ପରିବାର ହେଉଛି ଶିଶୁ ବିକାଶ ପାଇଁ ପ୍ରାକୃତିକ ପରିବେଶ

ବିକଳ୍ପ ଶିଶୁ ଯତ୍ନ ନେଇ ମିଡିଆ ରାଉଣ୍ଡଟେବୁଲ

ଭୁବନେଶ୍ୱର : ଗୋଟିଏ ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ପରିବାର ହେଉଛି ଏକ ପ୍ରାକୃତିକ ପରିବେଶ। ଯେଉଁ ଶିଶୁମାନେ ପିତାମାତାଙ୍କ ଲାଳନପାଳନଠାରୁ ବଞ୍ଚିତ ହେଉଛନ୍ତି ସେହି ଶିଶୁମାନେ ଅସୁରକ୍ଷିତ ଓ ଶୋଷଣର ଶିକାର ହେବାର ଆଶଙ୍କା ଅଧିକ। ସେହି ଶିଶୁମାନଙ୍କୁ ବିକଳ୍ପ ଶିଶୁ ଯତ୍ନର ଆବଶ୍ୟକତା ରହିଛି।

୨୦୧୧ ମସିହାରେ ହୋଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଦେଶରେ ୭ପ୍ରତିଶତ ଶିଶୁ ପିତାମାତାଙ୍କ ଲାଳନପାଳନରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ କେତେ ପ୍ରତିଶତ ଏଭଳି ଶିଶୁ ରହିଛନ୍ତି ତାହାର ନିର୍ଦ୍ଦିଷ୍ଟ ହିସାବ ନାହିଁ। ଶିଶୁମାନେ ପିତାମାତାଙ୍କ ଲାଳନପାଳନରୁ ବଞ୍ଚିତ ହେବା ପଛରେ ଅନେକ କାରଣ ରହିଛି। ବଳପୂର୍ବକ ସ୍ଥାନାନ୍ତରଣ, ପ୍ରାକୃତିକ ବିପର୍ଯ୍ୟୟ, ରୋଗ, ଶୋଷଣ, ସାମାଜିକ ବହିଷ୍କାର, ପିତାମାତାଙ୍କ ମୃତ୍ୟୁ କିମ୍ବା ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ, ଘରୋଇ ସାଧାନର ଅଭାବ ଭଳି କାରଣ ଏଥିପାଇଁ ଦାୟୀ। ଏହି ଶିଶୁମାନେ ଇନଷ୍ଟିଚ୍ୟୁସନାଲ କେୟାରରେ ରହିଥାନ୍ତି। ତେବେ ଏହାଦ୍ୱାରା ସେମାନଙ୍କ ସାମୂହିକ ବିକାଶ ବାଧାପ୍ରାପ୍ତ ହୋଇଥାଏ। ଅନେକ ପ୍ରକାରର ଇନ୍‌ଷ୍ଟିଚ୍ୟୁସନାଲ୍‌ କେୟାର ରହିଛି। କିନସିପ୍‌, ଫୋଷ୍ଟର, ସ୍ପନ୍ସରସିପ୍‌, ଗ୍ରୁପ ଫୋଷ୍ଟର୍‌ କେୟାର, ଆଡପସନ୍‌, ଟ୍ରାଞ୍ଜିଟ୍‌ ସେଣ୍ଟର୍‌, ଆଫଟର କେୟାର ଓ ଡାଇଭରସନ୍‌ ଭଳି ସ୍ଥାନରେ ଜଣେ ଶିଶୁ ରହିପାରିବ। ରାଜ୍ୟରେ ୨୬୨ଟି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାକୁ ଶିଶୁମାନଙ୍କ ଥଇଥାନ ପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ଏହାସହ ଗୋଟିଏ ଜିଲ୍ଲାରୁ ଶିଶୁ ଉଦ୍ଧାର ହେଉଥିବା ଶିଶୁ କିଭଳି ସେହି ଜିଲ୍ଲାରେ ରହିପାରିବେ ସେଥିପାଇଁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଫୋଷ୍ଟର୍‌ କେୟାରରେ ସରକାରୀସ୍ତରରେ ୧୫ଜଣ ଓ ବେସରକାରୀସ୍ତରରେ ୧୦୦ଜଣଙ୍କୁ ରଖାଯାଇଛି। ଗ୍ରାମାଞ୍ଚଳରେ କିନ୍‌ସିପ୍‌ କେୟାର ଅଧିକ ଗ୍ରହଣୀୟ। ତେଣୁ କିନ୍‌ସିପ୍‌ କେୟାର ଓ ଇଣ୍ଡିପେଣ୍ଡେଣ୍ଟ ଲିଭିଂ ପରି ପଦ୍ଧତିକୁ ଆଇନ ଅଧୀନକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ଯାହାଫଳରେ ଶିଶୁମାନେ ନିଜର ମୌଳିକ ଅଧିକାର ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।

ୟୁନିସଫେ୍‌ ଓଡ଼ିଶା ସହାୟତାରେ ଆଜି ସିଓ୍ଵାଇଏସ୍‌ଡି ପରିସରରେ ବିକଳ୍ପ ଶିଶୁ ଯତ୍ନ ନେଇ ଏକ ମିଡିଆ ରାଉଣ୍ଡଟେବୁଲ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ୍‌ ବା ଓଏସ୍‌ସିପିସିଆରର ସଦସ୍ୟ ହରିହର ନାୟକ, ୟୁଥ କାଉନସିଲ ଫର ଡେଭଲପମେଣ୍ଟର୍‌ ସଂପାଦକ ରାଜେନ୍ଦ୍ର ମେହେର, ୟୁନିସେଫ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ଲକ୍ଷ୍ମୀ ନାରାୟଣ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ୟୁନିସେଫ ଓଡ଼ିଶାର ଯୋଗାଯୋଗ ବିଶେଷଜ୍ଞ ଅଳକା ଗୁପ୍ତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର