କଟକଣା ମାନୁନାହାନ୍ତି ହସ୍ପିଟାଲ: ବାହାରିଲେଣି ୩୦୦ ଆକ୍ରାନ୍ତ, ଘରୋଇ ହସ୍ପିଟାଲ‌ରୁ ୨୦୦ରୁ ଅଧିକ

ଭୁବନେଶ୍ବର: ରାଜଧାନୀରେ ଆଜି ସୁଦ୍ଧା ୨୩୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ପ୍ରାୟ ୩୦୦ରୁ ଅଧିକ ହେଉଛନ୍ତି ହସ୍ପିଟାଲ କର୍ମଚାରୀ। ଏଥିରୁ ୨୦୦ରୁ ଅଧିକ କେବଳ ୧୦ରୁ ଅଧିକ ଘରୋଇ ହସ୍ପିଟାଲର କର୍ମଚାରୀ ହୋଇଥିବା ବେଳେ ୧୦୦ରୁ ଅଧିକ ହେଉଛନ୍ତି ତିନିଟି ସରକାରୀ ମେଡିକାଲର କର୍ମଚାରୀ। ଘ‌ରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ରାଜ୍ୟର ସ୍ବାସ୍ଥ୍ୟ ସେବା ପ୍ରଭାବିତ ହେବାକୁ ଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ ସବୁ ଜାଣିକି ଚୁପ୍‌ ବସିଛନ୍ତି। ହସ୍ପିଟାଲଗୁଡ଼ିକ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍‌ସିର ଏସ୍‌ଓପି ମାନୁ ନଥିଲେ ହେଁ ବିଏମ୍‌ସି ଏହାକୁ ସିଲ୍‌ କରିପାରୁନି। ଫଳରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ତାଲିକାରେ ହସ୍ପିଟାଲ କର୍ମଚାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗତ ସପ୍ତାହରେ ବିଏମ୍‌ସି କମିସନର କହିଥିଲେ ଯେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପଛରେ ଅନ୍ୟତମ ପ୍ରମୁଖ କାରଣ ହେଉଛି ଘରୋଇ ହସ୍ପିଟାଲଗୁଡ଼ିକ ସ୍ବାସ୍ଥ୍ୟ ବିଭାଗ ଗାଇଡଲାଇନ୍ ମାନୁନାହାନ୍ତି। କମିସନ‌ର ଏ କଥା କହୁଥିଲେ ହେଁ ବିଏମ୍‌ସି ପକ୍ଷରୁ ହସ୍ପିଟାଲଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉନି କି ସେମାନେ କିପରି ଗାଇଡଲାଇନ୍ ମାନି‌ବେ, ସେନେଇ କିଛି ପଦକ୍ଷେପ ନିଆଯାଉନି। ଏପଟେ ଘରୋଇ ହସ୍ପିଟାଲ ଓ ସରକାରୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ତଥ୍ୟ ଲୁଚାଇବାକୁ ଯାଇ କହିଛନ୍ତି ଯେ ମାତ୍ର ୧୧୫ଜଣ ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ପ୍ରାୟ ୧୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। କରୋନା ପରୀକ୍ଷା ହେଉଥିବାରୁ ବହୁ ଲୋକ ବି ପ୍ରତିଦିନ ଏଠାକୁ ଯାଉଛନ୍ତି। କେବଳ ଏଥିପାଇଁ ନୁହେଁ, ଏହି ହସ୍ପିଟାଲର ନାଁ ଥିବାରୁ ରାଜ୍ୟ ବାହାରୁ ବି ବହୁ ରୋଗୀ ଆସୁଛନ୍ତି। କିନ୍ତୁ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତର ଓ ନର୍ସ କମ୍‌ ପ୍ରଭାବିତ ହୋଇଥିବାବେଳେ ଅଧିକ ସେବା ପ୍ରଦାନକାରୀ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଯେଉଁମାନେ ବିଭିନ୍ନ ବସ୍ତିରେ ରହୁଛନ୍ତି। କେବଳ ଏତିକି ନୁହେଁ, ମଞ୍ଚେଶ୍ବରରେ ଏକ ହସ୍ପିଟାଲରେ ପ୍ରାୟ ୫୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିଏମ୍‌ସି ଉକ୍ତ ହସ୍ପିଟାଲକୁ ଏକ ମାସ ସିଲ୍‌ କରି ବନ୍ଦ କରିବା ପରେ ଖୋଲିଛି। ରାଜଧାନୀର ଅନ୍ୟ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ ପ୍ରାୟ ୬୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏଥିରେ ଡାକ୍ତର ଓ ନର୍ସ ବି ଅଛନ୍ତି। ଯଦିଓ ଏମାନଙ୍କ ସଂଖ୍ୟା କମ୍‌ କିନ୍ତୁ ଅନ୍ୟ ଡାକ୍ତରମା‌େନ ଏହି ଭୟରେ ରୋଗୀଙ୍କୁ ଦେଖୁନାହାନ୍ତି।

ପ୍ରାୟ ସମସ୍ତ ହସ୍ପିଟାଲରେ ଡାକ୍ତର ଓ ନର୍ସମାନେ ପିପିଇ କିଟ୍‌ ପିନ୍ଧୁଥିବା ବେଳେ ସେବା ପ୍ରଦାନ କରୁଥିବା କର୍ମଚାରୀ ଓ ଅନ୍ୟ ହସ୍ପିଟାଲ କର୍ମଚାରୀ ପିପିଇ କିଟ୍‌ ପିନ୍ଧୁନାହାନ୍ତି। ସେମାନେ ବସ୍ତିି ଅଞ୍ଚଳରେ ରହୁଥିବାରୁ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ମୁଖ୍ୟତଃ ଘରୋଇ ହସ୍ପିଟାଲରେ ଖାଦ୍ୟ ଯୋଗାଉଥିବା, ଲଣ୍ଡ୍ରି କରୁଥିବା, ସଫେଇ କରୁଥିବା, ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା କର୍ମଚାରୀମାନେ ଏବେ କରୋନା ଆକ୍ରାନ୍ତ ହୋଇଛନ୍ତି।

ବଡ଼ ହସ୍ପିଟାଲକୁ ହଟ୍‌ସ୍ପଟ୍‌ ଜିଲ୍ଲା ଚିନ୍ତା
ସବୁ ବଡ଼ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ ହଟ୍‌ସ୍ପଟ୍‌ ଜିଲ୍ଲାରୁ ବହୁ ଗୁରୁତର ରୋଗୀ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଛନ୍ତି। ରୋଗୀ ଏବଂ ସେମାନଙ୍କ ଆଟେଣ୍ଡାଣ୍ଟଙ୍କ କରୋନା ପରୀକ୍ଷା କରିବା ବେଳେ ଅଧିକାଂଶଙ୍କର କରୋନା ପଜିଟିଭ୍ ବାହାରୁଛି। ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ କାହାକୁ ବାରଣ କରିବା ସମ୍ଭବ ନଥିବାରୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି। ହଟ୍‌ସ୍ପଟ୍‌ ଜିଲ୍ଲା ମୁଖ୍ୟତଃ ଗଞ୍ଜାମ, ଗଜପତି, ବାଲେଶ୍ବରରୁ ବହୁ ଆକ୍ରାନ୍ତ ଭୁବନେଶ୍ବରକୁ ଚିକିତ୍ସା ପାଇଁ ଆସୁଥିବାରୁ କେତେକ ହସ୍ପିଟାଲ ସେମାନଙ୍କୁ ଭର୍ତ୍ତି କରୁନାହାନ୍ତି। ଯାହାକୁ ନେଇ ପ୍ରତିଦିନ ଅଭିଯୋଗ ହେଉଛି। ଏପଟେ ଭର୍ତ୍ତି କଲେ ହସ୍ପିଟାଲରେ କର୍ମଚାରୀ କରୋନା ଆକ୍ରାନ୍ତ ହେଉଛନ୍ତି। ତେଣୁ ଘରୋଇ ହସ୍ପିଟାଲ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି।

ଆଇସୋଲେସନ୍ ୱାର୍ଡ କାମ କରୁନି
ପ୍ରତ୍ୟେକ ହସ୍ପିଟାଲରେ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ କରିବାକୁ ସ୍ବାସ୍ଥ୍ୟ ବିଭାଗ ଗାଇଡଲାଇନ୍ ଜାରି କରିଛି। ହସ୍ପିଟାଲରେ ଆଡମିଟ୍‌ ହୋଇ ଚିକିତ୍ସିତ ହେବାକୁ ଥିବା ସମସ୍ତ ରୋଗୀଙ୍କୁ ପ୍ରଥମେ ଏହି ୱାର୍ଡରେ ରଖାଯିବ। ସେମାନଙ୍କର କୋଭିଡ ପରୀକ୍ଷା ହେବ। ରିପୋର୍ଟ ନେଗେଟିଭ୍ ଆସିଲେ ଅନ୍ୟ ଚିକିତ୍ସା ଯୋଗାଇ ଦିଆଯିବ। ହେଲେ ଅଧିକାଂଶ ହସ୍ପିଟାଲରେ ଏହି ୱାର୍ଡ ନାହିଁ। ‌େଯଉଁ ହସ୍ପିଟାଲରେ ଅଛି, ସେମାନେ ଆଇସୋଲେସନ୍‌ ୱାର୍ଡରେ ରୋଗୀଙ୍କୁ ପକାଇ ରଖୁନାହାନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, କେତେକ ରୋଗୀ ଗୁରୁତର ଅବସ୍ଥାରେ ଆସୁଥିବାରୁ ଆମେ ସେମାନଙ୍କୁ ଅଧିକ ସମୟ ଆଇସୋଲେସନ୍ ୱାର୍ଡରେ ରଖୁନୁ। ସ୍ବାବ୍‌ ସଂଗ୍ରହ ପରେ ସେମାନଙ୍କର ଚିକିତ୍ସା ଆରମ୍ଭ କରିଦେଉଛୁ। ଯଦି ପଜିଟିଭ୍ଆ ସୁଛି, ତେବେ କୋଭିଡ୍‌ ହସ୍ପିଟାଲକୁ ପଠାଉଛୁ। କିନ୍ତୁ ରୋଗୀଙ୍କ ଜୀବନ ‌ସହ ଖେଳି ହେବନି।

ଘରୋଇ ହସ୍ପିଟାଲ ପାଇଁ କ’ଣ ରହିଛି ଗାଇଡ୍‌ଲାଇନ୍
ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ଜୁନ୍‌ ୨୯ରେ ଗାଇଡଲାଇନ୍ ଜାରି କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ ସମସ୍ତ ଘରୋଇ ହସ୍ପିଟାଲ/ନର୍ସିଂହୋମ୍‌ ବସ୍ତିରେ ରହୁଥିବା କର୍ମଚାରୀଙ୍କର ଏକ ଡାଟାବେସ୍‌ ପ୍ରସ୍ତୁତ କରିବେ। ସେମାନଙ୍କୁ ହସ୍ପିଟାଲ/ନର୍ସିଂହୋମ୍‌ରେ ଏକସଙ୍ଗେ ୧୪ଦିନିଆ ଡ୍ୟୁଟି ଦିଆଯିବ। ଏହି ୧୪ ଦିନ ଏହି କର୍ମଚାରୀ ହସ୍ପିଟାଲ ପରିସରରେ ରହିବେ। ସେଠାରେ ସେମାନଙ୍କର ରହିବା, ଖାଇବା ବ୍ୟବସ୍ଥା କରାଯିବ। ୧୪ଦିନ ପରେ ସେମାନଙ୍କର କୋଭିଡ୍‌ ପରୀକ୍ଷା ହେବ। ନେଗେଟିଭ୍ ବାହାରିଲେ ସେମାନଙ୍କୁ ଘରକୁ ଛଡ଼ାଯିବ। ଏହାପରେ ୧୪ ଦିନ ପାଇଁ ଆଉ ଏକ ସିଫ୍ଟ ହେବ। ଏଥିରେ ଯଦି ବସ୍ତି କର୍ମଚାରୀ ଥିବେ, ତେବେ ସେମାନଙ୍କର ପ୍ରଥମେ କୋଭିଡ୍‌ ପରୀକ୍ଷା ହେବ। ନେଗେଟିଭ୍ ବାହାରିଲେ ସେମାନେ କାମରେ ଯୋଗଦେବେ। ୧୪ଦିନ ପରେ ସେମାନଙ୍କ ଡ୍ୟୁଟି ସରିଲେ କୋଭିଡ୍‌ ପରୀକ୍ଷା କରି ଘରକୁ ଯିବେ।
ସମସ୍ତ ଘରୋଇ ହସ୍ପିଟାଲ/ନର୍ସିଂ ହୋମ୍‌ ଏହି ନିୟମ କଡ଼ାକଡ଼ି ପାଳନ କରିବେ। ବିଏମ୍‌ସି ଗାଇଡଲାଇନ୍‌ ଯେପରି କଡ଼ାକଡ଼ି ପାଳନ ହେବ, ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିବେ। ଏହି ଅଧିକାରୀ ହସ୍ପିଟାଲର ସିଫ୍ଟ ତାଲିକା ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦେବେ। କିନ୍ତୁ ଏହା ହେଉନି। ଘରୋଇ ହସ୍ପିଟାଲରେ କର୍ମଚାରୀ ୧୪ଦିନିଆ ଡ୍ୟୁଟି କରିବାକୁ ରାଜି ହେଉନଥିବା ଜଣାପଡ଼ିଛି। ହସ୍ପିଟାଲ କର୍ତ୍ତୃପକ୍ଷ ଏତେ କର୍ମଚାରୀଙ୍କର ରହିବା, ଖାଇବା, ଶୋଇବା ବ୍ୟବସ୍ଥା କରିପାରୁ ନଥିବାରୁ ସେମାନେ ହସ୍ପିଟାଲରେ ବହୁତ ହଇରାଣ ହେଉଛନ୍ତି। ତେଣୁ ଏକସଙ୍ଗେ ୧୪ଦିନ ଡ୍ୟୁଟି କରିବାକୁ କର୍ମଚାରୀ ରାଜି ହେଉନାହାନ୍ତି। କେବଳ ଏତିକି ନୁହେଁ, ହସ୍ପିଟାଲଗୁଡ଼ିକ ବି କର୍ମଚାରୀଙ୍କର ନିୟମିତ କରୋନା ପରୀକ୍ଷା କରୁନାହାନ୍ତି।

ସରକାରୀ ହସ୍ପିଟାଲରେ ୧୦୦ରୁ ଅଧିକ ଆକ୍ରାନ୍ତ
ରାଜଧାନୀର ତିନିଟି ସରକାରୀ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲ, ଏମ୍‌ସ ଓ ରେଲ‌େୱ ହସ୍ପିଟାଲରୁ ପ୍ରାୟ ୧୦୦ରୁ ଅଧିକ ଆକ୍ରାନ୍ତ ବାହାରି ସାରିଲେଣି। ଏଥିରେ ଏମ୍‌ସରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି। ଏଠାରେ ପ୍ରାୟ ୭୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏଠାରେ ବହୁ ଡାକ୍ତର ଓ ନର୍ସ ବି କରୋନା ଆକ୍ରାନ୍ତ ହୋଇଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୫ରୁ ଅଧିକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି।

ସମ୍ବନ୍ଧିତ ଖବର