କଳ୍ପନା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଅଧିକାଂଶ ଔଷଧ ମିଳୁନି, ଫେରୁଛନ୍ତି ରୋଗୀ

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ ଅଧୀନରେ ଥିବା ରାଜଧାନୀର ଏକ ପ୍ରମୁଖ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅଧିକାଂଶ ଔଷଧ ମିଳୁ ନାହିଁ। ବାତ୍ୟା ଯିବାର ୩ ସପ୍ତାହରୁ ଅଧିକ ସମୟ ହେଲାଣି ଏହି ସମସ୍ୟା ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ଜାରି ରହିଛି। ଔଷଧ ଅଭାବରୁ ଅଧିକାଂଶ ରୋଗୀ ଫେରି ଯାଉଛନ୍ତି।ବାରମ୍ବାର ଏ ସଂପର୍କରେ କ୍ୟାପିଟାଲ ହସ୍ପିଟାଲକୁ ସୂଚନା ଦେଉଛନ୍ତି ସ୍ବାସ୍ଥ୍ୟକେନ୍ଦ୍ରର ପରିଚାଳକ। ହେଲେ ଏଥିରେ କୌଣସି ପ୍ରଭାବ ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ହଟାଇବା ଲାଗି ରାଜଧାନୀରେ ଥିବା ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ବ ଦେଉଛନ୍ତି। ହେଲେ ତୃଣମୂଳସ୍ତରରେ ଏହାର ଓଲଟା ପ୍ରଭାବ ଦେଖିବାକୁ ମିଳୁଛି।

ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ଅନୁସାରେ ଔଷଧର ତାଲିକା ବା ଇଣ୍ଡେଣ୍ଟ୍ ଦିଆଯାଇଥାଏ। ଏଥିରେ ଔଷଧ, ସାଲାଇନ୍‌କୁ ମିଶାଇ ବହିର୍ବିଭାଗ ପାଇଁ ୯୦ ପ୍ରକାରର ଔଷଧ ତାଲିକା ରହିଛି। ତେବେ ଗତ କିଛିଦିନ ହେବ ଧାର୍ଯ୍ୟ ଇଣ୍ଡେଣ୍ଟ ଅନୁସାରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଔଷଧ ଦିଆଯାଉନାହିଁ। ଆଣ୍ଟି-ବାଇଓଟିକ୍ ଔଷଧ ସହିତ ଉଚ୍ଚ ରକ୍ତଚାପ ପାଇଁ ଜରୁରୀ ଔଷଧ, ଛୋଟ ପିଲାଙ୍କ ଔଷଧ ଓ ଏପରିକି ପାରାସିଟାମଲ ମଧ୍ୟ ଉପଲବ୍ଧ ହେଉନାହିଁ। ସାଲାଇନ୍ ଓ ଔଷଧକୁ ମିଶାଇ ୬୫ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରକୁ ଦିଆଯାଉଛି। ଯାହାକି ଆବଶ୍ୟକତାଠାରୁ ଯଥେଷ୍ଟ କମ୍। ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ କେନ୍ଦ୍ରକୁ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ଔଷଧ ଅଭାବରୁ ‌ସେମାନଙ୍କୁ ଫେରିବାକୁ ପଡ଼ୁଛି।

ସ୍ବାସ୍ଥ୍ୟକେନ୍ଦ୍ରର ଜନୈକ କର୍ମଚାରୀ କହିଛନ୍ତି, ଔଷଧ ପାଇଁ ବାରମ୍ବାର କ୍ୟାପିଟାଲ ହସ୍ପିଟାଲ ଡ୍ରଗ୍ ହାଉସ୍‌କୁ ଇଣ୍ଡେଣ୍ଟ ଦିଆଯାଉଥିଲେ ହେଁ ଏ କଥା କେହି ଶୁଣୁ ନାହାନ୍ତି। ଯେଉଁ ଔଷଧ ଉପଲବ୍ଧ ହେଉନାହିଁ ତାହାର ବିକଳ୍ପ ଔଷଧ ମଧ୍ୟ ନାହିଁ। ଅନେକ ସମୟରେ ରୋଗୀମାନେ ବିକଳ୍ପ ଔଷଧ ନେବାକୁ କୁଣ୍ଠବୋଧ କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩ଟି ୱାର୍ଡର ଲୋକମାନେ ନିର୍ଭର କରୁଥିବା ବେଳେ ଆବଶ୍ୟକ ଔଷଧ ନ ମିଳିବା ନେଇ ରୋଗୀମାନଙ୍କୁ ଔଷଧ ଲେଖିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି କର୍ମଚାରୀ ଜଣକ ମତ ଦେଇଛନ୍ତି।

ଅପରପକ୍ଷରେ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଳ୍ପ କିଛି ଆଣ୍ଟି-ବାଇଓଟିକ୍‌ ଔଷଧ ଯୋଗାଇ ଦିଆଯାଇଛି। ମାତ୍ର ଏହାର ପରିମାଣ ଆବଶ୍ୟକତାଠାରୁ ଯଥେଷ୍ଟ କମ୍। ତେଣୁ କେଉଁ ସମୟରେ ମଧ୍ୟ ଏହା ଶେଷ ହୋଇଯିବ। ଏଭଳି ପରିସ୍ଥିତିରେ ପୁଣିଥରେ ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ସଂକଟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ସମସ୍ୟା କେବଳ କଳ୍ପନା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ‌ନୁହେଁ। ରାଜଧାନୀର ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ଏହି ସମସ୍ୟା ଲାଗି ରହିଛି। କେବେ ଔଷଧ ଦିଆଯାଉଛି ତ ଆଉ‌ କେତେବେଳେ ସଂପୂର୍ଣ୍ଣ ବନ୍ଦ। ସରକାରୀ ଡାକ୍ତରଖାନାରେ ମାଗଣାରେ ଔଷଧ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ଔଷଧ ନିଗମ ଗଠନ କରାଯାଇଛି। ପ୍ରତିବର୍ଷ ନିଗମ ପକ୍ଷରୁ ଔଷଧର ସଂଖ୍ୟା ବୃଦ୍ଧି କରାଯାଉଛି। ଏହାସତ୍ତ୍ବେ ମଧ୍ୟ ରାଜଧାନୀର ଅଧିକାଂଶ ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ ‌ନ ହେବା ନିଗମ ଆଡ଼କୁ ଅଙ୍ଗୁଳି ନିର୍ଦେଶ କରିଛି।

ଏ ସମ୍ପର୍କରେ ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) କୁହନ୍ତି, ୟୁପିଏଚ୍‌ସି ଓ ୟୁସିଏଚ୍‌ସିର ଅଧିକାରୀଙ୍କୁ ଆବଶ୍ୟକ ଔଷଧ କ୍ୟାପିଟାଲ ହସ୍ପିଟାଲରେ ଥିବା ସେଣ୍ଟ୍ରାଲ ଡ୍ରଗ୍ ହାଉସରୁ ନେବା ପାଇଁ କୁହାଯାଇଛି। ନିକଟରେ କିଛି ସ୍ବାସ୍ଥ୍ୟକେନ୍ଦ୍ର ଔଷଧ ନେଇଥିବା ଜଣାପଡ଼ିଛି। ଏହାସତ୍ତ୍ବେ ମଧ୍ୟ କେଉଁ କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧ ଉପଲବ୍ଧ ହେଉନାହିଁ ତାହା ଯାଞ୍ଚ ପରେ କୁହାଯାଇ ପାରିବ ବୋଲି ଏଡିଏମ୍‌ଓ (ଜନସ୍ବାସ୍ଥ୍ୟ) ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର