ଭୁବନେଶ୍ୱର : ନିଜର ବୋକାମିରୁ ଅନେକ ସମୟରେ ଅଭିଭାବକ ଓ ପିଲାମାନେ ଠକାମିର ଶିକାର ହେଉଛନ୍ତି। ଏଥିପ୍ରତି ପ୍ରଥମେ ନିଜେ ସତର୍କ ହେବା ଆବଶ୍ୟକ। କମ୍ ପଇସାରେ କେହି ସିଟ୍ ଦେଇପାରିବେ ନାହିଁ କିମ୍ବା ନାମ ଲେଖାଇ ଦେବେ ନାହିଁ। ଯେଉଁମାନେ ନାମଲେଖା ନାଁରେ ଠକୁଛନ୍ତି ସେମାନେ ବି ଗୋଟିଏ ଗୋଟିଏ ଚିଟ୍ଫଣ୍ଡ ସଂସ୍ଥା। ଯିଏ ଠକୁଛି ତା’ ବିରୋଧରେ ଅଭିଯୋଗ ହେବା କ୍ଷଣି ପୁଲିସ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ। ବିଦେଶରୁ ପାସ୍ କରିବା ପରେ ଭାରତରେ ପ୍ରାକ୍ଟିସନର ହେବା ସହଜ ନୁହେଁ। ବିଦେଶରୁ ଡିଗ୍ରି ପାଇଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଏମ୍ସିଆଇ ଦ୍ୱାରା ହେଉଥିବା ପରୀକ୍ଷା ବି ପାସ୍ କରିବାକୁ ପଡ଼ିବ। ତେଣୁ ଅଭିଭାବକ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି।
ଓଜେଇଇର ପୂର୍ବତନ ଅଧ୍ୟକ୍ଷ ତୁଷାରକାନ୍ତ ନାଥ କହିଛନ୍ତି ବିଦେଶରେ ନାମଲେଖାଇବାକୁ ଯାଉଥିବା ପିଲାମାନେ ଏମ୍ସିଆଇ ପକ୍ଷରୁ କରାଯାଉଥିବା ଟେଷ୍ଟ ସମ୍ପର୍କରେ ଭଲ ଭାବେ ବୁଝିବା ଆବଶ୍ୟକ। ଅଭିଭାବକମାନେ ମଧ୍ୟ ପିଲାଙ୍କୁ ବିଦେଶକୁ ପଠାଇବା ସମୟରେ ସଂସ୍ଥା ବିଷୟରେ ସବିଶେଷ ବୁଝନ୍ତୁ। ଡିମ୍ଡ ବିଶ୍ୱବିଦ୍ୟାଳୟରେ ସିଟ୍ ବଳିବା ପରେ ପିଲାମାନେ ସିଧାସଳଖ ଆବେଦନ କରି ନାମ ଲେଖାନ୍ତୁ। କୌଣସି ସଂସ୍ଥା ମାଧ୍ୟମରେ ଯାଆନ୍ତୁ ନାହିଁ।
ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ କହିଛନ୍ତି ଯେ ଆମେ କିଛି କରିପାରିବୁ ନାହିଁ। ଡିମ୍ଡ ବିଶ୍ୱବିଦ୍ୟାଳୟ ଉପରେ ଆମର କର୍ତ୍ତୃତ୍ୱ ନାହିଁ। ଯେତିକି ସିଟ୍ରେ ନାମଲେଖା ପାଇଁ ଅନୁମତି ମିଳିଛି ଆମେ କାଉନ୍ସେଲିଂ କରୁଛୁ। ଏଭଳି ସଂସ୍ଥାଙ୍କ ପ୍ରଲୋଭନରେ ଆସିବା ଠିକ୍ ନୁହେଁ।
ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ କୌଣସି ଠକ ସଂସ୍ଥା ବିରୋଧରେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଭାବକ ଓ ଛାତ୍ରଛାତ୍ରୀ ନାମଲେଖା ପୂର୍ବରୁ ସମ୍ପୃକ୍ତ ସଂସ୍ଥାକୁ ଭଲ ଭାବେ ଯାଞ୍ଚ କରନ୍ତୁ। ଯଦି କୌଣସି ସଂସ୍ଥା ଠକୁଥାନ୍ତି ତେବେ ତୁରନ୍ତ ପୁଲିସ ନଜରକୁ ଆଣନ୍ତୁ।
ଡିମ୍ଡ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ କ’ଣ ରହିଛି ନିୟମ?
ନିଟ୍ ର୍ୟାଙ୍କଧାରୀ ଛାତ୍ରଛାତ୍ରୀ ହିଁ କେବଳ ଏଠାରେ ନାମ ଲେଖାଇପାରିବେ। ର୍ୟାଙ୍କ ନ ଥିଲେ କୌଣସି ସ୍ଥାନରେ ନାମଲେଖା ପାଇଁ ସୁଯୋଗ ମିଳିବ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ହେଲଥ୍ ସର୍ଭିସେସ୍ ପକ୍ଷରୁ ମେଡିକାଲ କାଉନସେଲିଂ କମିଟି(ଏମ୍ସିସି) ଗଠନ ହୋଇଛି। ଯାହାକି ଏଥର ଡିମ୍ଡ ଓ ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟ ଲାଗି କାଉନସେଲିଂ କରୁଛି। ଜୁଲାଇ ୨୨ ମଧ୍ୟରେ ଦୁଇ ରାଉଣ୍ଡ ନାମଲେଖା ସରିବା ପରେ ଯଦି ସିଟ୍ ରହିବ ତେବେ ମପ୍-ଅଫ୍ ରାଉଣ୍ଡ ପାଇଁ କାଉନସେଲିଂ କରାଯିବ। ଯଦି ଏହାପରେ ବି ସିଟ୍ ପୂରଣ ନ ହୁଏ ତେବେ ନିଟ୍ ର୍ୟାଙ୍କଧାରୀ ଛାତ୍ରଛାତ୍ରୀଙ୍କ ନାମଲେଖା ଡିମ୍ଡ ବିଶ୍ୱବିଦ୍ୟାଳୟ କରାଇବେ। ର୍ୟାଙ୍କ ଅନୁଯାୟୀ ନାମଲେଖା ହେବ। ଛାତ୍ରଛାତ୍ରୀ ସିଧାସଳଖ ଶିକ୍ଷାନୁଷ୍ଠାନରେ ଆବେଦନ କରି ନାମ ଲେଖାଇ ପାରିବେ।
ବିଦେଶକୁ ପଢ଼ିବାକୁ ଯାଉଥିଲେ...
ବିଦେଶରେ ଏମ୍ବିବିଏସ୍ ପଢ଼ିବାକୁ ଯାଉଥିଲେ ସମ୍ପୃକ୍ତ ମେଡିକାଲ କଲେଜ ବିଷୟରେ ଜାଣିବା ଆବଶ୍ୟକ। ସଂସ୍ଥାମାନେ ଯେଉଁ କଲେଜ ନାଁ କହୁଛନ୍ତି ତାହାର େଓ୍ଵବସାଇଟ୍କୁ ଭଲ ଭାବେ ଯାଞ୍ଚ କରନ୍ତୁ। ଯଦି ସମ୍ଭବ ହୁଏ ତେବେ ସିଧାସଳଖ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସହ ଫୋନ୍ରେ କଥା ହୁଅନ୍ତୁ। ଭୁବନେଶ୍ୱରର ତାହାର କୌଣସି ଏଜେନ୍ସି ରହିଛି କି ନାହିଁ ପଚାରନ୍ତୁ। ପାଠପଢ଼ା ପରେ ଏମ୍ସିଆଇ ପକ୍ଷରୁ କରାଯାଉଥିବା ସ୍କ୍ରିନିଂ ଟେଷ୍ଟ ପାସ୍ କରାଇ ଦେବାକୁ କହୁଥିବା ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ଉପରେ ବିଶ୍ୱାସ ନ କରିବା ଭଲ ବୋଲି ଶିକ୍ଷାବିତ୍ମାନେ ପରାମର୍ଶ ଦେଇଛନ୍ତି।