ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ବିକାଶ ନେଇ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିଏମ୍ସି କମିସନର ସଞ୍ଜୟ କୁମାର ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସଫେଇ କର୍ମଚାରୀ ଆୟୋଗର ସଦସ୍ୟ ପି ପି ଭାଭା ଯୋଗଦେଇ ସଫେଇ କର୍ମଚାରୀଙ୍କ କାର୍ଯ୍ୟକ୍ରମ ଓ ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ବାବଦରେ ଆଲୋଚନା କରିଥିଲେ।
ବୈଠକ ଅବସରରେ କମିସନର ଶ୍ରୀ ସିଂହ କହିଲେ ସହରରେ କୋଭିଡ୍ ଟିକାକରଣ ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ ହୋଇଛି। ସେମାନେ ପ୍ରଥମ ଶ୍ରେଣୀର କୋଭିଡ ଯୋଦ୍ଧା ଭାବେ ଆମର ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି। ସେମାନଙ୍କୁ କୋଭାକ୍ସିନ୍ର ଦୁଇଟି ଯାକ ଡୋଜ୍ ଦିଆଯାଇଛି। କୋଭିଡ୍ ସମୟରେ କିପରି ଜଗି ରଖି ଚଳିବାକୁ ହେବ ସେବାବଦରେ ନିୟମିତ ଭାବେ ଶିକ୍ଷା ଦିଆଯାଉଛି। ଏବେ ସୁଦ୍ଧା ଭୁବନେଶ୍ବରରେ ୧୭ ଲକ୍ଷ କୋଭାକ୍ସିନ୍ ଡୋଜ୍ ଦିଆସରିଛି। ଡିସେମ୍ବର ସୁଦ୍ଧା ସହରର ସମସ୍ତଙ୍କୁ ଟିକାକରଣ କରାଯିବାର ବ୍ୟବସ୍ଥା ହୋଇଛି। ଜୁନ୍ ସୁଦ୍ଧା ୪୦୯ ଜଣ ରେଗୁଲାର ସଫେଇ କର୍ମଚାରୀ ଥିବା ବେଳେ ୧୭୬ ଜଣ ଡିଏଲ୍ଆର୍, ୬୮୦ ଜଣ ସିଏଲ୍ଆର୍ ଭାବେ ସିଧାସଳଖ ବିଏମ୍ସି ଅଧୀନରେ କାମ କରୁଛନ୍ତି। ଏହାବ୍ୟତୀତ ସେବା ପ୍ରଦାନକାରୀ ସଫେଇ ସଂସ୍ଥା ମାଧ୍ୟମରେ ୨୬୪୮ ଜଣ କାର୍ଯ୍ୟ କରୁଛନ୍ତି।
ସଫେଇ କର୍ମଚାରୀଙ୍କ ସୁରକ୍ଷା କିଟ୍, ଆଇ କାର୍ଡ, ପୋଷାକ ଓ ନିୟମ ମୁତାବକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି। ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, କୋଭିଡ୍ ପ୍ରତିରୋଧି ଆଚରଣ, କାର୍ଯ୍ୟକ୍ଷମତା ବିକାଶ ଜନିତ ପ୍ରଶିକ୍ଷଣ ଓ ଘରୋଇ ସଫେଇ କର୍ମଚାରୀଙ୍କ ପାଇଁ ଋଣ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ନିୟମିତ ପେନ୍ସନ୍, ସଫେଇ କର୍ମଚାରୀଙ୍କୁ ଆବାସ ଯୋଜନାରେ ଅଗ୍ରାଧିକାର, ଉପଯୁକ୍ତ ପାରିଶ୍ରମିକ, ସରକାରଙ୍କ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଓ ଏଥିପାଇଁ ସଚେତନ କରାଇବାକୁ ଶ୍ରୀ ଭାଭା ବିଏମ୍ସିକୁ ଉପଦେଶ ଦେଇଛନ୍ତି। ବିଏମ୍ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡେପୁଟି କମିସନର (ସାନିଟେସନ୍) ଶୁଭେନ୍ଦୁ କୁମାର ସାହୁ ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/cleaning-staff.jpg)