ଜଳବାୟୁ ପରିବର୍ତନ, ଜଳ ଓ ଖାଦ୍ୟ ନିରାପତ୍ତା ସମ୍ମିଳନୀ: ନଦୀର ସୁରକ୍ଷା ପାଇଁ ‘ନଦୀ ସଂସଦ’ ଗଠନ ହେଉ

ଭୁବନେଶ୍ବର: ଜିଡିପି କେବଳ ଆମ ଦେଶର ଉନ୍ନତିର ଏକମାତ୍ର ମାପଦଣ୍ଡ ନୁହେଁ। ପ୍ରକୃତି ହେଉଛି ଅନ୍ୟ ଏକ ପ୍ରମୁଖ ଅଂଶ। ମାତ୍ର ମଣିଷ ନିଜ ଅଧିକାର ପାଇଁ ଯେତେ ଲଢ଼େଇ କରୁଛି, ପ୍ରକୃତିର ଅଧିକାର ପାଇଁ ସେତିକି କରୁନାହିଁ। ଫଳରେ ଜଳବାୟୁରେ ବିଲକ୍ଷଣ ଦେଖାଯାଉଛି। ତେଣୁ ଭୂମି, ଗଗନ, ବାୟୁ, ଅଗ୍ନି ଓ ନୀର ସ୍ବରୂପ ଭଗବାନଙ୍କ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ପାଣି ଓ ପ୍ରକୃତିକୁ ‌ପ୍ରେମ କରିବାକୁ ପଡ଼ିବ ବୋଲି କହିଛନ୍ତି ଜଳ ମାନବ ରାଜେନ୍ଦ୍ର ସିଂହ। ଅର୍ଗାନାଇଜେସନ୍‌ ଫର୍‌ ରିମୁଭିଙ୍ଗ୍‌ ରିଜିଓନାଲ୍‌ ଇମ୍‌ବାଲାନ୍ସ ଆଣ୍ଡ୍‌ ସୋସିଆଲ୍‌ ଇନ୍‌ଜଷ୍ଟିସ୍‌ ଇନ୍‌ ସୋସାଇଟି(ଓରିସିସ୍‌) ପକ୍ଷରୁ ହୋଟେଲ୍‌ ନିଉ ମାରିଅନ୍‌ରେ ଅନୁଷ୍ଠିତ ‘ଜଳବାୟୁ ପରିବର୍ତନ, ଜଳ ଓ ଖାଦ୍ୟ ନିରାପତ୍ତା ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ‌’ରେ ଉଦ୍‌ବୋଧନ ଦେଇ ସେ ‌କହିଲେ, ଆମ ଦେଶରେ ରିଜର୍ଭ ବ୍ୟାଙ୍କ୍‌କୁ ଗୁରୁତ୍ବ ଦିଆଯାଉଛି। ଏଣେ ‘ଭାରତୀୟ ଜଳ ରିଜର୍ଭ ବ୍ୟାଙ୍କ୍‌’ ଧୀରେଧୀରେ ଖାଲି ‌ହେବାରେ ଲାଗିଛି। ଫଳରେ ୧୩ଟି ରାଜ୍ୟର ୩୨୭ ଜିଲ୍ଲାରେ ଜଳାଭାବ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି। ଏହାର ସମାଧାନ ପାଇଁ ସରକାର ନଦୀ ସଂଯୋଗୀକରଣରେ ମାତିଛନ୍ତି। ମାତ୍ର ଏ ସମସ୍ୟା ସମାଧାନର ଏହା ପ୍ରକୃତ ବାଟ ନୁହେଁ। ମହାରାଷ୍ଟ୍ର ହିଁ ଏହାର ପ୍ରକୃଷ୍ଟ ଉଦାହରଣ। ତେଣୁ କେବଳ ଭୂମି ଉପରେ ଜଳାଶୟ କଥା ଚିନ୍ତା କଲେ ଚଳିବ ନାହିଁ। ଭୂତଳ ଜଳ କିପରି ଅଧିକରୁ ଅଧିକ ରିଚାର୍ଜ ହୋଇ ସଂରକ୍ଷିତ ହେବ, ସେ ଦିଗରେ ପଦକ୍ଷେପ ନେବା ଜରୁରି। ଏଥିପାଇଁ ଉଭୟ ଇଂଜିନିୟର ଓ ବୈଜ୍ଞାନିକ ମିଳିତ ଭାବେ କାମ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ପ୍ରତି ସ୍ତରରେ ଯେପରି ଜଳାଶୟ ସୁରକ୍ଷିତ ରହିବ ଏବଂ ଉଚିତ୍‌ ଭାବେ ପରିଚାଳିତ ହେବ, ସେଥିପାଇଁ ‘ନଦୀ ସଂସଦ’ ଗଠନ କରିବାକୁ ପଡ଼ିବ। ଏହା ନଦୀର ଅଧିକାର ଏବଂ ନଦୀ ପ୍ରତି ଉତ୍ତରଦାୟିତ୍ବବୋଧ ବାବଦରେ ସଚେତନ କରାଇବ ବୋଲି ସେ କହିଛନ୍ତି। ଅବସରପ୍ରାପ୍ତ ଜଷ୍ଟିସ୍ ଡି.ପି ଚୌଧୁରୀ, ଇସ୍ରାଏଲ୍‌ର ସହର ଜଳ ପରିଚାଳନା ମୁଖ୍ୟ ହଭୋଭ ଲର୍ଣ୍ଣର ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓରିସିସ୍‌ର ସଭାପତି ଅନନ୍ୟା ନାୟକ ବକ୍ତବ୍ୟରେ ପ୍ରକୃତିର ସୁରକ୍ଷା ପାଇଁ ଦକ୍ଷତା ଓ ନୂଆ ପଦ୍ଧତିକୁ ବିନିଯୋଗ କରିବା ସହ ମାନବିକତା ପ୍ରଦର୍ଶନ ପାଇଁ ନିବେଦନ କରିଥିଲେ। ଏହି ଅବସରରେ ଅନନ୍ୟାଙ୍କ ଦ୍ବାରା ରଚିତ ପୁସ୍ତକ ‘ମାଇ ଜର୍ଣ୍ଣି ଟୁ ହୀରାକୁଦ ଡ୍ୟାମ୍‌’ ଅତିଥିଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ପରେ ଅନୁଷ୍ଠିତ ବିଭିନ୍ନ ଅଧିବେଶନରେ ଇସ୍ରାଏଲ୍‌ର ଆଣ୍ଟୋନ୍‌ ଡ୍ରିଜ୍‌, ଶ୍ରୀଲଙ୍କାର ଏଲି କୋହେନ୍‌ ଏବଂ ଫଜଲ, ଭାରତରୁ ହରିନ୍ଦର ସିଂହ, ସତ୍ୟରଂଜନ ଦାସ ପ୍ରମୁଖ ଜଳବାୟୁ ପରିବର୍ତନ ସଂକ୍ରାନ୍ତୀୟ ସମସ୍ୟା ଓ ସମାଧାନ ବାବଦରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜଳ ମାନବ
ଭୁବନେଶ୍ବର: ଜଳ ମାନବ ରାଜେନ୍ଦ୍ର ସିଂହ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାର ଜଳ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ଉଭୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଶ୍ରୀ ସିଂହ ପୂର୍ବଥର କଥା ହୋଇଥିବା ‘ୱାଟର ରିଜୋଲୁସନ୍‌ ପଲିସି’ ବାବଦରେ ଆଜି ବି ଦୋହରାଇଥିଲେ। ଏହି ସ୍ବତନ୍ତ୍ର ଜଳ ନୀତି ବାବଦ ସାଂପ୍ରତିକ ସ୍ଥିତି ବାବଦରେ ମଧ୍ୟ କହିଥିଲେ। ରାଜ୍ୟରେ ଜଳ ସଙ୍କଟ ଓ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ‘ଜଳ ସାକ୍ଷରତା ଅଭିଯାନ’ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ। ଓଡ଼ିଶାରେ ଯଥେଷ୍ଟ ଜଳ ଥିଲେ ହେଁ ଏହାର ଅପବ୍ୟବହାର ଓ ପରିଚାଳନା ଠିକ୍‌ ଭାବେ ହେଉନଥିବାରୁ ‘ୱାଟର ଲିଟରାସି ଡିପାର୍ଟମେଣ୍ଟ୍‌’ ହେବା ଉଚିତ୍‌ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଏ ପ୍ରସ୍ତାବ ସହ ଏକମତ ହୋଇଥିବା ସେ ସୂଚନା ଦେଇଛନ୍ତି। ଅନେକ ସ୍ଥାନରେ ଭୂମି ଅବରୋଧ ଯୋଗୁଁ ନଦୀ ଜଳ ପ୍ରବାହିତ ହେବାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଏ ଦିଗରେ ମଧ୍ୟ ପଦକ୍ଷେପ ନେବା ଜରୁରି ବୋଲି ସେ କହିଥିଲେ। ଏଥିସହ ‘ମହାନଦୀ ବଞ୍ଚାଅ ଆନ୍ଦୋଳନ’ ପକ୍ଷରୁ ଆଜି ହୋଟେଲ୍‌ ନିଉ ମାରିଅନ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିଜ ତରଫରୁ ଜଳ ବିବାଦ ସମ୍ପର୍କରେ ଆଲୋଚନା ପାଇଁ ଡାକିଥିବା ସୂଚନା ଦେଇଛନ୍ତି। ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଲଳିତ ପଟ୍ଟନାୟକ, ବିଜୟ ପ୍ରଧାନ, ପ୍ରସନ୍ନ ବିଷୋୟୀ, ଅଶୋକ ପାଇକରାୟ ଓ ନିରଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର