ତ୍ରିଶୁଳିଆ: ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ଓ ପଡିଆକୁ ସଂଯୋଗ କରୁଥିବା ରାସ୍ତାରେ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥା, ପଡ଼ିଆରେ ଅସାମାଜିକ ଲୋକଙ୍କ ଗତିବିଧିକୁ ରୋକିବା ଓ ସାଧାରଣ ଜନତାଙ୍କୁ ସୁରକ୍ଷା ନିମନ୍ତେ ପଡ଼ିଆ ନିକଟରେ ଏକ ଆଉଟ୍ପୋଷ୍ଟ ପ୍ରତିଷ୍ଠା କରିବା ଦାବିରେ ବାଲିଯାତ୍ରା ମହୋତ୍ସବ ସମିତି ଆଜି ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ସମିତିର ସମ୍ପାଦକ ତପନ ବଳିଆରସିଂହ, ଉପସଭାପତି ନବକିଶୋର ବାରିକ ଓ ଯଶବନ୍ତ ଓଝା ପ୍ରମୁଖ ଉପସ୍ଥିତ ଥିଲେ।
ସମିତି ପକ୍ଷରୁ କୁହାଯାଇଛି,ାର୍ତ୍ତିକ ପୂର୍ଣ୍ଣିମାଠାରୁ ବୋଇତ ବନ୍ଦାଣ ସହ ମେଳା ଓ ସାଂସ୍କୃତକି କାର୍ଯ୍ୟକ୍ରମ ଏହି ପଡ଼ିଆରେ ଖୁବ ଶାନ୍ତିଶୃଙ୍ଖଳାରେ ହୋଇ ଆସୁଛି। କୁଆଖାଇ ନଦୀକୂଳର ପ୍ରାକୃତିକ ପରିବେଶ ଉପଭୋଗ କରିବାକୁ ପ୍ରତି ସଂଧ୍ୟାରେ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ। କିନ୍ତୁ ବର୍ତ୍ତମାନ ମହାମାରୀଜନିତ ଲକ୍ଡାଉନ୍/ସଟ୍ଡାଉନ୍ ଥିବାରୁ ଏଠାରେ ଏବେ ଆସାମାଜିକ ତଥା ନିଶାସକ୍ତ ଲୋକଙ୍କ ମେଳି ଜମିଲାଣି। କିଛି ଦିନ ତଳେ ଏଠାରୁ ଏକ ଗଳିତ ଶବ ମିଳିବା ଘଟଣାକୁ ନେଇ ମଧ୍ୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତେଣୁ ଏହାର ସୁରକ୍ଷା ପାଇଁ ପୁଲିସ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ଏଠାରେ ଏକ ଆଉଟ୍ପୋଷ୍ଟ ତିଆରି କରାଯାଉ।