କଟକ-ମହାନଦୀବିହାର: ରାଜ୍ୟ ସରକାର ୧୧ଟି ଜିଲ୍ଲାରେ ସାପ୍ତାହକୁ ଦୁଇଦିନ ଶନି ଓ ରବିବାର ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ପରିବା, ଗ୍ରୋସରି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବି ବନ୍ଦ ରହୁଛି। କିନ୍ତୁ ଏଭଳି ସଟ୍ଡାଉନ୍ ସମୟରେ କଟକରେ ଏକ ହୋଟେଲ୍ ଖୋଲିବା ଏବଂ ସେଠାରେ ବୈଠକ ଆୟୋଜନ ହେବା ଘଟଣା ଏବେ ଅନେକଙ୍କୁ ଚକିତ କରିଛି। ପୁଣି ସେହି ବୈଠକରେ ଜିଲ୍ଲାପାଳ, ଏଡିଏମ୍ ଆଉ ପୂର୍ବତନ ବିଧାୟକଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷ ଯୋଗଦେବା ଘଟଣାକୁ ନେଇ ପ୍ରଶ୍ନ ଉଠିଛି। ହୋଟେଲରେ ଏଭଳି କୌଣସି କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ରହିଥିବା ବେଳେ ସଟ୍ଡାଉନ୍ ସମୟରେ ଜିଲ୍ଲାର ପ୍ରାଶାସନିକ ମୁଖ୍ୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ ବୈଠକ ଆୟୋଜନ ହେବା କେତେଦୂର ଯଥାର୍ଥ, ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନର ନିହାତି ଆବଶ୍ୟକତା ଥିଲା, ତେବେ ତାହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଥବା ଅନ୍ୟ କୌଣସି ସରକାରୀ ସ୍ଥାନରେ ଅନୁଷ୍ଠିତ ନ ହୋଇ ଏକ ହୋଟେଲରେ କାହିଁକି ଅନୁଷ୍ଠିତ ହେଲା ବୋଲି ପ୍ରଶ୍ନ ଉଠୁଛି। ଏ ସଂପର୍କରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ଓମ୍ଫେଡ୍ର ୩ଜଣ ଅଧିକାରୀ ସେଠାରେ ସେମାନଙ୍କ ନୂଆ ପ୍ରଡ଼କ୍ଟ ଲଞ୍ଚ (ଦେଖାଇବାକୁ) ଆସିଥିଲେ। ସେଠାରେ ହୋଟେଲ ଖୋଲି ନ ଥିଲା କି କୌଣସି ବୈଠକର ଆୟୋଜନ ହୋଇ ନଥିଲା। ଅଳ୍ପ ସମୟ ଭିତରେ କେବଳ ପ୍ରସ୍ତୁତ ସାମଗ୍ରୀକୁ ଦେଖାଯାଇଥିଲା।
ଅନ୍ୟପଟେ ସୂଚନା ଅନୁଯାୟୀ, ଶିଖରପୁର ଛକରେ ଥିବା ଆଦିତ୍ୟ ସ୍ପାଇସ୍ ଟ୍ରିଟ୍ ନାମକ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମିଲ୍କ ୟୁନିଅନ୍ ସଦସ୍ୟଙ୍କ ଏହି କାର୍ଯ୍ୟକ୍ରମରେ ଓମଫେଡ୍ ସାମଗ୍ରୀ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଓମଫେଡ୍ ଜରିଆରେ ଦୁଗ୍ଧ ସଂଗ୍ରହ ଓ ବିକ୍ରି ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଏବଂ ଏଥିରେ ପ୍ରବାସୀ ତଥା ଅନ୍ୟମାନଙ୍କୁ ରୋଜଗାର ସୁଯୋଗ ଦେବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଅଧିକ କ୍ଷୀରଜାତ ସାମଗ୍ରୀ ପ୍ରସ୍ତୁତ କରି ତାହାର ବିକ୍ରି କରିବା ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିରେ ମିଲ୍କ ୟୁନିଅନ୍ର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଏଡିଏମ୍ ବିଜୟକେତନ ଖଣ୍ଡାୟତରାୟ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ, ବିଧାୟକଙ୍କ ପ୍ରତିନିଧି ଇଂଜିନିୟର ସୁବ୍ରତ ଘଡ଼େଇ, ସ୍ଥାନୀୟ ପୁଲିସ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକର ଉଦ୍ଦେଶ୍ୟ ଯଦିଓ ମହତ କିନ୍ତୁ ଏଭଳି ହୋଟେଲରେ କାହିଁକି ବୈଠକ ଆୟୋଜନ ହେଲା, ଆଉ ସେଥିରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ପୂର୍ବତନ ବିଧାୟକ, ପୁଲିସ ଅଧିକାରୀ ଯୋଗ ଦେଲେ, ତାହା ଆଲୋଚନାର ପ୍ରସଙ୍ଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dgda6g7da98g7da9g87da9gadgdgdgdgg.jpg)