ଖଣ୍ଡଗିରି: ପାତ୍ରପଡ଼ାସ୍ଥିତ ଔଷଧୀୟ ଜ୍ଞାନ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କୁ ୩ ମାସ ହେଲା ଦରମା ମିଳିନାହିଁ। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ କିଛି ମାସ ବ୍ୟବଧାନରେ ବାରମ୍ବାର ଦରମା ମିଳିବାରେ ଅନିୟମିତତା ଦେଖା ଦେଉଥିବାରୁ କର୍ମଚାରୀମାନେ ପରିବାର ଚଳାଇବାକୁ ନାକେଦମ୍ ହେଉଛନ୍ତି। ଔଷଧୀୟ ବୃକ୍ଷ ଉପରେ ଗବେଷଣା କରିବାକୁ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ୧୫୦ ଏକର ପରିମିତ ଅଞ୍ଚଳରେ ବ୍ୟାପିଛି। ଏଠାରେ ୫୫ରୁ ୬୦ କର୍ମଚାରୀ ପ୍ରତିଦିନ ବିଭିନ୍ନ କାମ ପାଇଁ ଠିକାସଂସ୍ଥା ଜରିଆରେ ନିୟୋଜିତ ହୋଇଛନ୍ତି। ସେମାନେ ଚାରାରୋପଣ, ଚାରା ବିକ୍ରୟ, ଜଙ୍ଗଲ ସୁରକ୍ଷା, ପାର୍କ ଯତ୍ନ ଭଳି କାମ ଏମାନେ କରନ୍ତି। ମତ୍ର ଜୁଲାଇ ମାସରୁ ସେମାନଙ୍କୁ ଦରମା ମିଳିନାହିଁ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ଶୁଣୁନାହାନ୍ତି। କେବଳ ଏହି ତିନି ମାସ ନୁହେଁ, ବରଂ ସେମାନଙ୍କ ଦରମା ମିଳିବାରେ ବାରମ୍ବାର ଅନିୟମିତତା ଦେଖାଦେଉଛି। ଗତ ମାର୍ଚ୍ଚ ମାସରେ ମଧ୍ୟ ଏଭଳି ସମସ୍ୟା ହେବାରୁ ପୂର୍ବରୁ ଥିବା ଫଣ୍ଡ୍ ଟଙ୍କାରୁ ଦରମା ଦିଆଯାଇଥିଲା। ତେବେ ଔଷଧୀୟ ଜ୍ଞାନ କେନ୍ଦ୍ରର ପରିଚାଳନା ପାଇଁ ସ୍ବତନ୍ତ୍ର ବଜେଟ୍ ଜରିଆରେ ବିଭିନ୍ନ ପର୍ଯ୍ୟାୟରେ ବର୍ଷକୁ ପାଖାପାଖି ୬କୋଟି ୮୦ଲକ୍ଷ ଟଙ୍କା ପ୍ରଦାନ କରାଯାଏ। ଇନ୍କ୍ରିଜିଙ୍ଗ୍ ଗ୍ରିନ୍ କଭର୍ (ଆଇଜିସିଏସ୍) ଯୋଜନାରେ ଏହା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରଦାନ କରାଯାଏ। ହେଲେ ଗତ ୮ ମାସ ହେଲା ଏହା ଠିକ୍ ସମୟରେ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହେଉଛି। ଏହାଦ୍ବାରା କର୍ମଚାରୀ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ଜ୍ଞାନ କେନ୍ଦ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଯେଉଁ ସବୁ ବ୍ୟବସ୍ଥା ଥିଲା ତାହା କାର୍ଯ୍ୟକ୍ଷମ ହେଉନାହିଁ। ଚାରା ବିକ୍ରି ସହ ପ୍ରୋସେସିଂ ୟୁନିଟ୍ ତିଆରି କରି ଔଷଧୀୟ ବୃକ୍ଷର ଚେର, ଫଳ, ପତ୍ର, ଫୁଲ ଓ ଛେଲିରୁ ବିଭିନ୍ନ ପ୍ରକାର ଔଷଧୀୟ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବା ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇପାରି ନାହିଁ। ୨୦୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଜ୍ଞାନ କେନ୍ଦ୍ର ଏବେବି ମାଟି କାମୁଡ଼ି ପଡ଼ିଛି। ଔଷଧୀୟ ଗଛରୁ ବାହାରୁଥିବା ସାମଗ୍ରୀର ସଦୁପଯୋଗ ହୋଇ ପାରୁନାହିଁ। ପ୍ରୋସେସିଂ ୟୁନିଟ୍ ପ୍ରତିଷ୍ଠା କରି ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା, ଶତାଧିକ ଗଛରୁ ଔଷଧୀୟ ଗୁଣ୍ଡ, ରସ, ଚେରମୂଳି ଆକାରରେ ପ୍ରସ୍ତୁତ କରି ତାହାକୁ ବଜାରରେ ବିକ୍ରି କରିବାର ଯୋଜନା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଚାରା ଉତ୍ପାଦନରୁ ବି ଅର୍ଥ ଉପାର୍ଜନ କରାଯିବାର ଯୋଜନା ଥିଲା। ଏ ବାବଦରେ ଯେଉଁ ଆୟ ହୋଇଥାନ୍ତା, ତାହାକୁ ଜ୍ଞାନ କେନ୍ଦ୍ରର ବିକାଶ ପାଇଁ ଲଗାଯାଇଥାନ୍ତା। ହେଲେ ତାହା ହୋଇ ପାରି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ସିଟି ଡିଏଫ୍ଓ ବିଶ୍ବରାଜ ପଣ୍ଡାଙ୍କ କହିବା କଥା, ଆଇଜିସିଏସ୍ ଫଣ୍ଡ୍ ନମିଳିବାରୁ କର୍ମଚାରୀଙ୍କୁ ଦରମା ଦିଆଯାଇ ପାରିନାହିଁ। ଏ ନେଇ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ଖୁବ୍ଶୀଘ୍ର ଦରମା ପ୍ରଦାନ କରାଯିବ।