ପିତୃ ଦିବସରେ ଭେଟ ହେଲେ ଜଣେ ବାପା, ୬ ସନ୍ତାନ ଥାଇ ୭ବର୍ଷ ହେଲା ବାହାରେ ବୁଲୁଛନ୍ତି

ଭୁବନେଶ୍ବର: ସଂସାର ବଡ଼ ବୋଲି ନିଜ ଭାଗରୁ ବଳେଇ ପୁଅ ଝିଅଙ୍କୁ ଖୁଆଇ ଦେଉଥିଲେ। ଅଥଚ ଏ ବୃଦ୍ଧ ବୟସରେ ପେଟ ଖଣ୍ଡକ ପାଇଁ ୭ ବର୍ଷ ହେଲା କେବେ ଏ ଝିଅ ଘର ତ ଆଉ କେବେ ସେ ଝିଅ ଘର ବୁଲୁଛନ୍ତି। ଦେହ ଖରାପ ହେଲେ ପୁଅ ଝିଅଙ୍କୁ କାଖେଇ ସେ ଭିଙ୍ଗାରପୁରରୁ ବାଳକାଟି ମେଡିକାଲ୍‌ ଯାଏଁ ଧାଇଁ ଆସୁଥିଲେ। ଦୀର୍ଘ ମାସ ହେଲା ତାଙ୍କ ହାତ ଭାଙ୍ଗି ଯାଇଥିଲେ ବି କୋଉ ପୁଅ ତାଙ୍କୁ ଆହା ପଦେ କହିବାକୁ ବି ଆଗେଇ ଆସିନାହାନ୍ତି। ଇଏ ହେଉଛି ଜଣେ ଦରଦୀ ବାପା ପୂର୍ଣ୍ଣଚନ୍ଦ୍ର ରାଉତ ଓ ସ୍ନେହରଙ୍କୁଣା ମା’ ଗୋଲାପ ରାଉତଙ୍କ ଦୟନୀୟ ଅବସ୍ଥାର ଚିତ୍ର। ବାପାଙ୍କ ଅବଦାନକୁ ସ୍ମରଣ କରି ଆଜି ଅନେକ ସ୍ଥାନରେ ପିତୃ ଦିବସ ପାଳନ ହେଉଥିବା ବେଳେ ଆମେ ଭେଟିଥିଲୁ ପୂର୍ଣ୍ଣଚନ୍ଦ୍ରଙ୍କ ଭଳି ଜଣେ ହତଭାଗା ବାପାଙ୍କୁ। ପୁଅ ଝିଅ ହୋଇ ତାଙ୍କର ୬ଜଣ ସନ୍ତାନ। ୨ଜଣ ନିଜ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ଜୀବନ ଜୀଉଁଛନ୍ତି। କିନ୍ତୁ ବାପା ମା’ ଯେମିତି ତାଙ୍କ ପାଇଁ ବୋଝ ସଦୃଶ ପାଲଟି ଯାଇଛନ୍ତି। ୩ ପୁଅ ଥାଇ ବି ୭୨ବର୍ଷ ବୟସରେ ୭ ବର୍ଷ ହେଲା ସେ ବାହାରେ ବୁଲୁଛନ୍ତି। କେବେ କେମିତି ଝିଅମାନଙ୍କ ଘରକୁ ଯାଇ ସେଠାରେ ଖାଇ ଆସୁଥିଲେ ବି ସବୁବେଳେ ତାଙ୍କ ପାଖରେ ରହିବାକୁ ଉଚିତ୍‌ ମଣିନାହାନ୍ତି।

କିଛିଦିନ ତଳେ ନିଜ ରୋଗିଣା ସ୍ତ୍ରୀଙ୍କୁ ଧରି ରାସ୍ତାରେ ବୁଲୁଥିବା ବେଳେ ତାଙ୍କୁ ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ଉଦ୍ଧାର କରାଯାଇ ଗଙ୍ଗନଗରସ୍ଥିତ ବାସହନୀଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଛି। ତେବେ ସେ ନିଜ ପାଇଁ ଯେତିକି ଚିନ୍ତିତ ନୁହନ୍ତି ହାତ ଭାଙ୍ଗି ଯାଇଥିବା ୬୫ବର୍ଷୀୟ ପତ୍ନୀ କଥା ତାଙ୍କୁ ବେଶି ଚିନ୍ତିତ କରୁଛି। ନିଜ ପୁଅମାନଙ୍କ ପାଖକୁ ଫେରିଯିବାକୁ ଇଚ୍ଛା ଅଛି କି ନାହିଁ ପଚାରିବରୁ ସେ କହିଥିଲେ, ଇଚ୍ଛା ତ ବହୁତ ଅଛି ହେଲେ ସବୁ ସେମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ପିଲାଦିନେ ପୁଅଝିଅମାନେ ଦୁଷ୍ଟାମି କଲେ କାନ ଧରି ବସ୍‌ଉଠ କରାଉଥିବା ବାପା ପେଟ ଚାଖଣ୍ଡକ ପାଇଁ ପୁଅମାନଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର