ଭୁବନେଶ୍ୱର: ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆକଳନ ପରେ ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିଏମସି ପକ୍ଷରୁ ମଧ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି ବିଏମସି ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ମୁତାବକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ବିଏମସି କର୍ମଚାରୀ ମୁଖ୍ୟାଳୟ ଛାଡି ଯାଇପାରିବେ ନାହିଁ | ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ କାଳରେ ପୁନରୁଦ୍ଧାର ଓ ଥଇଥାନ ଉପରେ ନଜର ରଖାଯିବ। ଖାଲୁଆ ଅଞ୍ଚଳରେ କିଭଳି ପାଣି ଜମିବ ନାହିଁ ଏବଂ ନିଷ୍କାସନ କିଭଳି ତୁରନ୍ତ କରାଯିବ ସେଥିପାଇଁ ପଦକ୍ଷେପ ନିଆଯିବ।

Advertisment

ଆବଶ୍ୟକ ହେଲେ ସ୍କୁଲ ଘର ଓ କଲ୍ୟାଣ ମଣ୍ଡପକୁ ଆଶ୍ରୟସ୍ଥଳୀ କରାଯିବ | ଶୁଖିଲା ଖାଦ୍ୟ ମହଜୁଦ କରି ରଖାଯିବ। ଏ ନେଇ ପୁଣି ୱାର୍ଡ ସ୍ତରୀୟ ବୈଠକ କରାଯିବ। ବୈଠକକୁ ନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି ଯେ ସମ୍ବେଦନଶୀଳ ତଥା ବିପଦଶଙ୍କୁଳ ଅବସ୍ଥାରେ ଥିବା କିଛି ସ୍ଥାନକୁ ଚିହ୍ନଟ କରି ସେଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। କର୍ପୋରେଟର, ୱାର୍ଡ କମିଟି, ପୂର୍ତ୍ତ ବିଭାଗ, ଡ୍ରେନେଜ, ଜାତୀୟ ରାଜପଥ ଓ ଅଗ୍ନିଶମ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।