କାର୍‌କୁ ପିଟିଲା ଟ୍ରକ୍‌, ବର୍ତ୍ତିଗଲେ ମୀରା କିନ୍ନର

ଖଣ୍ଡଗିରି : ସୋମବାର ଅପରାହ୍ଣ ପ୍ରାୟ ୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ାଠାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରୁ କିନ୍ନର ମୀରା ପରିଡ଼ା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏକ ଟ୍ରକ୍‌ ଧକ୍କାରେ ତାଙ୍କ କାର୍‌ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରାଜନୈତିକ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରିବାକୁ ଏହା ଏକ ଯୋଜନାବଦ୍ଧ କାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଜଟଣୀ ଥାନା ପୁଲିସ ଟ୍ରକ୍‌ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନାନୁସାରେ ମୀରା ଓ ତାଙ୍କ ସମ୍ପର୍କୀୟ ଭାଇ ପୁରୀ ସଦର ଶାସନ ଦାମୋଦରପୁରର ରାକେଶ ଦାଶ ସପରିବାର ଏକ କାର୍‌ (ଓଡି୦୨ଏଆର୍‌-୫୯୩୧) ଯୋଗେ ଖୋର୍ଧା ବେଗୁନିଆ ଯାଉଥିଲେ। ସେମାନେ ଯାଁଳା ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ (ଏପି୦୭ଟିଜି-୫୧୭୫) କାର୍‌ ସହ ଧକ୍କା ହୋଇଥିଲା। ଟ୍ରକ୍‌ଟି କାର୍‌ର ପାର୍ଶ୍ୱରେ ପିଟି ହୋଇଯିବା ପରେ ତାହା ଟ୍ରକ୍‌ ଆଗକୁ ଚାଲି ଯାଇଥିଲା ଓ କିଛି ବାଟ ଠେଲି ହୋଇ ଯାଇଥିଲା। ଟ୍ରକ୍‌ ଚାଳକ ବ୍ରେକ୍‌ ମାରି ଗାଡ଼ି ଅଟକାଇବା ପରେ ମୀରା କାର୍‌ରୁ ଓହ୍ଲାଇ ଟ୍ରକ୍‌ ଚାଳକଙ୍କୁ ଟାଣି ଆଣି ମାଡ଼ ମାରିଥିଲେ। ସ୍ଥାନୀୟ ଲୋକେ ଟ୍ରକ୍‌ ଚାଳକଙ୍କୁ ସମର୍ଥନ କରି ପ୍ରତିବାଦ କରିବାରୁ ମୀରା ଜାତୀୟ ରାଜପଥ ଉପରେ ବସି ଯାଇଥିଲେ। ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା।

ଖବର ପାଇ ଜଟଣୀ ଥାନା ଆଇଆଇସି ସଂଜୀବ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରି ସମସ୍ତଙ୍କୁ ଯାଁଳା ଫାଣ୍ଡିକୁ ନେଇଥିଲେ। ସେଠାରେ ମୀରା ଲିଖିତ ଅଭିଯୋଗ କରି ଦର୍ଶାଇଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ସଡ଼କ ଦୁର୍ଘଟଣା ଭଳି ଏକ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ପୁଲିସ ସୂଚନାନୁସାରେ ଟ୍ରକ୍‌ ମାଲିକଙ୍କୁ ଆନ୍ଧ୍ରପ୍ରଦେଶରୁ ଡକା ଯାଇଛି ଓ ତାଙ୍କୁ ପଚରାଉଚରା କରିବା ପରେ ପ୍ରକୃତ ତଥ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର