ମହାଶିବରାତ୍ରି ସମନ୍ୱୟ ବୈଠକ: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର: ଚଳିତ ବର୍ଷ ଜାଗରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ। ଆସନ୍ତା ମାର୍ଚ ୪ ତାରିଖ ଜାଗର ଯାତ୍ରା ସୁରୁଖୁରୁରେ ସମାପନ ପାଇଁ ଅନୁଷ୍ଠିତ ସମନ୍ୱୟ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ୍ ହାଉସରେ ଅନୁଷ୍ଠିତ ଏହି ବୈଠକ‌ରେ ଜାଗର ଯାତ୍ରାର ନୀତି ନିର୍ଘଣ୍ଟ, ପରିମଳ, ଆଲୋକ ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନ ଶୃଙ୍ଖଳା ଆଦି ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ବୈଠକରେ ତିନି ପ୍ରମୁଖ ନିଯୋଗର ପ୍ରତିନିଧିମାନେ ଯୋଗ ନ ଦେବା ଘଟଣା ଆଜି ଆଲୋଚ୍ୟ ବିଷୟ ହୋଇଛି।ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା ପ୍ରମୁଖ ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବୈଠକ‌ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଯେପରି ଠିକଣା ସମୟରେ ମହାଦୀପ ଉଠିବ ଏବଂ ମନ୍ଦିର ପରିସରରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ। ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ବ୍ୟବସ୍ଥା କରିବା, ଯାତ୍ରାର ପୂର୍ବ ଓ ପରଦିନ ଯଥେଷ୍ଟ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ପାଇଁ କୁହାଯାଇଛି। ସେହିପରି କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ବିଭିନ୍ନ ସ୍ଥାନ ପରିଷ୍କାର କରାଯିବା, ସିଂହଦ୍ୱାରଠାରୁ ଅରୁଣ ସ୍ତମ୍ଭ ଯାଏ ବ୍ୟାରିକେଡ୍‌ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏଥିପାଇଁ ୪୦ଜଣ ପ୍ରତ୍ନତତ୍ତ୍ୱ ବିଭାଗର କର୍ମଚାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି।

ସେହିପରି ବିଏମ୍‌ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ସେହିଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାର ଥିବାରୁ ଏହାକୁ ଲକ୍ଷ୍ୟ ରଖି ଯିବା ଆସିବା ସୁବିଧା ନିମନ୍ତେ ଯାତ୍ରାର ଦିନ ଓ ପରଦିନ ମୋ’ ବସ୍‌ ଚଳାଇବାକୁ ନିଷ୍ପତ୍ତି ହୋଇଛି। ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ଜିଲ୍ଲା ସୂଚନା ବିଭାଗ ପକ୍ଷରୁ ପ୍ରଦାନ କରାଯିବ। ସେହିପରି ଜନସ୍ୱା‌ସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଛକମାନଙ୍କରେ ପାଣିଟାଙ୍କି ରଖାଯିବ। ବିଭିନ୍ନ ଗାଡ଼ି ମଟର ରଖିବା ପାଇଁ ଗଙ୍ଗା ଯମୁନା ନିକଟ, ବିଏମ୍ ହାଇସ୍କୁଲ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟରେ ଯାନବାହାନ ରଖାଯିବା ପାଇଁ ସ୍ଥିର କରାଯାଇଛି। ମହାଶିବରାତ୍ରୀ ପୂର୍ବ ଦିନ ମନ୍ଦିର ଚାରିପାଖେ ମଶାଧୂଆଁ ଗାଡ଼ି ବୁଲିବ, ମନ୍ଦିର ଦୁଇପାଖରେ ମନ୍ଦିରକୁ ଯିବା ବାଟରେ ଛାମୁଡ଼ିଆ ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ, ପିଏଚ୍‌ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଗୁରୁଚରଣ ସାହୁ, ଏଏସ୍ଆଇ ଭୁବନେଶ୍ୱର ସଂଗ୍ରାଧିକ୍ଷକ ଦିଲ୍ଲୀପ ପଣ୍ଡା, ଜିଲ୍ଲା ସୂଚନା ଅଧିକାରୀ ବରଦା ପ୍ରସନ୍ନ ଦାଶ, ଟ୍ରଷ୍ଟ ବୋର୍ଡର ସଭ୍ୟ ଗୌରୀଶଙ୍କର ପାଣି, ରୁଦ୍ର ପ୍ରସାଦ ନନ୍ଦ, ଶିବ ସମର୍ଥା, ସରୋଜ ମିଶ୍ର, ପ୍ରଦୀପ କୁମାର ପୃଷ୍ଟି ଓ ବହୁ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି
ପୁରୁଣା ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୪ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ ପାଳିତ ହେବାକୁ ଯାଉଛି। ଏଥିରେ ତିନି ପ୍ରମୁଖ ନିଯୋଗ ଅସହଯୋଗ କରି‌ବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ସମୟରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ବଦଳି କରାଯାଇଛି। ତାଙ୍କ ବଦଳରେ କିଏ ‌ଯୋଗଦେବେ, ତାହା ସ୍ପଷ୍ଟ ହୋଇନଥିବାରୁ ମହାଶିବରାତ୍ରୀରେ ବିଶୃଙ୍ଖଳା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଅନ୍ୟପଟେ ପ୍ରତିବର୍ଷ ମହାଶିବରାତ୍ରୀ ଆସିଲେ ମହୁ ଫେଣା ପୋଡ଼ା କାର୍ଯ୍ୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଆଜି ରାତିରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାରେ ମହୁ ଫେଣାକୁ ଏଏସ୍ଆଇର କର୍ମଚାରୀମାନେ ପୋଡ଼ିଛନ୍ତି। ମନ୍ଦିର ଚାରିପଟେ ଅନ୍ଧାର କରାଯାଇ ଏହି ମହୁ ଫେଣାକୁ ପୋଡ଼ା ଯାଇଛି।

ସମ୍ବନ୍ଧିତ ଖବର