ମେଘେଶ୍ବର ମନ୍ଦିରରେ ଭିକ୍ଷୁକଙ୍କୁ ହତ୍ୟା ମାମଲା: ଦୁଇ ବର୍ଷ ବିତିଲା, ସୁରାକ ମିଳିଲା ନାହିଁ

ଭୁବନେଶ୍ବର: ବଡ଼ଗଡ଼ ଥାନା ଅଧୀନ ମେଘେଶ୍ବର ମନ୍ଦିର ପରିସରରେ ଜଣେ ଭିକ୍ଷୁକଙ୍କୁ ହତ୍ୟା ଘଟଣା ଇତିମଧ୍ୟରେ ଦୁଇ ବର୍ଷ ବିତି ଗଲାଣି। କିନ୍ତୁ ପୁଲିସକୁ ଏଯାଏ କୌଣସି ସୁରାକ ମିଳି ପାରିଲା ନାହିଁ। ଫଳରେ ଏହି ଚର୍ଚିତ ହତ୍ୟା ଘଟଣା ପୁଲିସର ନାଲିଫିତା ତଳେ ଚାପି ହୋଇ ରହିଯାଇଛି। ଏପରିକି ପୁଲିସ ମୃତ ଭିକ୍ଷୁକଙ୍କ ପରିଚୟ ମଧ୍ୟ ଏ ପର୍ଯ୍ୟନ୍ତ ପାଇ ପାରିଲା ନାହିଁ। ଯାହାକୁ ନେଇ ପୁଲିସର କାର୍ଯ୍ୟ ଦକ୍ଷତା ଓ ତଦନ୍ତ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ୨୦୧୭ ମସିହା ଜାନୁଆରି ୬ ତାରିଖ ସକାଳ। ମେଘେଶ୍ବର ମନ୍ଦିର ପରିସରରୁ ଜଣେ ବୃଦ୍ଧ ଭିକାରିଙ୍କ ରକ୍ତାକ୍ତ ମୃତଦେହ ଜବତ କରିଥିଲା ପୁଲିସ। କେହି ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ମୃତକଙ୍କ ପରିଚୟ ନ ମିଳିବାରୁ ପୁଲିସର ତଦନ୍ତ ପ୍ରଥମେ ସେତେଟା ଆଗେଇ ପାରି ନ ଥିଲା। ପରିଚୟ ଜାଣିବା ପାଇଁ ସ୍ଥାନୀୟ ପୁଲିସ ରାଜ୍ୟର ସମସ୍ତ ପୁଲିସ ଜିଲ୍ଲା ମୁଖ୍ୟାଳୟ ଏବ˚ ରାଜ୍ୟ ବାହାର ପୁଲିସ ମୁଖ୍ୟଙ୍କୁ ଫଟୋ ସହିତ ଚିଠି ମଧ୍ୟ ଲେଖିଥିଲ‌‌ା। କିନ୍ତୁ କେଉଁଠୁ ବି ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ। ଘଟଣାର କିଛି ଦିନ ପରେ ପୁଲିସକୁ ଖବର ମିଳିଥିଲା କି, ବୃଦ୍ଧ ଜଣକ ପୁରୀ ନରେନ୍ଦ୍ର କୋଣ ଅଞ୍ଚଳର। ପୁଲିସ ସେଥିପାଇଁ ପୁରୀ ମଧ୍ୟ ଯାଇଥିଲା। କିନ୍ତୁ ସେଠାରୁ କୌଣସି ତଥ୍ୟ ପାଇ ନ ଥିଲା।

ଅନ୍ୟପକ୍ଷରେ ହତ୍ୟାର କାରଣ ନେଇ ମଧୢ ପୁଲିସ ଏବେ ବି ଦ୍ବନ୍ଦ୍ବରେ। କିଏ , କାହିଁକି ଜଣେ ବୃଦ୍ଧ ଭିକାରିଙ୍କୁ ହତ୍ୟା କଲା ତାର ଖୋଳତାଡ଼ କରିବା ପୁଲିସ ପାଇଁ ଏବେ ବି କାଠିକର ପାଠ ହୋଇଛି। ପ୍ରଥମେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧ ଭିକାରିଙ୍କୁ ହତ୍ୟା କରାଯାଇଥିବା କୁହାଯାଉ ଥିଲା। କିନ୍ତୁ ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା କି, ବୃଦ୍ଧଙ୍କ ସହିତ କାହାର ଶତ୍ରୁତା ନ ଥିଲା। ତା’ ଛଡ଼ା ଜଣେ ଭିକାରି ସହିତ କିଏ ବା କାହିଁକି ଶତ୍ରୁତା କରିବ ବୋଲି ମତ ପ୍ରକାଶ ପାଇଥିଲା। ସେଥିରେ ପୁଣି ମେଘେଶ୍ବର ମନ୍ଦିର ପରିସରରେ ସେ ଜଣେ ବୋଲି ଭିକାରି ରହୁଥିଲେ। କିନ୍ତୁ ପୁଲିସ ସ୍ଥାନୀୟ କିଛି ଲୋକଙ୍କଠାରୁ ଜାଣିବାକୁ ପାଇଥିଲା, ବୃଦ୍ଧ ଜଣକ ବିଭିନ୍ନ ସମୟରେ ମଦ୍ୟପାନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲା। ଫଳରେ ପୁଲିସ ସନ୍ଦେହ କରୁଛି ଘଟଣା ଦିନ ରାତିରେ ସେ କାହାରିକୁ ଗାଳିଗୁଲଜ କରିଥିବ ଏବଂ କେହି ହଠାତ୍‌ ରାଗିଯାଇ ତାଙ୍କ ମୁଣ୍ତରେ ପଥରରେ ଛେଚି ଦେଇଥିବ। ଆଖପାଖରେ ସିସି କ୍ୟାମେରା ନ ଥିବାରୁ ମନ୍ଦିର ଭିତରକୁ କିଏ ପଶିଥିଲା କିମ୍ବା ବାହାରି ଥିଲା ତାହା ବି ଜଣା ପଡ଼ିଲା ନାହିଁ। ବର୍ଷ ୨୦୧୭ରେ ରାଜଧାନୀର ଏହା ପ୍ରଥମ ହତ୍ୟା ଘଟଣା ଥିଲା। ଯାହାକି ଜାନୁଆରି ମାସ ୬ ତାରିଖରେ ଘଟିଥିଲା। ଏହା ମଧ୍ୟରେ ତଦନ୍ତକାରୀ ଅଫିସର ବଦଳି ଯିବା ସହିତ ଥାନା ଅଧିକାରୀ ପଦୋନ୍ନତି ପାଇ ଅନ୍ୟ ଜିଲ୍ଲାକୁ ଚାଲି ଗଲେଣି। କିନ୍ତୁ ତଦନ୍ତ ଫାଇଲ୍ ଯେଉଁଠି ଥିଲା ସେଇଠି ରହିଛି। ଏ ସମ୍ପର୍କରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହତ୍ୟାକାରୀ କେବେ ବି କେଉଁ ପରିସ୍ଥିତିରେ ଲୁଚି ପାରିବ ନାହିଁ। ନିଶ୍ଚିତ ଘଟଣାର ପର୍ଦାଫାସ ହେବ।

ସମ୍ବନ୍ଧିତ ଖବର