ଭୁବନେଶ୍ବର: ୧୧ଶହ ଖ୍ରୀଷ୍ଟାବ୍ଦର ମେଘେଶ୍ବର ମନ୍ଦିର। ରେଖାଶୈଳୀର ଗର୍ଭଗୃହ ଓ ପୀଢ଼ଶୈଳୀର ଜଗମୋହନ ଥିବା ଏହି ପୁରାତନ ଶୈବପୀଠର ରକ୍ଷଣାବେକ୍ଷଣ କରାଯାଉନାହିଁ। ମନ୍ଦିରରୁ ପଥର କ୍ଷୟ ହେଉଛି। ସାମାନ୍ୟ ବର୍ଷା ହେଲେ ଗର୍ଭଗୃହ ଓ ଜଗମୋହନରୁ ସରସର ପାଣି ଗଳୁଛି। ମନ୍ଦିର ଭିତର ସନ୍ତସନ୍ତିଆ ଯୋଗୁ ଉଭୟ ପୂଜକ ଓ ଭକ୍ତ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ମନ୍ଦିର ଉନ୍ନତୀକରଣ ପାଇଁ ଆସିଥିବା ୫୦ ଲକ୍ଷରୁ ଅଧିକ ଟଙ୍କାରେ ପ୍ରଥମେ ମନ୍ଦିର ରକ୍ଷଣାବେକ୍ଷଣ କରାନଯାଇ ଭଲ ଥିବା ପାଚେରିକୁ ଭାଙ୍ଗି ନୂଆ ପାଚେରି ନିର୍ମାଣ କରାଯିବାକୁ ନେଇ ମନ୍ଦିର ପରିଚାଳନା କମିଟି ପ୍ରଶ୍ନ ଉଠାଇଛି।
୫୬ ଲକ୍ଷ ଟଙ୍କା ଆସିଲା, ପାଚେରି ତିଆରି ହେଲା
ପ୍ରତିବାଦ କଲା ମନ୍ଦିର ପରିଚାଳନା କମିଟି
ଅଭିଯୋଗ ଅନୁସାରେ ୧୦ ବର୍ଷରୁ ଅଧିକ ସମୟ ଧରି ମନ୍ଦିରରୁ ପାଣି ଗଳୁଛି। ମେଘେଶ୍ବର ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ନେତୃତ୍ବ ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ବାରମ୍ବାର ଅବଗତ କରାଯାଇଛି। ହେଲେ ମେଘେଶ୍ବରଙ୍କ ମନ୍ଦିର ପ୍ରତି କାହାରି ଦୃଷ୍ଟି ପଡ଼ିନାହିଁ। ବାରମ୍ବାର ଦାବି ପରେ ମନ୍ଦିରର ବିକାଶ ପାଇଁ ପ୍ରାୟ ୫୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏହି ଟଙ୍କାରେ ପ୍ରଥମେ ମନ୍ଦିର ପାଣିଗଳିବା ବନ୍ଦ କରିବା, କ୍ଷୟ ହେଉଥିବା ପଥରର ମରାମତି କରିବାକୁ ପରିଚାଳନା କମିଟି ଦାବି କରିଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ମାଙ୍କଡ଼ା ପଥରରେ ନିର୍ମିତ ମଜଭୁତ ପାଚେରିକୁ ରାତାରାତି ଭାଙ୍ଗି ଦିଆଗଲା। ରାସ୍ତା ପାର୍ଶ୍ବ ଏହି ପାଚେରିରୁ ବାହାରିଥିବା ପଥରରେ ପୁଣି ପାଚେରି ନିର୍ମାଣ କରାଗଲା। ହେଲେ ପାଚେରିର ଉଚ୍ଚତା ବଢ଼ିବା ପରିବର୍ତ୍ତେ କମିଗଲା। ଏବେ ମାତ୍ର ୩ ଥାକ ପଥର ଯୋଡ଼େଇ ହୋଇଛି। ଫଳରେ ବୁଲା ଗାଈ, ଷଣ୍ଢ, କୁକୁର ମନ୍ଦିର ଭିତରେ ଅବାଧ ପ୍ରବେଶ କରୁଛନ୍ତି। ଏହି ପାଚେରି ଉପରେ ଲାଗିଥିବା ଶହେରୁ ଅଧିକ ଲୁହା ଜାଲିକୁ ବିକ୍ରି କରିଦିଆଯାଇଛି। ମନ୍ଦିର ପ୍ରବେଶପଥରେ ପଡ଼ିଥିବା ଶହଶହ ବର୍ଷର ପୁରୁଣା ଭଲ ପଥର କାଢ଼ି ସେଠାରେ ନିମ୍ନମାନର ପଥର ପକାଯାଇଛି।
ଏନେଇ ମେଘେଶ୍ବର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଟ୍ରଷ୍ଟି ଅଶୋକ କୁମାର ସିଂହ କହିଛନ୍ତି, କେବଳ ଟଙ୍କା ଆତ୍ମସାତ୍ କରିବା ପାଇଁ କାମ କରାଯାଇଛି। କାମ କରିବା ପୂର୍ବରୁ ମନ୍ଦିର ପରିଚାଳନା କମିଟିକୁ ପଚରା ଯାଇନାହିଁ। ଶହଶହ ବର୍ଷର ପୁରୁଣା ପାଚେରିକୁ ଭାଙ୍ଗି ଦିଆଗଲା। ପୂର୍ବରୁ ପୋଖରୀ କାମ ମଧ୍ୟ ଅଧା କରି ପକାଇ ଦିଆଯାଇଛି। ଭକ୍ତଙ୍କ ପାଇଁ ଶୌଚାଳୟ ନାହିଁ। ପରିଚାଳନା କମିଟି ଶୌଚାଳୟ ନିର୍ମାଣ କରିବାକୁ ଏଏସ୍ଆଇ ଅନୁମତି ଦେଉନାହିଁ। ମନ୍ଦିରରେ ଏଏସ୍ଆଇ କରିଥିବା ନିମ୍ନମାନ କାମର ତଦନ୍ତ କରାଯାଉ। ଅନ୍ୟପଟେ ଏଏସ୍ଆଇ ଭୁବନେଶ୍ବର ଶାଖା ମୁଖ୍ୟ ନନ୍ଦକିଶୋର ସ୍ବାଇଁ କହିଛନ୍ତି, ରାସ୍ତା ଉଚ୍ଚା ହୋଇଥିବାରୁ ପୁରୁଣା ପାଚେରି ଭାଙ୍ଗି ନୂଆ ପାଚେରି ନିର୍ମାଣ କରାଯାଇଛି। ଏବେ ପାଚେରି କାମ ସରିଛି, ସେଥିରେ କେବଳ ତାରଜାଲି ଲାଗିବ। ପାଣି ଗଳିବା ବନ୍ଦ ପାଇଁ କାମ ଆଗକୁ କରାଯିବ।