ଭୁବନେଶ୍ବର: ବିନା ପ୍ରେସ୍‌କ୍ରିପସନ୍‌ରେ ମିଳିବନି ଔଷଧ। ବିଶେଷକରି ସିଡ୍ୟୁଲ୍‌ଡ(ଅନୁସୂଚିତ) ଔଷଧଗୁଡ଼ିକ ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ ବିନା ଔଷଧଦୋକାନୀମାନେ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଆଣ୍ଟିବାୟୋଟିକ୍, କଫ୍ ସିରପ୍‌ ଭଳି ଔଷଧ ଆଉ ବିନା ପ୍ରେସ୍‌କ୍ରିପସନ୍‌ରେ ଲୋକଙ୍କୁ ମିଳିବ ନାହିଁ। ଏହି ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ଔଷଧଦୋକାନୀ ଏ ସଂପର୍କିତ ସୂଚନାପତ୍ର ଲଗାଇଛନ୍ତି। 

Advertisment

ମଧ୍ୟପ୍ରଦେଶରେ କଫ୍ ସିରପ୍‌ କାରଣରୁ ଏକାଧିକ ଶିଶୁଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ହଇଚଇ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟ ସରକାର ‌୨ବର୍ଷରୁ କମ୍ ପିଲାଙ୍କୁ କଫ୍ ସିରପ୍‌ ସେବନ ଉପରେ କଟକଣା ଲଗାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ରାଜ୍ୟମାନଙ୍କୁ ପତ୍ର ଜାରି କରାଯିବା ସହ ଶିଶୁଙ୍କ କଫ୍ ସିରପ୍‌ର ବ୍ୟବହାର ନେଇ କେତେକ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଭୁବନେଶ୍ବର ସମେତ ରାଜ୍ୟବ୍ୟାପୀ ଔଷଧଦୋକାନଗୁଡ଼ିକରେ ବିନା ପ୍ରେସ୍‌କ୍ରିପସନ୍‌ରେ ଲୋକମାନେ ଔଷଧ କିଣୁଛନ୍ତି। ଦୋକାନୀମାନେ ମଧ୍ୟ ବିନା ସଙ୍କୋଚରେ ଔଷଧ ପ୍ରଦାନ କରୁଛନ୍ତି। ବିଶେଷକରି ବିନା ପ୍ରେସ୍‌କ୍ରିପସନ୍‌ରେ ଔଷଧଦୋକାନୀମାନେ ଔଷଧ ପ୍ରଦାନ କରୁଥିବାରୁ ଏହା ଉପରେ କଟକଣା ଲଗାଇବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଆଲୋଚନା ହୋଇଥିଲା। ରାଜ୍ୟ ଭେଷଜ ନିର୍ଦ୍ଦେଶାଳୟ ଏ ସଂପର୍କିତ ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଥିବା ସୂଚନା ମିଳିଛି। ମାତ୍ର ଏହା ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି। 

ସେହିପରି ଔଷଧଦୋକାନରେ କେବଳ ଔଷଧ ବିକ୍ରି ନୁହେଁ, ଇଞ୍ଜେକସନ୍‌ ଫୋଡ଼ିବାକୁ ନେଇ ମଧ୍ୟ କଟକଣା ନାହିଁ। ୨୦୨୩ ମସିହାରେ ଯାଜପୁର ଜିଲ୍ଲାରେ ଡାଇରିଆରେ ପୀଡ଼ିତ ଜଣେ ୬ବର୍ଷର ପିଲାକୁ ଔଷଧଦୋକାନରେ ଇଞ୍ଜେକସନ୍ ଦିଆଯାଇଥିଲା। ବିନା ପ୍ରେସ୍‌କ୍ରିପସନ୍‌ରେ ଏହି ଇଞ୍ଜେକସନ୍‌ ଦିଆଯାଇଥିବାରୁ ପିଲାଟି ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲା। ୨୦୨୦ ମସିହାରେ ଢେଙ୍କାନାଳରେ ମଧ୍ୟ ଜଣେ ୨୭ବର୍ଷର ଯୁବକ ଔଷଧଦୋକାନରେ ଇଞ୍ଜେକସନ୍‌ ନେବା ଫଳରେ ପ୍ରାଣ ହରାଇଥିଲେ। ଏଭଳି ଅଘଟଣ ନଜରକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗତ ଏପ୍ରିଲ ମାସରେ ଔଷଧଦୋକାନୀମାନଙ୍କୁ ଇଞ୍ଜେକସନ୍‌ ନ ଫୋଡ଼ିବା ଲାଗି କୁହାଯାଇଥିଲା। ସବୁ ସିଡିଏମ୍‌ଓମାନେ ଏହାକୁ ଯାଞ୍ଚ କରିବା ଲାଗି ମଧ୍ୟ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଥିଲା। ଏହି ନିର୍ଦ୍ଦେଶନାମା କିଭଳି ଢଙ୍ଗରେ ପାଳନ ହେଉଛି ତାହା ସଂପର୍କରେ କୌଣସି ସୂଚନା ନାହିଁ। 

କେବଳ ସେତିକି ନୁହେଁ, ୩ବର୍ଷ ତଳେ ଭୁବନେଶ୍ବର-କଟକରେ ନକଲି ଉଚ୍ଚ ରକ୍ତଚାପ ଔଷଧ ଚିହ୍ନଟ ପରେ ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ଦୋକାନରେ ସୂଚନାପତ୍ର ଲଗାଯିବା ଭଳି ପଦକ୍ଷେପ ନିଆଯାଇଥିଲା। ଔଷଧଦୋକାନରେ ରାଜଧାନୀରେ କାର୍ଯ୍ୟରତ ଡ୍ରଗ୍‌ ଇନ୍‌ସପେକ୍ଟରମାନଙ୍କ ନମ୍ବରକୁ ପ୍ରିଣ୍ଟ ଆଉଟ୍‌ ଜରିଆରେ ସୂଚନା ଦିଆଯାଇଥିଲା। ଯାହାଫଳରେ ସାଧାରଣ ଲୋକଟିଏ ଯଦି କୌଣସି ଔଷଧଦୋକାନରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ସନ୍ଦେହ କରିବେ ତାହାଲେ ସଙ୍ଗେ ସଙ୍ଗେ ଏ ସଂପର୍କରେ ଡ୍ରଗ୍‌ ଇନ୍‌ସପେକ୍ଟରଙ୍କୁ ସୂଚନା ଦେଇପାରିବେ। କିଛିମାସ ଧରି ଏହି ସୂଚନାପତ୍ର ଲାଗିବା ପରେ ସବୁକିଛି ପୂର୍ବଭଳି ହୋଇଯାଇଥିଲା।