିତ୍ୟିକ ଧ୍ରୁବଚରଣ ଘିବେଲାଙ୍କ ସମେତ ହୀରାଞ୍ଚଳ ସମ୍ମାନ-୨୦୧୯ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର