ଭୁବନେଶ୍ୱର : ବ୍ୟାଙ୍କିଙ୍ଗ କୋଚିଂ ନେବା ବେଳେ ତାଙ୍କ ସହ ଦେଖା, ଦେଖାରୁ ପ୍ରେମ, ପ୍ରେମରୁ କୋର୍ଟ ମ୍ୟାରେଜ୍। ଏହା ପରେ ସ୍ବାମୀ-ସ୍ତ୍ରୀ ଭଳି ବିତିଲା ୬ ବର୍ଷ। ହେଲେ ସମ୍ପର୍କରେ ଆସିଲା ତିକ୍ତତା। ସ୍ତ୍ରୀ ବୋଧହୁଏ ଆଉ ସମ୍ପର୍କ ରଖିବାକୁ ଚାହିଲେନି। ଅନେକ ଯୋଗାଯୋଗ ପରେ ମଧ୍ୟ ହତାଶ ହେଲେ ସ୍ବାମୀ। ଏଣେ ସ୍ତ୍ରୀଙ୍କର ଦ୍ବିତୀୟ ବିବାହ ପାଇଁ ସରିଥିଲା ଆୟୋଜନ। ଆଜି ଥିଲା ମେହେନ୍ଦି ଉତ୍ସବ। ଆସନ୍ତାକାଲି ହୋଇଥାନ୍ତା ବାହାଘର। ଖବର ପାଇ ମେହେନ୍ଦି ଉତ୍ସବରେ ଉଭା ହେଲେ ସ୍ବାମୀ। ତାଙ୍କୁୁ ମାଡ଼ମାରି ଘଟଣାସ୍ଥଳରୁ ବିଦା କରିଦେଲେ ସ୍ତ୍ରୀଙ୍କ ପରିବାରବର୍ଗ। ସ୍ବାମୀ ଥାନାରେ ପହଞ୍ଚିଲେ। କୋର୍ଟ ମ୍ୟାରେଜ୍ର କାଗଜପତ୍ର ଦେଖିବା ପରେ ଅନ୍ୟତ୍ର ବାହା ନ ହେବା ପାଇଁ ପୁଲିସ ସମ୍ପୃକ୍ତ ଯୁବତୀଙ୍କୁ ପରାମର୍ଶ ଦେଇଛି। ପୁଲିସର ଏପରି ପରାମର୍ଶ ପାଇ ତାଙ୍କ ସ୍ତ୍ରୀ ଘରକୁ ଫେରିଛନ୍ତି। କାଳେ କେଉଁଠି ଲୁଚି ବାହା ହୋଇଯିବ, ସେହି ସନ୍ଦେହରେ ସ୍ବାମୀ ଜଣକ ଚିନ୍ତାରେ ପଡ଼ିଯାଇଛନ୍ତି। ସ୍ତ୍ରୀଙ୍କ ପରିବାର ଭୁବନେଶ୍ବରରେ ବେଶ୍ ପ୍ରତିଷ୍ଠିତ ହୋଇଥିବାରୁ ସେମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି।
/sambad/media/post_attachments/wp-content/uploads/2019/11/mehendi-1.jpg)
ସ୍ବାମୀଜଣକ ହେଉଛନ୍ତି ରମେଶ ବାରିକ। ଘର ଅନୁଗୁଳ। ୨୦୧୨ ମସିହାରେ ସେ ବ୍ୟାଙ୍କିଙ୍ଗ୍ କୋଚିଂ ନେବା ପାଇଁ ଭୁବନେଶ୍ବର ଆସିଥିଲେ। ଏହି ସମୟରେ ଉକ୍ତ ଯୁବତୀଙ୍କ ସହ ଭେଟ ହୋଇଥିଲା। ୨୦୧୩ ମସିହାରେ ଉଭୟଙ୍କର ଅନୁଗୁଳ କୋର୍ଟରେ ବିବାହ ହୋଇଥିଲା। ବିବାହ ପରେ ସେମାନେ ଭୁବନେଶ୍ବରରେ ବେଶ୍ କିଛି ଦିନ ରହିଥିଲେ। ପରେ ରମେଶ ଏକ ଘରୋଇ ଶିଳ୍ପ ସଂସ୍ଥାରେ ଚାକିରି ପାଇଥିଲେ। ଯୁବତୀ ଓଡ଼ିଶା ବାହାରେ ଚାକିରି କରିଥିଲେ। ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। କିନ୍ତୁ କିଛି ମାସ ହେବ ସମ୍ପର୍କରେ ତିକ୍ତତା ଆସିଥିଲା। ସ୍ତ୍ରୀ ଆଉ କଥା ନ ହେବାରୁ ତାଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସେ ଅନୁଗୁଳ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ସ୍ତ୍ରୀ ତାଙ୍କୁ ଧୋକା ଦେଉଥିବା ଅଭିଯୋଗ କରିଥିଲେ। ଏ ନେଇ କୋର୍ଟ ଯୁବତୀଙ୍କୁ ନୋଟିସ୍ କରିଥିଲେ। ହେଲେ ନୋଟିସ୍କୁ ବେଖାତିର କରି ସେ ବିବାହ କରିବା ପାଇଁ ସମସ୍ତ ଆୟୋଜନ କରିଥିଲେ। ଅନ୍ୟତ୍ର ବିବାହ ପାଇଁ ସମସ୍ତ ଆୟୋଜନ ଶେଷ ହୋଇ ଥିବାରୁ ଯୁବତୀଙ୍କ ପରିବାରବର୍ଗ ଏବେ ଚିନ୍ତାରେ ପଡ଼ିଛନ୍ତି। ଯୁବକ ଜଣକ ଆନ୍ତରିକତାର ସହ ଭଲ ପାଉଥିବାରୁ ଏହି ଘଟଣାକୁ ନେଇ ଭାଙ୍ଗି ପଡ଼ିଛନ୍ତି ଓ ପରିସ୍ଥିତି କ’ଣ ହେବ ସେ ନେଇ ମଧ୍ୟ ଚିନ୍ତାରେ ଅଛନ୍ତି।