ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ଏମ୍‌ସ ଭୁବନେଶ୍ବରର ଅସ୍ଥିଶଲ୍ୟ ୱାର୍ଡରେ କାର୍ଯ୍ୟରତ ଜଣେ ମହିଳା ମେଡିକାଲ ଅଟେଣ୍ଡାଣ୍ଟକୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଏମ୍‌ସର ଜଣେ ନର୍ସିଂ ଅଫିସର ପୀଡ଼ିତାଙ୍କୁ ଡାକ୍ତରଙ୍କ ଚ୍ୟାମ୍ବରରେ ଅସଦାଚରଣ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ କରି ଠିକା କର୍ମଚାରୀମାନେ ଆଜି ସନ୍ଧ୍ୟାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଏମ୍‌ସ ଫାଟକ ସମ୍ମୁଖରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗିରହିଥିଲା। ନ୍ୟାୟ ନମିଳିଲେ ପୀଡ଼ିତା ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।  ଏହି ଆନ୍ଦୋଳନରେ ୩ହଜାରରୁ ଅଧିକ ଠିକା କର୍ମଚାରୀ ସାମିଲ୍‌ ହୋଇଥିବାରୁ ଏମ୍‌ସ ପରିଚାଳନାରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

Advertisment

ଅଭିଯୁକ୍ତ ଅଟକ
ମୁଖ୍ୟ ଫାଟକ‌ରେ ଉତ୍ତେଜନା, ଧାରଣାରେ ଠିକା କର୍ମଚାରୀ
ନ୍ୟାୟ ନମିଳିଲେ ଆତ୍ମାହୁତି ପାଇଁ ପୀଡ଼ିତାଙ୍କ ଚେତାବନୀ

ଅଭିଯୋଗ ମୁତାବକ ଏହି ମହିଳା ମେଡିକାଲ ଅଟେଣ୍ଡାଣ୍ଟ ଜଣକ ଏମ୍‌ସରେ ଜଣେ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରନ୍ତି। ଗତକାଲି ନାଇଟ୍‌ ସିଫ୍ଟ ଥିବାରୁ ସେ ୱାର୍ଡରେ ଥିଲେ। ରାତି ସାଢ଼େ ୧୨ଟା ସମୟରେ ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁରାମ ଚୌଧୁରୀ ତାଙ୍କୁ ଡାକ୍ତରଙ୍କ ଚ୍ୟାମ୍ବରକୁ ରୋଗୀଙ୍କ ଫାଇଲ୍‌ ଦେଖାଇବା ବାହାନାରେ ଡାକିଥିଲେ। ଅଟେଣ୍ଡାଣ୍ଟ ଚ୍ୟାମ୍ବରକୁ ଯିବା ପରେ ନାନୁରାମ ତାଙ୍କୁ ଅସଦାଚରଣ କରିଥିଲେ। ଚିତ୍କାର କରିବାରୁ ପୀଡ଼ିତାଙ୍କୁ ନାନୁରାମ ଧମକ ଦେଇଥିଲା। ଏନେଇ ପୀଡ଼ିତା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ନାନୁରାମ ପୀଡ଼ିତାଙ୍କୁ ଟଙ୍କା ଦେଇ ମାମଲାକୁ ଚପାଇ ଦେବାକୁ ଚାପ ପ୍ରୟୋଗ କରିଥିଲେ। ମାତ୍ର ପୀଡ଼ିତା ଏଥିରେ ରାଜି ହୋଇନଥିଲେ। ମେଡିକାଲ କର୍ତ୍ତୃପକ୍ଷ ନ‌ାନୁରାମକୁ ଫେରାର କରିବାରେ ସହଯୋଗ କରିଥିବା ପୀଡ଼ିତା କହିଛନ୍ତି। ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ ଧାରଣା ଦେବେ ବୋଲି ଠିକା କର୍ମଚାରୀ ନେତା ଅଞ୍ଜନ ନାଥ କହିଛନ୍ତି। ପ୍ରତିଦିନ ଏମ୍‌ସ ଭୁବନେଶ୍ବରକୁ ହଜାର ହଜାର ଲୋକଙ୍କ ଆଗମନ ହେଉଥିବାରୁ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ଉପୁଜିଛି।