ଆସନ୍ତାକାଲି ମେଗା ସାଇକ୍ଲୋଥନ୍ ‘ଟୁର ଡି ଏକାମ୍ର’; ସାଇକେଲରେ ହେବ ଏକାମ୍ର ଐତିହ୍ୟସ୍ଥଳୀର ପରିକ୍ରମା

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଏକ ବଡ ଧରଣର ସାଇକ୍ଲୋଥନ- ‘ଟୁର୍ ଡି ଏକାମ୍ର’ ଆୟୋଜନ ହେବାକୁ ଯାଉଛି | କ୍ରୀଡା ସହ ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଏହି ସାଇକ୍ଲୋଥନର ଆୟୋଜନ କରାଯାଉଥିବାବେଳେ ଆସନ୍ତାକାଲି(ରବିବାର) ସକାଳ ୬ଟା ବେଳେ ଏହା ଆରମ୍ଭ ହେବ | ଓଡ଼ିଶା ପର୍ଯ୍ୟଟନର ‘ଓଡ଼ିଶା ବାଏ ଦି ରୋଡ଼’ ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଥିବା ଅଂଶଗ୍ରହଣକାରୀ ଏକାମ୍ର କ୍ଷେତ୍ରରେ ଯେତେ ଐତିହ୍ୟସମ୍ପନ୍ନ କିର୍ତ୍ତୀରାଜି ଓ ମନ୍ଦିର ଅଛି, ସେସବୁ ସ୍ଥାନକୁ ସାଇକେଲରେ ପରିକ୍ରମା କରିବେ। ଏଥିରେ ଭାଗ ନେବା ଲାଗି ଆଗ୍ରହୀ ସାଇକେଲଚାଳକଙ୍କର ପଞ୍ଜିକରଣ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହେବ ସାଇକ୍ଲୋଥନ- ‘ଟୁର୍ ଡି ଏକାମ୍ର’। ଦୁଇଟି ଯାତ୍ରାପଥରେ ଏହି ସାଇକ୍ଲୋଥନର ଆୟୋଜନ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭାଗ ନେଇଥିବା ଅଂଶଗ୍ରହଣକାରୀ କଳିଙ୍ଗ ଷ୍ଟାଡିୟମରୁ ମୁକ୍ତେଶ୍ଵର ମନ୍ଦିର ଯାଏଁ ଯିବାର କାର୍ଯ୍ୟକ୍ରମ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଭାଗ ନେଇଥିବା ଅଂଶଗ୍ରହଣକାରୀ କଳିଙ୍ଗ ଷ୍ଟାଡିୟମରୁ ଧଉଳି ପର୍ଯ୍ୟନ୍ତ ଥିବେ | କଳିଙ୍ଗ ଷ୍ଟାଡିୟମରୁ ଧଉଳି ପର୍ଯ୍ୟନ୍ତ ଯାତ୍ରା ୫୦ କିଲୋମିଟର ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିୟମରୁ ମୁକ୍ତେଶ୍ବର ଯାଏଁ ଯାତ୍ରାର ଦୂରତା ୨୬ କିଲୋମିଟର ରହିଛି। ଭାରତୀୟ ଶିଳ୍ପ ମହାସଂଘ ଓ ୟଙ୍ଗ ଇଣ୍ଡିଆନ୍ସ ଆନୁକୂଲ୍ୟରେ ଆୟୋଜିତ ଏହି ସାଇକ୍ଲୋଥନର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ଖଣି ନିଗମ ରହିଛନ୍ତି। ରାଜ୍ୟର ପ୍ରମୁଖ ନ୍ୟୁଜ ଚାନେଲ୍ ‘କନକ ନ୍ୟୁଜ’ ଓ ଲୋକପ୍ରିୟ ଏଫଏମ୍  ‘ରେଡିଓ ଚକଲେଟ୍’ ଏହାର ମିଡିଆ ପ୍ରାୟୋଜକ ଅଛନ୍ତି।

ଓଡ଼ିଶାର ମହନୀୟ ପର୍ଯ୍ୟଟନସ୍ଥଳୀ ସହ ପରିଚିତ କରାଇବା ଓ କ୍ରୀଡା ଦ୍ୱାରା କିଭଳି ଜଣେ ସୁସ୍ଥ ରହିପାରିବ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟପକ୍ଷରେ ପରିବେଶ ସୁରକ୍ଷା ପାଇଁ ଗାଡି ବ୍ୟବହାର ନ କରି ସାଇକେଲ ଚାଳନା କରିବା ବାର୍ତ୍ତା ଏହି ସାଇକ୍ଲୋଥନ୍ ମାଧ୍ୟମରେ ଦିଆଯିବ | ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଯାଦବ, ରାଜ୍ୟସଭା ସାଂସଦ ଡ.ଅମର ପଟ୍ଟନାୟକ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ଜେନେରାଲ ମ୍ୟାନେଜର ରୁମା ଦେ, ୟୁଥ ଇଣ୍ଡିଆନର ସିଦ୍ଧାର୍ଥ ଗର୍ଗ ଓ ଗୌରବ ଚାୱଲା ପ୍ରମୁଖ ଯୋଗ ଦେବେ |

ସମ୍ବନ୍ଧିତ ଖବର