ଭୁବନେଶ୍ବର: ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସମସ୍ତେ ବଡ଼ ବଡ଼ କଥା କହୁଛନ୍ତି। ନିର୍ବାଚନରେ ବି ମହିଳାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଛି। କିନ୍ତୁ ଅଧିକାଂଶ ସ୍ଥାନରେ ମହିଳାଙ୍କୁ ଘରକୋଣରେ ଛାଡ଼ି ସ୍ବାମୀମାନେ କ୍ଷମତା ଉପଭୋଗ କରୁଛନ୍ତି। କିନ୍ତୁ ମୀନାକ୍ଷୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା। ସେ ଅତ୍ୟନ୍ତ ସ୍ବାବଲମ୍ବୀ ଥିଲେ। ସାମାଜିକ କାର୍ଯ୍ୟକ୍ରମ, ଘୋଷିକା, କାର୍ଯ୍ୟକ୍ରମ ଆୟୋଜନ କରିବା ସହ ସବୁକ୍ଷେତ୍ରରେ ତାଙ୍କର ଆଗ୍ରହ ଥିଲା। ସେ ଜଣେ ସଫଳ ମହିଳା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମୀନାକ୍ଷୀ ଧର ଆମ ସମାଜ ପାଇଁ ଏକ ଉଦାହରଣ। ଆଜି ୱାଇଏମ୍ଏଫ୍ଆଇ ଏବଂ ମୀନାକ୍ଷୀ ଧର ଫାଇଣ୍ଡେସନ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତିସଭା ‘ସ୍ମୃତିରେ... ସ୍ମୃତିରେ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ।
ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଏନ୍ଆଇଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର୍ ସୁନୀଲ ଷଡ଼ଙ୍ଗୀ କହିଲେ, ମୀନାକ୍ଷୀ ଧର ରାଉରକେଲାର ପରିଚୟକୁ ବିସ୍ତାରିତ କରିଥିଲେ। ରାଉରକେଲାର ସେ ଜଣେ ବ୍ୟକ୍ତିରୂପକ ଅନୁଷ୍ଠାନ ଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସାହିତ୍ୟିକ ବିଭୂତି ଭୂଷଣ ପଣ୍ଡା ସ୍ବର୍ଗତା ଧରଙ୍କ ସ୍ମୃତିଚାରଣ କରିଥିଲେ। ନଳିନୀକାନ୍ତ ଧର ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସାହିତ୍ୟିକା ଅର୍ଚ୍ଚନା ନାୟକଙ୍କୁ ‘ମୀନାକ୍ଷୀ ଧର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ସୌଦାମିନୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ୱାଇଏମ୍ଏଫ୍ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ମୀନାକ୍ଷୀ ଧରଙ୍କ ଉପରେ ଆଧାରିତ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବର୍ଗତା ଧରଙ୍କ ଦୁଇ ଝିଅ ପୂଜା ଓ ପ୍ରାଚୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/31-17.jpg)