ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର ଅମର ସହିଦମାନଙ୍କ ସ୍ମୃତିରକ୍ଷା ଲାଗି ରାଜଧାନୀ ଭୁବନେଶ୍ୱରରେ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବ। ୟୁନିଟ୍-୯ସ୍ଥିତ ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଏହି ସ୍ମୃତିସ୍ତମ୍ଭ ପ୍ରତିଷ୍ଠା ହେବ। ଏଥିରେ ରାଜ୍ୟର ବିଭିନ୍ନ ସହିଦ ପୀଠରୁ ପବିତ୍ର ମାଟି ଅଣାଯାଇ ସ୍ଥାପନା କରାଯିବ। ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମାଟି ରଖାଯିବ। ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନ ଟ୍ରଷ୍ଟ ଏବଂ ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶନିବାର ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ଏନେଇ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି।
ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କଠାରୁ ଆରମ୍ଭ କରି ଶେଷ ସହିଦ ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜନ୍ମପୀଠରୁ ଏହି ପବିତ୍ର ମାଟି ସଂଗ୍ରହ ହେବ। ସହିଦଙ୍କ ଜନ୍ମପୀଠ ବୀରହରେକୃଷ୍ଣପୁର ଶାସନ, ଦାରୁଠେଙ୍ଗ, ଘେଁସ, ବାଦଭୂଇଁ-ରଣପୁର, ତେନ୍ତୁଳିଗମା, ସିଂହଭୂମ, ଖୋର୍ଧା, ଘୁମୁସୁର, ମ.ରାମପୁର, କେନ୍ଦ୍ରାପଡ଼ା, ରଣପୁର, ନୀଳକଣ୍ଠପୁର, ଭୁବନ, ତୁମସିଂହା, ପର୍ଜଙ୍ଗ, କାମାକ୍ଷାନଗର, ରାଜଗାଙ୍ଗପୁର, ବଣେଇଁ, ଲୁଣିଆ, ତୁଡ଼ିଗାଡ଼ିଆ, ଇରମ, କଳାମାଟିଆ (ବରି), ନିମାପଡ଼ା, ପାପଡ଼ାହାଣ୍ଡି, ବାହାଡ଼ାଝୋଲା, ବଡ଼ଭରାଣ୍ଡି ଓ ମାଥିଲି ଆଦି ସ୍ଥାନରୁ ମାଟି ଅଣାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଆସନ୍ତା ୨୯ ତାରିଖରେ ଏଥିପାଇଁ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ କରାଯିବ। ଜୁଲାଇ ୨୫ରୁ ୩୧ ତାରିଖ ସପ୍ତାହବ୍ୟାପୀ ସହିତ ପୀଠରୁ ପବିତ୍ର ମାଟି ସଂଗ୍ରହ ଆରମ୍ଭ ହେବ। ସ୍ୱତନ୍ତ୍ର ସମାରୋହରେ ଶୋଭାଯାତ୍ରା କରି ଏହି ମାଟିଗୁଡ଼ିକୁ ସ୍ୱାଧୀନତା ସଂଗ୍ରାମୀ ସଦନକୁ ଅଣାଯାଇ ରଖାଯିବ।
ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପ୍ରଦେଶ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟର ସର୍ବଭାରତୀୟ ସଭାପତି ସାଂସଦ ଭର୍ତ୍ତୃହରି ମହତାବ, ରାଜ୍ୟ ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରଭାତ ତ୍ରିପାଠୀ, ଅତନୁ ସବ୍ୟସାଚ୍ଚୀ ନାୟକ, ରବି ନାରାୟଣ ମହାପାତ୍ର ଓ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।
ଯୁବ ସାମ୍ମୁଖ୍ୟ ସଦସ୍ୟ ଉପେନ୍ଦ୍ର ପାଢ଼ୀ ସଂଯୋଜନା କରିଥିବା ବେଳେ ଅନ୍ୟତମ ସଦସ୍ୟ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ବୈଠକରେ ଦୁଃଶାସନ ସ୍ୱାଇଁ, ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବସାମ୍ମୁଖ୍ୟ ସଭ୍ୟ ଅଭୟ ବଡ଼ଜେନା, ଶ୍ୟାମାପ୍ରସାଦ ପଟ୍ଟନାୟକ, ରଘୁନାଥ ଲେଙ୍କା, ଅଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ।