ସ୍ମରଣୀୟ ସତର : ଆଶାରେ ବରଷେ

୨୦୧୭। ରାଜଧାନୀ ଭୁବନେଶ୍ୱରକୁ ଗୌରବାନ୍ନିତ କରିବା ଭଳି ବର୍ଷଟିଏ ହୋଇନି। ଭବିଷ୍ୟତରେ ଇତିହାସର ପୃଷ୍ଠା ଓଲଟାଇଲେ ହାତଗଣତି କେତୋଟି ଘଟଣାବଳୀକୁ ବାଦ୍‌ ଦେଇ ସେହିଭଳି କିଛି ଘଟିନି ଯାହା ସବୁଦିନ ପାଇଁ ମନେ ରହିବ। ବିଶେଷ କିଛି ଉନ୍ନତିମୂଳକ କାର୍ଯ୍ୟ ହୋଇନି ଯାହା ଲୋକଙ୍କ ମନରେ ସ୍ମୃତି ହୋଇ ରହିଯିବ। ୨୦୧୭ କେବଳ ଆଶା ଓ ଭବିଷ୍ୟତର ସ୍ୱପ୍ନ ଦେଖାଇବାରେ ଏବଂ ଦେଖିବାରେ ବିତିଗଲା। ରାଜଧାନୀର ତ୍ରାଣକର୍ତ୍ତା ସାଜିଥିବା ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏହି ବର୍ଷକରେ ସେହିଭଳି କିଛି ଆଖିଦୃଶିଆ କାର୍ଯ୍ୟ କରିନାହିଁ ଯାହାକୁ ଲୋକ ଭୁରି ଭୁରି ପ୍ରଶଂସା କରିବେ। ସ୍ମାର୍ଟ ସିଟି ଭୁବନେଶ୍ୱରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ପାଇବାର ସ୍ୱପ୍ନ ଦେଖୁଥିବା ରାଜଧାନୀବାସୀ ଚଳିତବର୍ଷ ବି ନିରାଶ ହୋଇଛନ୍ତି। ବର୍ଷା ଦିନେ ଜଳବନ୍ଦୀ ହେବାର କଷ୍ଟ ଭୋଗିଛନ୍ତି। ଅବ୍ୟବସ୍ଥିତ ଟ୍ରାଫିକ ସମସ୍ୟାରେ ନାକେଦମ୍‌ ବି ହୋଇଛନ୍ତି। କିନ୍ତୁ ଆଶା ରଖିଛନ୍ତି ୨୦୧୮ରେ ଏହି ସବୁ ସମସ୍ୟା ସମାଧାନ ହେବ। ଭୁବନେଶ୍ୱରକୁ ନେଇ ଯେଉଁ ସ୍ୱପ୍ନ ଦେଖାଯାଉଛି ତାହା ବାସ୍ତବ ରୂପ ନେବାକୁ ମୂଳଦୁଆ ପଡ଼ିବ।
ପ୍ରସ୍ତୁତି: ବିଶ୍ୱଜିତ ଦାଶ
ଅଳଙ୍କରଣ: ରବିନାରାୟଣ ସାହୁ

ବିଏମ୍‌ସି ମୁଖ୍ୟାଳୟ ଶୁଭ ପଡ଼ି ପାରିଲାନି

ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ୟୁନିଟ-୯ରେ ହେବ ବୋଲି ବର୍ଷ ଆରମ୍ଭରୁ ସ୍ଥିର ହୋଇଥିଲା। ଏଥିପାଇଁ କେତେ ଜମି ଅଧିଗ୍ରହଣ ହେବ, କେତେ କ୍ୱାର୍ଟର୍ସ ଭଙ୍ଗା ହେବ, କେତେ ଅଞ୍ଚଳରେ ନିର୍ମାଣ ହେବ, ଡିଜାଇନ୍‌ କିପରି ହେବ ସେନେଇ ବର୍ଷ ଅଧା ସୁଦ୍ଧା ସବୁ ନିଷ୍ପତ୍ତି ହୋଇସାରିଥିଲା। ଏପରିକି ବିଏମ୍‌ସି କର୍ପୋରେସନ ବୈଠକରେ ଏହା ପାରିତ ହେବା ସହ ରାଜ୍ୟ ସରକାରଙ୍କ ଅନୁମତି ବି ପାଇଥିଲା। ମୁଖ୍ୟମନ୍ତ୍ରୀ ଏହି ମୁଖ୍ୟାଳୟର ଶିଳାନ୍ୟାସ କରିବେ କରିବେ ବୋଲି କର୍ତ୍ତୃପକ୍ଷ କହି ଚାଲିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଶୁଭ ପଡ଼ିଲାନି। ଏ ପର୍ଯ୍ୟନ୍ତ କ୍ୱାର୍ଟର୍ସ ଭଙ୍ଗା ବି ଆରମ୍ଭ ହୋଇନି। କିନ୍ତୁ ଆଶା ରହିଛି ୨୦୧୮ରେ ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ, ସ୍ମାର୍ଟ ସିଟି କାର୍ଯ୍ୟାଳୟ, କେନ୍ଦ୍ରୀୟ ନିୟନ୍ତ୍ରଣ ରୁମ୍‌ ପାଇଁ ଶୁଭ ପଡ଼ିବ।

ଭୁବନେଶ୍ୱର ନିୟୁ ରେଳ ଷ୍ଟେସନ୍‌ ବି ଖୋଲିଲାନି

ରାଜଧାନୀ ଉପକଣ୍ଠରେ ବାରଙ୍ଗ ନିକଟରେ ୫ ବର୍ଷ ହେଲା ନିର୍ମାଣ ହେଉଛି ଭୁବନେଶ୍ୱର ନିୟୁ ରେଳ ଷ୍ଟେସନ୍‌ (ସାଟେଲାଇଟ୍‌ ଷ୍ଟେସନ)। ଦୁଇ ବର୍ଷ ହେଲା କାମ ସରିଲାଣି ବୋଲି କୁହାଯାଉଥିଲେ ହେଁ ଆଜି ପର୍ଯ୍ୟନ୍ତ କାମ ସରିପାରିଲାନି। ଫଳରେ ଏହି ବହୁ ପ୍ରତୀକ୍ଷିତ ରେଳ ଷ୍ଟେସନ୍‌ଟି ଏବେ ବି କାମରେ ଲାଗୁନି। ଷ୍ଟେସନ୍‌ କାର୍ଯ୍ୟକ୍ଷମ କରିବାରେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଅହେତୁକ ବିଳମ୍ବ ଏହି ବହୁ ପ୍ରତୀକ୍ଷିତ ରେଳ ଷ୍ଟେସନ୍‌ର ଉଦ୍‌ଘାଟନକୁ ଅନିଶ୍ଚିତତା ଭିତରକୁ ଠେଲି ଦେଲାଣି।

ସ୍ମାର୍ଟ ସିଟି ଦିଶିଲାନି, ଡିଜାଇନ୍‌ରେ ରହିଗଲା

ଭୁବନେଶ୍ୱରକୁ ସ୍ମାର୍ଟ ସିଟି ମାନ୍ୟତା ମିଳିବାର ଦୁଇ ବର୍ଷ ପରେ ବି ସହର କୌଣସି ଗୋଟିଏ କୋଣରୁ ସ୍ମାର୍ଟ ଦେଖାଯାଉନି। ନା ଲୋକଙ୍କୁ ମିଳୁଛି ଅତ୍ୟାଧୁନିକ ସୁବିଧା ସୁଯୋଗ ନା ସରକାରୀ କଳର କାର୍ଯ୍ୟ କରିବା ଶୈଳୀ କ୍ଷିପ୍ର ହୋଇଛି। ଗୋଟିଏ ବି ଆଖିଦୃଶିଆ ପ୍ରକଳ୍ପ ହୋଇନି ଯାହାକୁ ଦେଖିଲେ ଲୋକ ଭାବିବେ ଭୁବନେଶ୍ୱର ସ୍ମାର୍ଟ ସିଟି ହେବାକୁ ଯାଉଛି। କେବଳ ଡିଜାଇନ୍‌ ପ୍ରସ୍ତୁତ, ପ୍ଲାନିଂରେ ଅଟକିଯାଇଛି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌। ଯେଉଁ କେତୋଟି ପ୍ରକଳ୍ପ ଆରମ୍ଭ ହୋଇଛି ତାହା ଅଧପନ୍ତରିଆ। ଯେମିତି ସ୍ୱୟଂଚାଳିତ ଟ୍ରାଫିକ ସିଗନାଲ୍‌, ଭୁବନେଶ୍ୱର ଓ୍ଵାନ୍‌ େଓ୍ଵବସାଇଟ୍‌। ଆଉ ଯେଉଁ କେତୋଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି ବର୍ଷ ଶେଷ ଆଡ଼କୁ ସେଥିରୁ କେତୋଟିର କାମ ଆରମ୍ଭ ହୋଇଛି। ଏଥିରେ ସ୍ମାର୍ଟ ଜନପଥ ପ୍ରମୁଖ। ଆଶା ଅଛି ୨୦୧୮ରେ ଏଥିରୁ କେତୋଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ। ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ଯେତିକି ପ୍ରକଳ୍ପ ଯୋଜନା ହୋଇଛି ତା’ର ମୂଳଦୁଆ ପଡ଼ିବ। ସ୍ମାର୍ଟ ସିଟି ପାଇଁ କର୍ତ୍ତୃପକ୍ଷ ବହୁ ସ୍ୱପ୍ନ ଦେଖାଇଛନ୍ତି। ପୂରା ରାଜଧାନୀକୁ ନୂଆ ରୂପ ଦେବାକୁ ଯୋଜନା ହୋଇଛି। ହେଲେ ଏହା କେବେ ରୂପ ନେବ ତାହାକୁ ରାଜଧାନୀବାସୀଙ୍କ ଅପେକ୍ଷା।

ଅଧପନ୍ତରିଆ ଓଭରବ୍ରିଜ୍‌

ରାଜଧାନୀରେ ଦୀର୍ଘ ୪ବର୍ଷ ହେଲା ରାଜଧାନୀରେ ଦୁଇଟି ରେଳ ଓଭରବ୍ରିଜ୍‌ ବମିଖାଲ ଓ ପୋଖରୀପୁଟରେ ନିର୍ମାଣ ହେଉଥିଲେ ହେଁ ଆଜି ପର୍ଯ୍ୟନ୍ତ ନିର୍ମାଣ ସରିଲାନି। ବାରମ୍ବାର ଡେଡଲାଇନ୍‌ ଗଡ଼ିବା ସତ୍ତ୍ୱେ ବି କାମ ସରୁନି। ପୂର୍ତ୍ତ ବିଭାଗ ଟାର୍ଗେଟ ରଖିି ୨୦୧୮ ମାର୍ଚ୍ଚ ସୁଦ୍ଧା ଏହି ରେଳ ଓଭରବ୍ରିଜ୍‌ କାର୍ଯ୍ୟ ସରିବ।

ଦୁଇ ରେଳ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ନେଇ ଯେତିକି ଚର୍ଚ୍ଚା ହୋଇ ନଥିଲା ତାଠୁ ଅଧିକ ବିବାଦ ସୃଷ୍ଟି କରିଥିଲା ବମିଖାଲ ଓଭରବ୍ରିଜ୍‌ ସ୍ଲାବ୍‌ ଖସିବା ଘଟଣା। ସେପ୍ଟେମ୍ବର ୧୦ତାରିଖ ମଧ୍ୟାହ୍ନ ୧୨ ଟା ୪୫ରେ ନିର୍ମଣାଧୀନ ସ୍ଲାବ୍‌ ଖସି ପଡ଼ିଥିଲା ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟବସାୟୀ ଓ ତାଙ୍କ ଝିଅ ଉପରେ। ଘଟଣାସ୍ଥଳରେ ହିଁ ସତ୍ୟ ପଟ୍ଟାନୟକଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଝିଅକୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ୧୦ରୁ ଅଧିକ ଶ୍ରମିକ ବି ଆହତ ହୋଇଥିଲେ। ଏହି ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। ଏଥିରେ ବ୍ରିଜ୍‌ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌ ମାଲିକ, ପୂର୍ତ୍ତ ବିଭାଗର ଉକ୍ତ ଅଞ୍ଚଳର ଉପ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ପ୍ରମୁଖ ଗିରଫ ହୋଇ ଜେଲ୍‌ ଯାଇଥିଲେ। ସମସ୍ତେ ଏବେ ଜାମିନରେ ବାହରିବା ପରେ ବ୍ରିଜ୍‌ କାମ ଆରମ୍ଭ ହୋଇଛି।

ଅଧା ରାଜଧାନୀ ଜଳବନ୍ଦୀ

ଜୁଲାଇ ମାସରେ ମୌସୁମୀ ବର୍ଷା ଯୋଗୁଁ ଅଧା ରାଜଧାନୀ ଜଳବନ୍ଦୀ ହୋଇଗଲା। ଜୁଲାଇ ୧୯ରୁ ୨୨ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଏପରି ଥିଲା ଯେ, କଟକ ରୋଡ୍‌, ଇସ୍କନ୍‌ ସମ୍ମୁଖ ଜାତୀୟ ରାଜପଥ, ବମିଖାଲ ଓଭରବ୍ରିଜ୍‌ ନିକଟ, ଚନ୍ଦ୍ରଶେଖରପୁର ଓ ଖଣ୍ଡଗିରିର ତଳ ଅଞ୍ଚଳରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଆଣ୍ଠୁଏ ଉଚ୍ଚରେ ପାଣି ଜମିଥିଲା। ବିଏମ୍‌ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ଵୟ ଅଭାବରୁ ଏହି ସମସ୍ୟା ମୁଖ୍ୟତଃ ସୃଷ୍ଟି ହୋଇଥିଲା। ଏହାବାଦ୍‌ ରାଜଧାନୀରେ ଆବଶ୍ୟକ ଡ୍ରେନ୍‌ ନିର୍ମାଣ ନହେବା, ଜବରଦଖଲ, ଠିକ୍‌ ସମୟରେ ଡ୍ରେନ୍‌ ସଫା ନହେବା ବିଏମ୍‌ସିକୁ ମହଙ୍ଗା ପଡ଼ିଲା। ବିଏମ୍‌ସି ନିଜର ଅପାରଗତାକୁ ଲୁଚାଇବା ପାଇଁ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ କଲା। ଯଦିଓ ଏହା କିଛି ମାତ୍ରାରେ ବର୍ଷା ଜଳ ନିଷ୍କାସନ କଲା କିନ୍ତୁ ସ୍ଥାୟୀ ସମାଧାନ ହେଲାନି। ୨୦୧୮ରେ ଅଧିକ ଅଞ୍ଚଳରେ ଡ୍ରେନ୍‌ ନିର୍ମାଣ ସହ ଡ୍ରେନ୍‌ ଉପରୁ ଜବରଦଖଲ ଉଚ୍ଛେଦ ନକଲେ ପୁଣି ଜଳବନ୍ଦୀ ହେବା ପରସ୍ଥିତି ସୃଷ୍ଟି ହୋଇପାରେ।

ଘର ନିର୍ମାଣରେ ବିଡିଏ, ବିଏମ୍‌ସି କଣ୍ଟା

ପୂର୍ବରୁ ୨୦ଫୁଟ ରାସ୍ତା ଥିବା ଜମିରେ ଘର କରିବାକୁ ଅନୁମତି ମିଳୁଥିବାବେଳେ ବିଡିଏର ସଂଶୋଧିତ ବିଲ୍‌ଡିଂ ଏବଂ ପ୍ଲାନିଂ ନିୟମରେ ଏହାକୁ ୩୦ଫୁଟ ରାସ୍ତା କରାଗଲା। ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଘର ନିର୍ମାଣ ଉପରେ ରୋକ୍‌ ଲାଗିବା ପରେ ଲୋକଙ୍କୁ ଘର କରିବାକୁ ଅନୁମତି ମିଳିଲା। କିନ୍ତୁ ଏହି ନିୟମ ଆସିବାର ଦୁଇ ମାସ ପରେ ବିଡିଏ, ବିଏମ୍‌ସି ଅନଲାଇନ୍‌ ପ୍ଲାନିଂ ଆବେଦନ ଓ ମଞ୍ଜୁର ବ୍ୟବସ୍ଥା ଆରମ୍ଭ କଲେ। ଏଥିରେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୫୦୦ରୁ ଅଧିକ ଲୋକ ପ୍ଲାନ୍‌ ଆବେଦନ କଲେଣି। କିନ୍ତୁ ମିଳୁନି। କୁହାଯାଉଛି ପ୍ଲାନ୍‌ ଅନୁମୋଦନ ପାଇଁ ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌ ପକ୍ଷରୁ ଯେଉଁ ସଫ୍ଟେଓ୍ଵୟାର ପ୍ରସ୍ତୁତ ହୋଇଛି ସେଥିରେ କିଛି ସମସ୍ୟା ଥିବାରୁ ପ୍ଲାନ୍‌ ଅନୁମୋଦନ ହୋଇପାରୁନି। ଏହା ଏପରି ଏକ ସଂସ୍ଥା ଯାହାର ଘର ପ୍ଲାନିଂ ଅନୁମୋଦନ ନେଇ କୌଣସି ଅଭିଜ୍ଞତା ନାହିଁ। ସଚିବାଳୟର ବଡ଼ବାବୁମାନଙ୍କ କୃପାରୁ ସଂସ୍ଥା କାର୍ଯ୍ୟ ପାଇଥିବାରୁ ହଜାର ହଜାର ଲୋକ ସମସ୍ୟାର ସମ୍ମୁଖୀନ ହେଲା ପରେ ବି କେହି ସଂସ୍ଥା ବିରୋଧରେ ପାଟି ଫିଟାଉନାହାନ୍ତି।

କଲବଲ କଲା କାମଳ, ଡେଙ୍ଗୁ

ରାଜଧାନୀରେ ମଳୟ ପବନ ବହୁ ବହୁ କାମଳ ମାଡ଼ିଗଲା। ସିଆର୍‌ପି ମୁଣ୍ଡା ସାହିରୁ ଆରମ୍ଭ କରି ସାଲିଆ ସାହି ପର୍ଯ୍ୟନ୍ତ କାମଳ କାୟା ମେଲାଇଲା। ମୁଣ୍ଡା ସାହିରେ ୫୦ରୁ ଅଧିକ ସାଲିଆ ସାହିରେ ୩୦ରୁ ଅଧିକ ଆକ୍ରାନ୍ତ ହେଲେ। ଏପରିକି ରାଜଧାନୀର ଅଧିକାଂଶ ବସ୍ତି ଅଞ୍ଚଳରେ କାମଳର ପ୍ରଭାବ ଦେଖିବାକୁ ମିଳିଥିଲା। ସେହିପରି ଦୀପାବଳି ପରେ ଡେଙ୍ଗୁ କଲବଲ କରିବା ଆରମ୍ଭ କଲା। ବରମୁଣ୍ଡାରୁ ଆରମ୍ଭ କରି ବମିଖାଲ ପର୍ଯ୍ୟନ୍ତ ଡେଙ୍ଗୁ ରୋଗୀ ପ୍ରତିଦିନ ଚିହ୍ନଟ ହେଲେ। ଅକ୍ଟୋବର ନଭେମ୍ବରରେ ରାଜଧାନୀରେ ପ୍ରାୟ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେ। ବିଏମ୍‌ସିର ପରିମଳ ବ୍ୟବସ୍ଥା ପ୍ରତି ଆଙ୍ଗୁଠି ଉଠିବା ପରେ ପ୍ରଶାସନ ତତ୍ପରତା ଦେଖାଇଲା।

ବିଦେଶକୁ ଉଡ଼ିଲା ବିମାନ

ଏପ୍ରିଲ ୨୬। ବିମାନ ସେବା କ୍ଷେତ୍ରରେ ବିଜୁ ପଟ୍ଟନାୟକ ବିମାବନବନ୍ଦର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ କଲା। ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ମିଳିବାର ଦୀର୍ଘ ଅଢ଼େଇ ବର୍ଷ ପରେ ବିଦେଶକୁ ବିମାନ ଉଡ଼ାଣ ଆରମ୍ଭ ହେଲା। ଏୟାର ଏସିଆ ବିମାନ ଭୁବନେଶ୍ୱରରୁ କ୍ୱାଲାଲମ୍ପୁର ଉଡ଼ାଣ ଆରମ୍ଭ କଲା। ସପ୍ତାହକୁ ଚାରି ଦିନ ଉଡ଼ାଣ ପରେ ଯାତ୍ରୀଙ୍କ ଚାହିଦା ଦେଖି ଏହା ପ୍ରତିଦିନ ଉଡ଼ାଣ କରୁଛି। ସେହିପରି ଏଥିରେ ଆଉ ଏକ ଅଧ୍ୟାୟ ଯୋଡ଼ା ହେଲା ଡିସେମ୍ବର ୧୦ରେ। ଏୟାର ଇଣ୍ଡିଆ ବିମାନ ସପ୍ତାହକୁ ତିନି ଦିନ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କଲା। ବିମାନ ଉଡ଼ାଣକୁ ନେଇ ରାଜ୍ୟ ସରକାର ଓ ବିମାନବନ୍ଦର କର୍ତ୍ତୃପକ୍ଷ ସ୍ୱପ୍ନ ଦେଖାଇଛନ୍ତି ୨୦୧୮ରେ ଦୁବାଇ, ଶ୍ରୀଲଙ୍କା, ସିଙ୍ଗାପୁରକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଅଧିକରୁ ଅଧିକ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏଠାରୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଯୋଜନା କରିଥିବା ଆଶା ବି ଦେଖାଇଛନ୍ତି।

ଓ୍ଵାର୍ଡ-୧୮ରେ ଉପନିର୍ବାଚନ ଡ୍ରାମା

ନାମ ଜାଲିଆତି କରି ନିର୍ବାଚନ ଲଢ଼ିବା ମାମଲାର ଶୁଣାଣି କରି ହାଇକୋର୍ଟ ବିଏମ୍‌ସି ଓ୍ଵାର୍ଡ -୧୮ର କର୍ପୋରେଟର୍‌ ସୁକାନ୍ତି ସୁବୁଦ୍ଧିଙ୍କ ସଭ୍ୟ ପଦ ରଦ୍ଦ କରିଦେଲେ। ସ୍ୱାଧୀନ ଭାବେ ଲଢ଼ି ନିର୍ବାଚନ ଜିତିଥିବା ସୁକାନ୍ତି ପରବର୍ତ୍ତୀ ସମୟରେ ବିଜେଡିରେ ମିଶିଥିଲେ। କିନ୍ତୁ ସୁକାନ୍ତିଙ୍କ ବିରୋଧରେ ଆଇନଗତ ଲଢେଇ ଜାରି ରଖିଥିଲେ ଉକ୍ତ ଓ୍ଵାର୍ଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀ ହୋଇଥିବା ପୁନମ୍‌ ପରିଡ଼ା। କର୍ପୋରେଟର୍‌ଙ୍କ ସଭ୍ୟ ପଦ ରଦ୍ଦ ପରେ ବିଏମ୍‌ସି ରାଜନୀତି ଜୋର୍‌ ଧରିଥଲା। ବିଜେଡି ବି ଅକଳରେ ପଡ଼ିଥିଲା। କାହା ସପକ୍ଷରେ ବାହାରିବ ସେନେଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଲାଗି ରହିଲା। ଏପରିକି ନିର୍ବାଚନ କମିସନ ତାରିଖ ଘୋଷଣା କରିପାରିଲେନି। ଏହିଭଳି ଡ୍ରାମା ଚାଲିଥିବାବେଳେ ସୁକାନ୍ତି ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଦେଲେ। ଆଉ ସଭ୍ୟ ପଦ ଫେରି ପାଇଲେ। ଏହାପରେ ମାମଲାଟି ଚପି ଯାଇଛି। ୨୦୧୮ରେ ଉପ ନିର୍ବାଚନ ହେବ କି ନାହିଁ ତାହା ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର।

ଅଳିଆ ବିବାଦ ତୁଟିଲାନି

ରାଜଧାନୀର ଅଳିଆ ଭୁଆସୁଣୀରେ ନ ପକାଇ ଦେବାକୁ ଦାରୁଠେଙ୍ଗ ଗ୍ରାମବାସୀ କରୁଥିବା ପ୍ରତିବାଦର ଶୁଣାଣି ଏନ୍‌ଜିଟିରେ ଅଟକିଛି। ଭୁଆସୁଣୀରେ ଡମ୍ପିଂୟାର୍ଡ ହେବ କି ନାହିଁ ସେନେଇ ଜୁନ୍‌ ୬ରେ ହୋଇଥିବା ଜନ ଶୁଣାଣିରେ ସମସ୍ତେ ବିରୋଧରେ ମତ ରଖିଥିଲେ ହେଁ ଆଜି ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ କିଛି ବି ନିର୍ଦ୍ଦେଶ ଆସିଲାନି। ଏସବୁ ମଧ୍ୟରେ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପଡ଼ୁଛି ହେଲେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ପାଇଁ ଇଟା ଖଣ୍ଡେ ଯୋଡ଼ା ହୋଇପାରିଲାନି। ଦାରୁଠେଙ୍ଗ ଗ୍ରାମବାସୀ ଆଶା ରଖିଛନ୍ତି ୨୦୧୮ରେ ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ହେବ। ଭୁଆସୁଣୀରୁ ଡମ୍ପିଂୟାର୍ଡ ସ୍ଥାନାନ୍ତର ହେବ। ବିଏମ୍‌ସି କର୍ତ୍ତୃପକ୍ଷ ବି ଏକରକମ ନିଶ୍ଚିତ ହୋଇ ଅଛନ୍ତି, ଭୁଆସୁଣୀରେ ଡମ୍ପିଂୟାର୍ଡ ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ନେଇ ଖୁବ୍‌ ଶୀଘ୍ର ସବୁଜ ସଂକେତ ମିଳିଯିବ।

ନାଁକୁ ମାତ୍ର ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ

ରାଜଧାନୀର ପ୍ରତି ଘରକୁ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପାଇଁ ମାର୍ଚ୍ଚ ୧୮ରେ ସିଟିି ଗ୍ୟାସ୍‌ ଆବଣ୍ଟନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ବର୍ଷ ଶେଷ ସୁଦ୍ଧା ଗ୍ୟାସ୍‌ ଯୋଗାଣ କରିବାକୁ ଟାର୍ଗେଟ୍‌ ରଖାଯାଇଥିଲା। ହେଲେ ଏହା କେବଳ ନାଲକୋ ନଗରରେ ସୀମିତ ରହିଗଲା। ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପାଇଁ ଗେଲ୍‌ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ହେଁ ପାଇପ୍‌ ବିଛାଇବା ପାଇଁ ସାଧାରଣ ପ୍ରଶାସନ ବିଭାଗ/ବିଏମ୍‌ସି ଜାଗା ଦେଇନଥିଲେ। ବିଏମ୍‌ସି ବି ଏନ୍‌ଓସି ଦେଲାନି। ଏହାପରେ ଅକ୍ଟୋବର ୨୦ରେ ଚନ୍ଦ୍ରଶେଖରପୁରର ନାଲ୍‌କୋ ନଗରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଛି। ୨୦୧୮ରେ ରାଜଧାନୀର ଅନ୍ୟ ଅଞ୍ଚଳରେ ବି ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ସମ୍ଭବ ହେବ ବୋଲି ରାଜଧାନୀବାସୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର