ବସ୍‌ ଧକ୍କାରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ବସ୍‌ ଜବତ ଓ ଚାଳକ ଗିରଫ

ଭୁବନେଶ୍ୱର : ଆଜି ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ଏକ ବସ୍‌ ଧକ୍କା ଯୋଗୁଁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁପ୍ରଭୁ ଚକ୍ରବର୍ତ୍ତୀ(୨୦)। ଘର ପଶ୍ଚିମବଙ୍ଗ କଲିକତା ଅଞ୍ଚଳର। ଏଠାରେ ଏକ ଘରୋଇ ମେଡିକାଲ କଲେଜ୍‌ର ଡେଣ୍ଟାଲ୍‌ ପିଜି ପ୍ରଥମ ବର୍ଷର ଛାତ୍ର ବୋଲି ଜଣାପଡ଼ିଛି। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବସ୍‌ ଚାଳକକୁ ପୁଲିସ ଗିରଫ କରିବା ସହ ବସ୍‌କୁ ଜବତ କରିଛି।

ପୁଲିସ ସୂଚନା ମୁତାବକ, ସୋମବାର ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସୁପ୍ରଭୁ ଆକ୍ଟିଭାରେ(ଓଡି-୦୨-କ୍ୟୁ-୩୧୬୦) ରସୁଲ୍‌ଗଡ଼ରୁ ପଳାସୁଣୀ ଆଡ଼କୁ ଯାଉଥିଲେ। ଏହି ସମୟରେ ରସୁଲଗଡ଼ ପଟୁ କଟକ ଆଡ଼କୁ ଯାଉଥିବା ବସ୍‌(ଓଆର୍‌-୦୫-ଏଜେ-୭୪୫୫) ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସୁପ୍ରଭୁ ସ୍କୁଟି ସହ ୨୦ମିଟର ଦୂରରେ ପଡ଼ିଥିଲେ। ସେଠାରେ ଥିବା ଲୋକମାନେ ଧାଇଁ ଆସି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସୁପ୍ରଭୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଓ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ପୁଲିସକୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ। ଦୁର୍ଘଟଣା ଯୋଗୁଁ ସେଠାରେ ଅଧ ଘଣ୍ଟାଏ କାଳ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା। ତେବେ ପୁଲିସ ଶବ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ବସ୍‌ଟିକୁ ଜବତ କରି ଥାନାକୁ ନେବା ପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର