ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀନରେ ଥିବା ଓଡ଼ିଶାର ୮୧ଟି କୀର୍ତିରାଜି ମଧ୍ୟରେ ମେଘେଶ୍ବର ମନ୍ଦିର ରହିଛି। ମନ୍ଦିର ଚାରିପାଖରେ ଘାସ ଗାଲିଚା, ଫୁଲ ଗଛ ଆଦି ଲାଗିଛି। ଦୂରରୁ ମନ୍ଦିର ପରିସରକୁ ଦେଖିଲେ ସବୁ କିଛି ଠିକ୍‌ଠାକ୍‌ ଲାଗିବା ସ୍ବାଭାବିକ। ହେଲେ, ମନ୍ଦିର ନିକଟକୁ ଏବଂ ମନ୍ଦିର ଭିତରକୁ ଗଲେ ମନ୍ଦିର ଅବସ୍ଥା ଯେ ଭଲ ନାହିଁ ତାହା ଜଳ ଜଳ ‌ହୋଇ ଦେଖା ଯାଉଛି। ସ୍ଥାନୀୟ ଲୋକେ ମନ୍ଦିର ସୁରକ୍ଷା ପାଇଁ ଜନପ୍ରତିନିଧି ଏବଂ ଏଏସ୍‌ଆଇ ଅଧିକାରୀଙ୍କ ଅନୁରୋଧ କଲେ ମଧ୍ୟ କେହି ଶୁଣିବାକୁ ନାରାଜ।

Advertisment

ରବିଟକିଜ୍‌ରୁ ଟଙ୍କପାଣି ଯିବା ରାସ୍ତାର ବାମ ପାଖରେ ରହିଛି ଏହି ଦ୍ବାଦଶ ଶତାବ୍ଦୀର ପୁରାତନ ମନ୍ଦିର। ଲୋକକଥା ଅନୁସାରେ ଶୈବକ୍ଷେତ୍ର କାଶୀରେ ଅବସ୍ଥାନ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ତାହା ମେଘେଶ୍ବରଙ୍କର ଦର୍ଶନରେ ମିଳିଥାଏ ବୋଲି କୁହାଯାଏ। ଏହାର ନିର୍ମାଣ ଶୈଳୀ ସ୍ବତନ୍ତ୍ର। ୫୧ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିରକୁ ସପ୍ତରଥ ଶୈଳୀରେ ନିର୍ମାଣ କରାଯାଇଛି। ବେଢ଼ାକୁ ଲାଗି ଥିବା ପୁଷ୍କରିଣୀ (‌ମେଘକୁଣ୍ଡ)ରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ଏହିସବୁ କାରଣ ପାଇଁ ମନ୍ଦିରକୁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାନ୍ତି। କିନ୍ତୁ ମନ୍ଦିରର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହା ଏବେ ବିପଦସଙ୍କୁଳ ହୋଇପଡ଼ିଛି।

ଏଏସ୍‌ଆଇର ଅବହେଳା ଯୋଗୁଁ ଏହାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ବର୍ଷା ହେଲେ ମନ୍ଦିରର ଛାତରୁ ପାଣି ଗଳୁଛି। ବିଶେଷକରି ମନ୍ଦିରର ମୁଖଶାଳା ଓ ଗର୍ଭ ଗୃହ ଭିତରେ ଜୋର୍‌ରେ ପାଣି ଗଳୁଛି। ଥରେ ବର୍ଷା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଛାତରୁ ଏହି ପାଣି ଗଳିବା ବନ୍ଦ ହେଉନାହିଁ। ମନ୍ଦିର ଭିତରେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। କିଛି ସ୍ଥାନରେ ପଥର ଭାଙ୍ଗି ଗଳି ପଡ଼ିଲାଣି। ଭିତରେ ଧୂପ ଓ ଦୀପ ଦିଆଯାଉଥିବାରୁ କାରୁକାର୍ଯ୍ୟ ନଷ୍ଟ ହେବା ସହ ମନ୍ଦିର ଭିତର ସମ୍ପୂର୍ଣ୍ଣ କଳା ପଡ଼ି ଗଲାଣି। ବାହାର ପାଖରେ ଥିବା ପାର୍ଶ୍ବ ଦେବଦେବୀ ଗଣେଶ, କାର୍ତ୍ତିକ, ମା’ ପାର୍ବତୀଙ୍କ ମୂର୍ତ୍ତି ଭାଙ୍ଗି ଯାଇଛି। ରକ୍ଷଣାବେକ୍ଷଣ ହେଉନଥିବାରୁ ଅନେକ କାରୁକାର୍ଯ୍ୟ ଲିଭି ଗଲାଣି। ମେଘକୁଣ୍ଡକୁ ନିୟମିତ ସଫା କରାଯାଉନଥିବାରୁ ତାହା ଅପରିଷ୍କାର ହୋଇପଡ଼ିଛି। ଏଥିସହ ଏଭଳି ଏକ ଐତିହ୍ୟ ମନ୍ଦିରରେ ଆଜି ପର୍ଯ୍ୟନ୍ତ ବଜ୍ରପାତ ନିରୋଧୀ ବ୍ୟବସ୍ଥା ବା ଲାଇଟିନିଂ ଆରେଷ୍ଟର୍‌ ଲଗାଯାଉନାହିଁ। ‌‘ମେଘେଶ୍ବର କଲୋନି ଡେଭଲପ୍‌ମେଣ୍ଟ କମିଟି’ର ସଭାପତି ସଂଗ୍ରାମ କେଶରୀ ନାୟକ କହିଛନ୍ତି ଏସଂପର୍କରେ ଭୁବନେଶ୍ୱର ସାଂସଦ ସୁପାରିଶ ସହ ଏଏସ୍‌ଆଇ ଅଧିକାରୀଙ୍କୁ ଅନେକ ଦିନ ତଳୁ ଲିଖିତ ଅଭିଯୋଗ ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଟୁଇଟ୍ ମାଧ୍ୟମରେ ମଧ୍ୟ କେନ୍ଦ୍ରୀୟ ଅଧିକାରୀଙ୍କୁ ଏସମ୍ପର୍କରେ ଅବଗତ କରାଯାଇଅଛି। ମାତ୍ର କିଛି ଲାଭ ହେଉନାହିଁ। ତୁରନ୍ତ ମନ୍ଦିର ସୁରକ୍ଷା ପାଇଁ ଆବଶ୍ୟକ କାମ କରିବା ସହ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ସର୍ବସାଧାରଣଙ୍କ ପାଇଁ ଶୈଚାଳୟ ନିର୍ମାଣ କରିବାକୁ ଶ୍ରୀ ନାୟକ ଦାବି କରିଛନ୍ତି।