ମେଘେଶ୍ବରଙ୍କୁ ମେଘ ଚିନ୍ତା

ପୁରୁଣା ଭୁବନେଶ୍ୱର : ଏକାମ୍ର କ୍ଷେତ୍ରର ଅନ୍ୟତମ ପ୍ରସିଦ୍ଧ ଶିବ ମନ୍ଦିର ଶ୍ରୀମେଘେଶ୍ୱର ମନ୍ଦିର। ଶ୍ରୀମଘେଶ୍ୱରଙ୍କୁ ଏବେ ମେଘ କାଳ ହୋଇଛି। ବର୍ଷା ହେଲେ ଏହି ମନ୍ଦିର ଗର୍ଭଗୃହରେ ପାଣି ଜମିବା ସାଧାରଣ କଥା। ବେଳେ ବେଳେ ବଡ଼ଧରଣର ବର୍ଷା ହେଲେ ମନ୍ଦିରରେ ଥିବା ଶିବଲିଙ୍ଗ ଜଳରେ ସଂପୂର୍ଣ୍ଣ ବୁଡ଼ି ଯାଆନ୍ତି। ଦୀର୍ଘ ୯ବର୍ଷ ହେଲା ଉପୁଜିଥିବା ଏହି ସମସ୍ୟାକୁ ଏଏସ୍ଆଇ ପକ୍ଷରୁ ସୁଧାରିବାକୁ କୁହାଯାଉଥିବା ବେଳେ ଯଥା ପୂର୍ବଂ ତଥା ପରଂ। ପ୍ରକାଶ ଯେ, ଟଙ୍କପାଣି ରୋଡରେ ରହିଛି ୧୩ଶହ ଶତାବ୍ଦୀର ମନ୍ଦିର ଶ୍ରୀ ମେଘେଶ୍ୱର ମନ୍ଦିର। ଏହି ମନ୍ଦିର କଡ଼ରେ ଆର ଆଣ୍ଡ ବି ବିଭାଗ ପକ୍ଷରୁ ନିର୍ମିତ ରୋଡ୍ ଉଚ୍ଚା ସହ ଡ୍ରେନ୍ ଉଚ୍ଚା ଯୋଗୁଁ ଏଠାରେ ସମସ୍ୟା ଦେଖା ଦେଇଛି ବୋଲି ମନ୍ଦିର ପୂଜାରୀ ଗଙ୍ଗାଧର ରଥ କହିଛନ୍ତି। ଶ୍ରୀ ରଥଙ୍କ କହିବା ଅନୁଯାୟୀ ମନ୍ଦିରରୁ ବାହାରୁଥିବା ପାଦୁକା କୁଣ୍ଡର ପାଣି ନିକଟରେ ଥିବା ପୋଖରୀକୁ ଯାଏ। ପୂର୍ବରୁ ଏହି ଅଞ୍ଚଳରେ ବହୁ ଖାଲୁଆ ସ୍ଥାନ ଥିବା ସହ ଡ୍ରେନ ତଳୁଆ ଥିବାରୁ ବର୍ଷା ହେଲେ ପୋଖରୀରୁ ପାଣି ଖାଲୁଆ ସ୍ଥାନକୁ ଗଡ଼ିଯାଏ। ତେବେ ଏଠାରେ ୯ବର୍ଷ ହେଲା ଘର ଦ୍ୱାର ବୃଦ୍ଧି ସହ ଡ୍ରେନ୍ ଉଚ୍ଚା ହେବାରୁ ବର୍ଷା ହେଲେ ପୋଖରୀରେ ପାଣି ଜମୁଛି। ପୋଖରୀରେ ପାଣି ଅଧିକ ହେବାରୁ ବର୍ଷା ପାଣି ମନ୍ଦିର ପାଦୁକା କୁଣ୍ଡ ମଧ୍ୟଦେଇ ଗର୍ଭଗୃହକୁ ପ୍ରବେଶ କରୁଛି। ପରିସ୍ଥିତି ଏପରି ହେଉଛି ବର୍ଷା ପାଣି ମନ୍ଦିରରେ ମହାଦେବଙ୍କୁ ସଂପୂର୍ଣ୍ଣ ବୁଡ଼ାଇ ଦେଉଛି। ତେବେ ଏଏସ୍ଆଇଇ ପକ୍ଷରୁ ଏହର ପୁନରୁଦ୍ଧାର କରାଯିବା ପାଇଁ କୁହାଯାଉଥିଲେ ମଧ୍ୟ ୯ବର୍ଷ ହେଲା ସମସ୍ୟା ଲାଗି ରହିଛି ବୋଲି କୁହନ୍ତି ଶ୍ରୀ ରଥ। ଗତ ବର୍ଷ ଏକ ଡ୍ରେନ୍‌ ତିଆରି ଯୋଗୁଁ ଏହାର ସାମାନ୍ୟ ସୁଧାର ହୋଇଥିଲେ ମଧ୍ୟ ବଡ଼ ବର୍ଷା ହେଲେ ପୁଣି ସମସ୍ୟା ମୁଣ୍ଡ ଟେକିବ। ଏନେଇ ପୂର୍ବତନ କର୍ପୋରେଟର ତଥା ମନ୍ଦିର ଟ୍ରଷ୍ଟି ଅଶୋକ ସିଂ କୁହନ୍ତି, ଏହି ସମସ୍ୟା ପାଇଁ ଏଏସ୍ଆଇ କର୍ତୃପକ୍ଷଙ୍କୁ ଜଣାଇଛୁ ଅଥଚ କେହି ଶୁଣୁ ନାହାଁନ୍ତି। ଏଏସ୍ଆଇ ପକ୍ଷରୁ ମନ୍ଦିର କାର୍ଯ୍ୟ ବେଳେ ଜାମ ଦେବା କାମ ଠିକ୍ ଭାବେ ହୋଇନଥିବାରୁ ମନ୍ଦିରରେ ମଧ୍ୟ ବର୍ଷା ପାଣି ଗଳୁଛି। ଫୋଖରୀକୁ ପ୍ଲାନ ଅନୁଯାୟୀ ଖୋଳା ଯାଇନଥିବାରୁ ପୂର୍ବ ପରି ମନ୍ଦିର ଗର୍ଭଗୃହରେ ପାଣି ଜମି ରହିବ। ଏନେଇ ଏଏସ୍ଆଇ ଭୁବନେଶ୍ବର ସଂଗ୍ରାଧୀକ୍ଷକ କୁହନ୍ତି, ମନ୍ଦିର ଗର୍ଭ ଗୃହରେ ପାଣି ଜମିଲେ ପାଣି ନିସ୍କାସନ ଲାଗି ମଟର ଯୋଗାଇ ଦିଆଯାଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏଥିପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର