ବଞ୍ଚିଥିଲେ ଆର ବରଷ…

ବିଦାୟ ନେଲେ ହବିଷିଆଳି

ପୁରୁଣା ଭୁବନେଶ୍ୱର: ପରିବାରର ମାୟା ବନ୍ଧନରୁ ବାହାରି ହରିଙ୍କୁ ଜପିବାକୁ ଆସିଥିଲି। ହେଲେ ଏଠି ହରିଙ୍କ ସାଙ୍ଗେ ନୂଆ ସଙ୍ଗିନୀ ବି ମିଳିଗଲେ। ସକାଳ ସଂଜରେ ଚଉରା ମୂଳେ ଆଉ ଖରାବେଳେ ସାଙ୍ଗମେଳେ ଚାହୁଁଚାହୁଁ କାର୍ତିକ କଟିଗଲା। କେମିତିକା ବନ୍ଧନ କେଜାଣି, କାଲି ଯାଏଁ ଛଟପଟ ଲାଗୁଥିଲା। ହେଲେ ଆଜି ଜମାରୁ ବି ଏ ଜାଗା ଛାଡ଼ିବାକୁ ଇଚ୍ଛା ହେଉନି। ମାସକର ଧର୍ମ ଅର୍ଜି ଡୁଡ୍‌ଓ୍ଵାଲା ଧର୍ମଶାଳାରୁ ଘରକୁ ବାହୁଡ଼ିଯିବା ବେଳେ ଆଶାମଣିଙ୍କ ଲୁହ ଭିଜା ମୁହଁରୁ ଉତୁରି ଆସିଥିଲା ଏମିତି କେଇପଦ କଥା।

ଆଜି ଯେତେବେଳେ ଘରକୁ ଯିବା ପାଇଁ ନିଜ ଆସବାବ ପତ୍ର ସଜାଡ଼ୁଥିଲେ ଆଖି ଜକେଇ ଆସୁଥିଲା। ଯେମିତି ସେମାନଙ୍କ ପାଇଁ ଏହା ଥିଲା ଶେଷ ଦେଖା। ଡୁଡ୍‌ଓ୍ଵାଲା ଧର୍ମଶାଳାରେ ପ୍ରାୟ ୧୭୦ଜଣ ହବିଷିଆଳି ଏକାଠି ରହିବା ବେଳେ ସେଠାରେ ସୃଷ୍ଟି ହୋଇଥିଲା ଏକ ନୂଆ ପରିବାର। ଯେଉଁଠି ସୁଖଦୁଃଖର ହିସାବ ନିକାଶ ହେଉଥିଲା ପୁଣି ବେଳେବେଳେ କଜିଆ ବି ଲାଗୁଥିଲା। ହେଲେ ସେ କଜିଆ ପରେ ପରସ୍ପରକୁ ବୁଝାଇବା ବେଳର ମୁହୂର୍ତକୁ ଭୁଲି ହେଉନି ବୋଲି କୁହନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ପ୍ରମିଳା ସାହୁ। ଚଉଁରା ମୂଳେ ରାଧାକୃଷ୍ଣ ବେଶ ହୋଇ ନାଚିବାର ଅଭିନୟ ଯେତିକି ଆକର୍ଷଣୀୟ ଥିଲା ଫୁରସତ୍‌ ବେଳେ ଗପ ଜମିଆସିବାର ମଜା ସେତିକି ସ୍ମରଣୀୟ ଥିଲା ବୋଲି ସେ କହିଛନ୍ତି।

ମାସସାରା ହବିଷ୍ୟାନ୍ନ ଓ ମହାପ୍ରସାଦ ଖାଇ ପରିବାର ପରିଜନଙ୍କଠୁ ସେମାନେ ଦୂରେଇ ରହିଥିଲେ। ଆଉ ଶେଷ ଦିନରେ ସେମାନେ ଭୂମିରେ ଭୀମ ଚିତ୍ର ଆଙ୍କି ପାଟିରେ ମୂଳା, ମୁଢ଼ି, କଦଳୀ, ସେଓ ଆଦି ଦେଇଥିଲେ। ମାସ ତମାମ ହବିଷ ପରେ ଆଜି ଉଷୁନା ଭାତ ରାନ୍ଧି ଏକାଠି ଖାଇଥିଲେ। ଏହା ସହ କାଞ୍ଜି, ସନ୍ତୁଳା ମଧ୍ୟ ରାନ୍ଧି ଭୀମଙ୍କୁ ଖୁଆଇବା ପରେ ନିଜେ ତାର ସ୍ୱାଦ ନେଇଥିଲେ।

ଆଜି ବିଦାୟ କାଳର ଦୃଶ୍ୟ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଦୀର୍ଘ ଏକମାସର ରହଣି ପରେ ପରସ୍ପରଠୁ ଦୂରେଇବା ବେଳେ କୁଣ୍ଢେଇ କାନ୍ଦିବା ବେଳେ ଜଣେ ଅନ୍ୟ ଜଣକୁ ବୁଝାଉଥିଲା। ଠିକ୍‌ ପରିବାରର ସଦସ୍ୟଟିଏ ପରି। ଆଜି ଘରକୁ ବାହୁଡ଼ିବା ବେଳେ ଅନେକଙ୍କ ପାଟିରୁ ବାହାରି ଆସୁଥିଲା, ବଞ୍ଚିଥିଲେ ଆର ବରଷକୁ ଦେଖା…

ସମ୍ବନ୍ଧିତ ଖବର