ଚନ୍ଦ୍ରଶେଖରପୁର: ଦିନକୁ ଦିନ ରାଜଧାନୀର କଳେବର ବଢ଼ିବାରେ ଲାଗିଛି। ସେହି ଅନୁଯାୟୀ ଅପରାଧ ବି ବଢ଼ୁଛି। ବିଶେଷକରି ମହିଳା ଓ ବରିଷ୍ଠ ନାଗରିକମାନେ ଅପରାଧର ଶିକାର ହେଉଛନ୍ତି। ଆଜି ପୁଲିସ ସେବା ଭବନ ସଭାକକ୍ଷରେ ବରିଷ୍ଠ ନାଗରିକଙ୍କ ସହ ବୈଠକରେ ଏଭଳି ଅଭିଯୋଗ ଉଠିଥିଲା। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ଅଭିଯୋଗକୁ ପରୋକ୍ଷରେ ସ୍ବୀକାର କରିଥିଲେ ହେଁ ବର୍ତ୍ତମାନର ପୁଲିସ ବଳ ସବୁପ୍ରକାର ଚ୍ୟାଲେଞ୍ଜକୁ ମୁକାବିଲା କରିପାରୁଛି ବୋଲି କହିଥିଲେ। ରାଜଧାନୀର ଜନସଂଖ୍ୟା ଦୃଷ୍ଟିରୁ ଅଧିକ ସଂଖ୍ୟାରେ ପୁଲିସ ବଳ ନିୟୋଜିତ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ ସୂଚନା ଦେଇଥିଲେ। ବୈଠକଟି ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଥାନା ପକ୍ଷରୁ ଅୟୋଜିତ ହୋଇଥିଲା। ଏଥିରେ ମୈତ୍ରୀବିହାର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ପ୍ରଗତିବିହାର, ବିଡିଏ କଲୋନି, ସୂର୍ଯ୍ୟବିହାର, ମାରୁତିବିହାର ଆଦି ଅଞ୍ଚଳର ବରିଷ୍ଠ ନାଗରିକମାନେ ଯୋଗ ଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ଜଣାଇଥିଲେ।
ଜୟଦେବବିହାର ନନ୍ଦନକାନନ ରାସ୍ତାର ଟ୍ରାଫିକ୍ ସମସ୍ୟା ବାବଦରେ ବହୁ ଲୋକ କହିଥିଲେ। କେତେକ ଛକରେ ଫ୍ଲାଏଓଭର୍ ଆବଶ୍ୟକ ବୋଲି କିଛି ଲୋକ କହିଥିଲେ। ସେହିଭଳି ବରିଷ୍ଠ ନାଗରିକଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ଓ ଗାଡ଼ି ଷ୍ଟିକର ଯୋଗାଇବାକୁ ଦାବି କରାଯାଇଥିଲା। ଏହା ବାଦ୍ କଡ଼ା ପାଟ୍ରୋଲିଂ, ରାସ୍ତାକଡ଼ ନୋ-ପାର୍କିଂ ପାଇଁ ଟ୍ରାଫିକ୍ ସମସ୍ୟା ଉପରେ ସେମାନେ କହିଥିଲେ। ସିପି ଶ୍ରୀ ପ୍ରିୟଦର୍ଶୀ ସବୁ ଶୁଣିବା ପରେ ବିଏମ୍ସି ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା କରିବେ ବୋଲି କହିଥିଲେ। ଡେପୁଟି ସିପି ରେଖା ଲୋହାନି, ଡିସିପି ଉମାଶଙ୍କର ଦାଶ ବରିଷ୍ଠ ନାଗରିକଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବାକୁ ପୁଲିସ ତତ୍ପର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜୋନ୍ ଏସିପି ପ୍ରକାଶଚନ୍ଦ୍ର ପାଲ୍, ଆଇଆଇସି ସମିତା ମିଶ୍ର ଓ ପ୍ରଦୀପ୍ତ ରାଉତ ଉପସ୍ଥିତ ଥିଲେ। ଏସିପି ବିଜୟାନୀ ସିଂ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/Commissionerate-Police.jpg)