କୋଲକାତା ଏମ୍‌ସ ଛାଡ଼ି, ଭୁବନେଶ୍ୱରମୁହାଁ ମେଦିନୀପୁର ରୋଗୀ

ରୋଗ କଷ୍ଟ ଭୁଲାଉଛି ନିର୍ବାଚନୀ ଚର୍ଚା

ଭୁବନେଶ୍ବର: ଭାଷା ହୁଏନି ପ୍ରତିବନ୍ଧକ, କୋଲକାତାରେ ଏମ୍ସ ଡାକ୍ତରଖାନା ଥିବା ସତ୍ତ୍ବେ ପଡ଼ୋଶୀ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର କାଁଥୀ, ରାମନଗର, ଏଗ୍ରା, ଦାନ୍ତୁନ, ଦୀଘା ଆଦି ଅଞ୍ଚଳବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଏମ୍ସ ଭୁବନେଶ୍ବର। ପ୍ରତିଦିନ ଏହିସବୁ ଅଞ୍ଚଳର ଶହ ଶହ ରୋଗୀ ଏମ୍ସ, ଏସ୍‌ସିବି ତଥା କଟକ, ଭୁବନେଶ୍ବରର ଅନ୍ୟାନ୍ୟ ଘରୋଇ ହସ୍ପିଟାଲକୁ ଆସନ୍ତି। ବଙ୍ଗାଳୀ ରୋଗୀ ସାଧାରଣତଃ ହିନ୍ଦୀ କହିପାରନ୍ତି ନାହିଁ। ଏଠି କିଛି ଡାକ୍ତର ସେମାନଙ୍କ ଭାଷା ବୁଝି ନ ପାରିଲେ ଅନ୍ୟ କର୍ମଚାରୀଙ୍କ ସହାୟତାରେ ସେମାନଙ୍କ କଥା ବୁଝିବାକୁ ଚେଷ୍ଟା କରନ୍ତି। ଏହାଛଡ଼ା ଏମ୍ସରେ କମ୍ ଅର୍ଥରେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଉନ୍ନତ ଚିକିତ୍ସା ମିଳୁଥିବାରୁ ଅଧିକାଂଶ ଜଟିଳ ରୋଗୀ ଏହି ହସ୍ପିଟାଲକୁ ବାଛିଥାଆନ୍ତି।

ମେଦିନୀପୁରର ବଙ୍ଗାଳୀ ରୋଗୀ ଓ ତ‌ାଙ୍କ ସଂପର୍କୀୟମାନେ ବହୁ ସଂଖ୍ୟାରେ ଭୁବନେଶ୍ବର ଆସୁଥିବାରୁ ବେଶ୍ କେତୋଟି ସ୍ବତନ୍ତ୍ର ନାଇଟ୍‌ ବସ୍ କେବଳ ‌ସେହିମାନଙ୍କ ପାଇଁ କାଁଥି ଓ ଦୀଘାରୁ ଭୁ‌ବନେଶ୍ବର ଆସୁଛି। ଏହିସବୁ ନାଇଟ୍‌ ବସ୍‌ରେ ଦଳଦଳ ହୋଇ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ଭୋର୍ ଭୋର୍ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ଏମ୍‌ସରେ ଓପିଡି ପାଇଁ ଲାଇନ୍ ଦିଅନ୍ତି। ଟିକଟ କାଟିବାଠାରୁ ଓପିଡିରେ ଦେଖାଇବା ପର୍ଯ୍ୟନ୍ତ ରୋଗୀଙ୍କୁ ବାହାରେ ଅପେକ୍ଷା କରିବାକୁ ପଡ଼ୁଥିବାରୁ ପରିଜନଙ୍କ ସହିତ ବଙ୍ଗାଳୀ ରୋଗୀ ଏକାସହିତ ରହିବାକୁ ପସନ୍ଦ କରନ୍ତି। ଏଥିଯୋଗୁଁ ବିପଦ ସମୟରେ ପରସ୍ପରର ସହଯୋଗୀ ହୁଅନ୍ତି। ସୁବିଧାଜନକ ଯୋଗାଯୋଗ ବ୍ୟବସ୍ଥା, କୋଲକାତା ତୁଳନାରେ ଭୁବନେଶ୍ବରରେ କମ ଖର୍ଚ ଯୋଗୁଁ ସେମାନେ ଏଠିକୁ ଆସୁଥିବା କହନ୍ତି। ରୋଗ ଦେଖାଇବାକୁ ଆସି ମଧ୍ୟ ଏବେ ପଶ୍ଚିମବଂଗରେ ଚାଲିଥିବା ନିର୍ବାଚନରେ ଜୟ-ପରାଜୟ ନେଇ ରୋଗୀଙ୍କ ମଧ୍ୟରେ ଚର୍ଚା ଗରମ ରହିଛି। ନିର୍ବାଚନରେ ଧର୍ମଭିତ୍ତିକ ପ୍ରସଙ୍ଗ ଯେଉଁଭଳି ଆଲୋଚନା ହେଉଛି, ସ୍ବାସ୍ଥ୍ୟ ସେବା କିନ୍ତୁ ସେଭଳି ମୁଖ୍ୟ ପ୍ରସଙ୍ଗ ହୋଇ ପାରୁ ନଥିବା ନେଇ ଅନେକ ମତ ପ୍ରକାଶ କରିଛନ୍ତି।

ଗୋଡ଼ରେ ସ୍ନାୟୁଜନିତ ସମସ୍ୟା ନେଇ ପତ୍ନୀଙ୍କ ସହିତ ପୂର୍ବମେଦିନୀପୁର ସ୍ଥିତ ଏକ ଗାଁରୁ ଏମ୍ସ ଭୁବନେଶ୍ବର ଆସିଛନ୍ତି ସମସୁଖ ସେଖ(୫୦)। ସମସୁଖ କହନ୍ତି, ୨ ବର୍ଷ ହେଲା ଏହି ସମସ୍ୟା ରହିଥିଲା, ଲକ୍‌ଡାଉନ୍‌ ଯୋଗୁଁ ଗତବର୍ଷ ଆସିନଥିଲେ। ଚଳିତ ବର୍ଷ ତାଙ୍କ ଗାଁର ଆଖପାଖ ଅଞ୍ଚଳର ଆଉ କିଛି ବ୍ୟକ୍ତି ଏକାଠି ହେବାରୁ ସ୍ତ୍ରୀଙ୍କ ସହିତ ସେମାନେ ୨୦ ଜଣ ବସ୍‌ରେ ଆସିଛନ୍ତି। ପିକ୍‌ନିକ୍‌ ଭଳି ଗୀତ ଗାଇ, ଗପସପ କରି ଆସିବାରୁ ଯାତ୍ରା କଷ୍ଟ ମଧ୍ୟ ଜଣା ପଡ଼ିନଥିଲା। ଏମାନଙ୍କ ମଧ୍ୟରୁ କାହାର ଆଣ୍ଠୁ-ଗଣ୍ଠି, କାହାର ହୃଦରୋଗ ତ ଆଉ କାହାର ଅନ୍ୟ ପ୍ରକାର ସମସ୍ୟା ରହିଛି। ତାଙ୍କ ନିର୍ବାଚନ ମଣ୍ଡଳୀରେ ଟିଏମସି ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ଚାଲିଛି। ଭୋଟ ସରି ଯାଇଥିଲେ ବି ବର୍ତ୍ତମାନ ଚର୍ଚାରେ ଅଛନ୍ତି ମମତା ବାନାର୍ଜୀ ଓ ତାଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀ। ଏସବୁ ଭୋଟ ଚର୍ଚ୍ଚା ସେମାନଙ୍କ ରୋଗକଷ୍ଟକୁ କିଛିଟା ଲାଘବ କରୁଥିବା କହନ୍ତି ସମସୁଖଙ୍କ ଭଳି ଅନ୍ୟ ରୋଗୀ ଓ ସଂପର୍କୀୟ।

ସେହିପରି ହଳଦିଆର ୪୫ ବର୍ଷୀୟ ମଙ୍ଗୋଲି ମେଟା କହନ୍ତି, ବର୍ଷେ ହେଲା ତାଙ୍କର ହୃଦରୋଗ ସମସ୍ୟା ରହିଛି। ଡାକ୍ତର ଇକୋ, ଇସିଜି କରିଛନ୍ତି। ଗାଁରେ ତାଙ୍କ ଚିକିତ୍ସା ନେଇ କିଛି ସୁବିଧା ନାହିଁ। ଏମ୍ସ କୋଲକାତାରେ ଚିକିତ୍ସା କରାଇବା ପ୍ରକ୍ରିୟା ଏତେ ସୁବିଧାଜନକ ନ ଥିବାରୁ ସେମାନେ ଏଠିକୁ ଆସୁଛନ୍ତି। କୋଲକାତା ଏମ୍ସ ନୂଆ ହୋଇଥିବାରୁ ଏହାର ଭିତ୍ତିଭୂମି ସୁଦୃଢ଼ କରାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେତେ ଗୁରୁତ୍ବ ଦିଆଯାଉ ନାହିଁ। ଦୀଘାର ନୁଆରା ବିବି କହିଛନ୍ତି, ତାଙ୍କ ପୁଅର ଗ୍ରହଣଖଣ୍ଡିଆ ସମସ୍ୟା ରହିଛି। ଦେଶର ଯେଉଁଠିକୁ ଗଲେ ତାଙ୍କର ନିଃଶୁଳ୍କ ଚିକିତ୍ସା ହୋଇ ପାରିବ। ସେ ପିଲା ଦିନରୁ ବାଲେଶ୍ବର ସହିତ ଜଡ଼ିତ। କୋଲକାତା ଅପେକ୍ଷା ଭୁବନେଶ୍ବର ତାଙ୍କୁ ସହଜ ଲାଗେ। ଗୃହିଣୀ ହେଲେ ମଧ୍ୟ ନିର୍ବାଚନକୁ ନେଇ ନୁଆରା ବିବିଙ୍କ ଆଗ୍ରହ ରହିଛି। ଆଗାମୀ ନିର୍ବାଚନ ଫଳାଫଳ ସେମାନଙ୍କ ଭାଗ୍ୟ ନିର୍ଧାରଣ କରିବ ବୋଲି ସେ ଅନୁଭବ କରନ୍ତି।

ସମ୍ବନ୍ଧିତ ଖବର