ଆସିଲାନି ଆମ୍ବୁଲାନ୍ସ : ରାସ୍ତାରେ ଛଟପଟ ହେଲେ ଯୁବକ

ଭୁବନେଶ୍ୱର : ରାଜଧାନୀରେ ମଧ୍ୟ ଫେଲ୍‌ ମାରିଛି ୧୦୮ ଆମ୍ବୁଲାନସ୍‌ ସେବା। ବିଭିନ୍ନ ସମୟରେ ୧୦୮ର ଅବହେଳାକୁ ନେଇ ଅଭିଯୋଗ ହୋଇଛି। ଦୁର୍ଘଟଣା ଘଟିବାର କିଛି ସମୟ ମଧ୍ୟରେ ଆହତକୁ ଉଦ୍ଧାର କରି ହସ୍ପିଟାଲ୍‌ରେ ପହଞ୍ଚାଇବାର ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହେଉଥିବାର ନଜିର ଆଜି ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଛି।

ଆଜି ସଂଧ୍ୟାରେ ଭୁବନେଶ୍ୱର ପୁଲିସ୍‌ କମିସନରେଟ୍‌ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ନୟାପଲ୍ଲୀ ନୂଆସାହିର ରାଜା ନାୟକ(୧୯) ନାମକ ଜଣେ ଅଟୋ ଚାଳକ ନିୟନ୍ତ୍ରଣ ହାରାଇ ଟ୍ରାଫିକ୍‌ ଛକରେ ଅଟକିଥିବା ଏକ କାର୍‌କୁ ପଛପଟରୁ ପିଟିଥିଲେ। ଏହି ଦୁର୍ଘଟଣାରେ ଅଟୋ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ। ତାଙ୍କର ବାମ ହାତ ଭାଙ୍ଗିଯିବା ସହ ଅଟୋ କାଚ ମୁଣ୍ଡରେ ପଶି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ଆହତ ଜଣଙ୍କ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିବା ବେଳେ ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଠାଇ ତୁରନ୍ତ ୧୦୮କୁ ଖବର ଦେଇଥିଲେ। ମାତ୍ର ଅନେକ ସମୟ ବିତିଗଲା ପରେ ମଧ୍ୟ ୧୦୮ର ଦର୍ଶନ ମିଳିନଥିଲା।

ଏନେଇ ଫୋନ୍‌ରେ ଯୋଗାଯୋଗ କରାଯିବାରୁ ହସ୍ପିଟାଲ୍‌ର ୩ଟି ଆମ୍ବୁଲାନ୍ସ ମଧ୍ୟରୁ ୨ଟି ଅଚଳ ଅବସ୍ଥାରେ ଥିବା ଜଣେ କର୍ମଚାରୀ କହିଥିଲେ। କାର୍ଯ୍ୟ କରୁଥିବା ଆମ୍ବୁଲାନ୍ସଟି ରୋଗୀ ଆଣିବା ପାଇଁ ଯାଇଥିବାରୁ ଦୁର୍ଘଟଣାସ୍ଥଳକୁ ଯିବା ସମ୍ଭବ ହେବ ନାହିଁ ବୋଲି କର୍ମଚାରୀ ଜଣଙ୍କ ସୂଚନା ଦେଇଥିଲେ। ଶେଷର ଏକ ପିସିଆର୍‌ ଭ୍ୟାନ୍‌ରେ ଆହତଙ୍କୁ ହସ୍ପିଟାଲ୍‌ ଅଣାଯାଇଥିଲା। ମୁଣ୍ଡରେ ୧୧ଟି ଷ୍ଟିଚ୍‌ ଓ ହାତରେ ପ୍ଲାଷ୍ଟର୍‌ ସହିତ ଆହତ ଜଣଙ୍କ ବର୍ତ୍ତମାନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ପ୍ରାୟ ଘଣ୍ଟାଏ କାଳ ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମଧ୍ୟ କୌଣସି ଆମ୍ବୁଲାନ୍ସ ନପହଞ୍ଚିଥିବା ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୦୮ ଆମ୍ବୁଲାନ୍‌ସ ସେବାର କାର୍ଯ୍ୟକାରିତା ନେଇ ମଧ୍ୟ ଉପସ୍ଥିତ ଲୋକମାନେ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର