ଭୁବନେଶ୍ବର : ପରିମଳକୁ ନେଇ କଠୋର ହୋଇଛି ବିଏମ୍ସି। ଖୋଦ୍ କମିସନର ବିଭିନ୍ନ ୱାର୍ଡ ଓ ବଜାର ଅଚାନକ ପରିଦର୍ଶନ କରୁଥିବା ବେଳେ ପରିମଳ କର୍ମଚାରୀ ନିୟମିତ ଚଢ଼ଉ ଜାରି ରଖିଛନ୍ତି। ଏହି କ୍ରମରେ ଆଜି ପଟିଆ ସ୍ଥିତ ହସ୍ପିଟାଲ୍ ଫାର୍ମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଛି। ପ୍ରତ୍ୟେକ ବ୍ୟବସାୟୀ ନିଜ ଚାରିପାଖରୁ ୫ ମିଟର ପର୍ଯ୍ୟନ୍ତ ସଫା ରଖିବାକୁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ବ୍ୟବସାୟୀ ସଫା ରଖିନଥିବାରୁ ସିଲ କରାଯାଇଥିବା ବିଏମ୍ସି କହିଛି। ଜରିମାନା ସହ ନିୟମ ମାନିବାକୁ ଲିଖିତ ପ୍ରତିଶ୍ରୁତି ଦେଲେ ଦୋକାନ ଖୋଲିବାକୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ସଚେତନ ନ ହେଲେ ଆଗକୁ କାର୍ଯ୍ୟାନୁଷ୍ଠାନ ଦୃଢ଼ ହେବ ବୋଲି ବିଏମ୍ସି ଚେତାଇ ଦେଇଛି।
କେବଳ ବ୍ୟାବସାୟିକ ପ୍ରତିଷ୍ଠାନ ନୁହେଁ, ବରଂ ସାଧାରଣ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୱାର୍ଡ ନମ୍ବର ୪୦ରେ ଜଣେ ଲୋକ ରାସ୍ତାକଡ଼ରେ ନିର୍ମାଣ ସାମଗ୍ରୀ ଗଦା କରିଥିବାରୁ ମୋଟା ଅଙ୍କର ଜରିମାନା ହୋଇଛି। ଆଗକୁ ଆବର୍ଜନା ଏଣେତେଣେ ଫିଙ୍ଗିବା ବା ଦୁଇ ପ୍ରକାରର ଡଷ୍ଟବିନ୍ ବ୍ୟବହାର ନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ଚଢ଼ଉ ନିୟମିତ ଜାରି ରହିଛି। ଗତକାଲି ବୁଦ୍ଧେଶ୍ବରୀ କଲୋନି ଓ ୟୁନିଟ୍-୧ ହାଟରେ ଦୁଇ ବ୍ୟବସାୟୀଙ୍କ ଉପରେ ମୋଟା ଅଙ୍କର ଜରିମାନା ହୋଇଛି। ଏମାନେ ଓଦା ଓ ଶୁଖିଲା ପାଇଁ ଦୁଇଟି ଡଷ୍ଟବିନ୍ ବ୍ୟବହାର କରୁନଥିବାରୁ ଜରିମାନା ହୋଇଛି।
ବିଏମ୍ସି କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି, ଭୁବନେଶ୍ବରକୁ ସଫା ରଖିବାକୁ ହେଲେ ବିଏମ୍ସି ସହ ପ୍ରତ୍ୟେକ ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ା। ଆମେ ଦେଖୁଛୁ ଅନେକ ଲୋକ ସଚେତନ ହେଲେଣି। ଦୁଇ ଦୁଇଟି ଡଷ୍ଟବିନ୍ ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରବର୍ତ୍ତାଇଲେଣି। କିନ୍ତୁ କେତେକ ବ୍ୟବସାୟୀ ଓ ସାଧାରଣ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ଆସିନାହିଁ। ଯେତେବେଳେ ସେମାନେ ଆବର୍ଜନା ଏଣେ ତେଣେ ନ ଫିଙ୍ଗିବା ଓ ଦୁଇଟି ଡଷ୍ଟବିନ୍ରେ ଓଦା ଶୁଖିଲା ବର୍ଜ୍ୟ ସଂଗ୍ରହ କରି ସଫେଇ ଗାଡ଼ିକୁ ଦେବା କଥା ବୁଝିଯିବେ, ସେତେବେଳେ ଯାଇ ସୁନ୍ଦର ଭୁବନେଶ୍ବରର ପରିକଳ୍ପନା ବାସ୍ତବ ରୂପ ନେବ ବୋଲି ସେ କହିଛନ୍ତି।