ଭୁବନେଶ୍ୱର: ଭୁବନେଶ୍ୱରରେ ଡ୍ରେନେଜ୍‌ ମାଷ୍ଟର ପ୍ଲାନ୍‌ ଓ ଷ୍ଟର୍ମ ଵାଟର୍‌ ମ୍ୟାନେଜ୍‌ମେଣ୍ଟ୍‌କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ୨୦୫୦ ମସିହାକୁ ଆଖିରେ ରଖି ସହରର ବିକାଶ ଅନୁଯାୟୀ ମେଗା ଡ୍ରେନେଜ୍‌ ମାଷ୍ଟର୍‌ ପ୍ଳାନ୍‌ ସର୍ଭେ କରାଯାଉଛି। ଆଇଆଇଟି ରୁର୍‌କୀ ଏହି ସର୍ଭେ କାମ କରୁଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।
କମିସନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରୁର୍‌କୀ ଆଇଆଇଟିର ପ୍ରଫେସର ଡିଏସ୍ ଆର୍ଯ୍ୟ, ସିଟି ଇଂଜିନିୟର ବିଳାଶ କୁମାର ବେହେରା, ଉପଜିଲ୍ଲାପାଳ ଡ. ମନୋରଂଜନ ସାହୁଙ୍କ ସମେତ ସ୍ମାର୍ଟ ସିଟି, ବିଡିଏ, ଆଇଏମ୍‌ଡି, ଓସ୍‌ଡମା, ଜଳସଂପଦ ବିଭାଗ, ରାଜସ୍ୱ ବିଭାଗ, ଇଡ୍‌କୋ, ବିଏମ୍‌ସି ସମେତ ଅନ୍ୟାନ୍ୟ ବିଭାଗର ଇଂଜିନିୟର ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବୈଠକରେ ବୃହତ୍ତର ଭୁବନେଶ୍ୱର କଳେବରକୁ ଦୃଷ୍ଟିରେ ରଖି କରାଯାଉଥିବା ଡ୍ରେନେଜ୍ ମାଷ୍ଟର୍‌ପ୍ଲାନକୁ କିପରି କାର୍ଯ୍ୟକାରୀ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ଏଥିସହ ରାସ୍ତା ଭିତ୍ତିଭୂମି ସୁଦୃଢ଼ୀକରଣ, ଫ୍ୟାସିଲିଟି ନେଟ୍‌ୱର୍କ, ୟୁଟିଲିଟି ନେଟୱର୍କ, ଜବରଦଖଲ ଓ ଜଳବନ୍ଦି ସମସ୍ୟା ଆଦି ଚିହ୍ନଟ ଉପରେ ଆଲୋଚନା ହୋଇଥିଲା। ଜେଏସ୍ ମ୍ୟାପିଂ ଜରିଆରେ ଏସବୁ ତଥ୍ୟ ସଂଗ୍ରହ କରିବାକୁ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ଉପଯୋଗ ପାଇଁ ଏହି ତଥ୍ୟକୁ ଭୁବନେଶ୍ୱର-୧ରେ ସିଟିଜେନ ପୋର୍ଟାଲରେ ସାର୍ବଜନୀନ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଛି। ଯଦ୍ୱାରା  ତଥ୍ୟର ବିବିଧ ଉପଯୋଗ ହୋଇପାରିବ ବୋଲି ବିଏମସି କହିଛି।
ବିଏମ୍‌ସି ପକ୍ଷରୁ କୁହାଯାଇଛି, ଜନସାଧାରଣଙ୍କର ସମସ୍ତ ପ୍ରକାର ସୁବିଧାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବ। ପ୍ରକଳ୍ପ ରୂପାୟନ ପାଇଁ ଆଇଆଇଟି ରୁର୍‌କୀ ରୋଡ ମ୍ୟାପ୍ ପ୍ରସ୍ତୁତ କରିଛି। ଆଇଆଇଟି ରୁର୍‌କୀର ବୈଜ୍ଞାନିକମାନେ ଏହି ସର୍ଭେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଥ୍ୟ ସଂଗ୍ରହ କରାଯାଉଛି। ଏହି ତଥ୍ୟକୁ ସାର୍ବଜନୀନ କରାଯିବ। ସେମାନେ ଆରମ୍ଭ କରିଥିବା କାର୍ଯ୍ୟର ନିୟମିତ ସମୀକ୍ଷା କରାଯାଉଛି। ଆଜି ମଧ୍ୟ ଆଇଆଇଟି ରୁର୍‌କୀର ପ୍ରଫେସରମାନେ ସେମାନଙ୍କର ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ। ଏହି ସର୍ଭେ କାମ ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ।