ଭୁବନେଶ୍ବର: ସଫଳ ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ଜୀବନ ବଞ୍ଚିଥାନ୍ତି। ସେମାନଙ୍କର ଉପଲବ୍ଧି ଆମକୁ ସର୍ବଦା ଉତ୍ସାହିତ କରିଥାଏ। ଆମେ ଏଥିରୁ ପ୍ରେରଣା ପାଇଥାଉ। ସେହି ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିକୁ ଶୋକସଭାରେ ପରିଣତ ନକରି ଏହାକୁ ସତ୍‌ସଙ୍ଗ ଆକାରରେ ପାଳନ କରାଯାଉ। ତାଙ୍କର ଅଧୁରା କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆମକୁ ଅଗ୍ରସର ହେବାକୁ ପଡ଼ିବ। ଓଡ଼ିଆ ପ୍ରାଧ୍ୟାପକ ତଥା ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୁରେନ୍ଦ୍ର ନାଥ ଦାଶଙ୍କ ସ୍ମୃତିସଭାରେ ଯୋଗଦେଇ ଅତିଥିମାନେ ଏଭଳି କହିଛନ୍ତି।

Advertisment

ମଞ୍ଚେଶ୍ବରସ୍ଥିତ ଏକ ହୋଟେଲ୍‌ରେ ଆୟୋଜିତ ଏହି ସଭାକୁ ଉଦ୍‌ଘାଟନ କରି ସ୍ବାମୀ ବ୍ରହ୍ମାନନ୍ଦଜୀ କହିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଦିଗରେ ସ୍ବର୍ଗତ ଦାଶଙ୍କର ଅବଦାନ ଅତୁଳନୀୟ। ତାଙ୍କ ଭଳି ଯୋଗ୍ୟପୁତ୍ରକୁ ହରାଇ ଉତ୍କଳ ମାତା ଶୋକସନ୍ତପ୍ତା। ଏଭଳି ପୁଣ୍ୟାତ୍ମା ପୁନର୍ବାର ଦେହ ଧାରଣ କରି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣାକୁ ଉଚ୍ଚତର ସୋପାନକୁ ନିଅନ୍ତୁ ବୋଲି ଆଶା କରିବା। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ସ୍ବର୍ଗତ ଦାଶ ଏକ ସମ୍ପୂର୍ଣ୍ଣ ଜୀବନ ବଞ୍ଚିଥିଲେ। ଏକ ସଫଳ ମଣିଷ ନିକଟରୁ ଆମେ ଯାହା କିଛି ଆଶା କରିଥାଉ, ସେ ତାହା କରିଥିଲେ। ଆଜୀବନ ସାହିତ୍ୟ ଚର୍ଚ୍ଚା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣାରେ ନିଜକୁ ବ୍ରତୀ କରିଥିଲେ। ତାଙ୍କ ଅବର୍ତ୍ତମାନରେ ଶୋକବ୍ୟକ୍ତ କରିବା ଅପେକ୍ଷା ଶ୍ରୀଜଗନ୍ନାଥଙ୍କ ଉପରେ ଗବେଷଣା କିଭଳି ଅଧିକ ବ୍ୟାପକ ହେବ ସେଦିଗରେ କାର୍ଯ୍ୟ କଲେ ତାହା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ସ୍ତମ୍ଭକାର ଅଧ୍ୟାପକ ବିଶ୍ବରଂଜନ କହିଲେ ଯେ ସ୍ବର୍ଗତ ଦାଶ ଏକାଧାରରେ ଜଣେ ଶିକ୍ଷାବିତ୍‌, ଭାଷ୍ୟକାର, ଲେଖକ ଭାବେ ନିଜର ପରିଚିତି ସୃଷ୍ଟି କରିପାରିଥିଲେ। ସେ ଆମ ଗହଣରେ ସଶରୀରେ ନାହାନ୍ତି, ମାତ୍ର ତାଙ୍କର ଚିନ୍ତା, ଚେତନା ଓ ସର୍ଜନା ମଧ୍ୟରେ ବିଦ୍ୟମାନ ରହିଛନ୍ତି ବୋଲି କହିଥିଲେ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ସ୍ବର୍ଗତ ଦାଶ କୌଣସି କାର୍ଯ୍ୟରେ ବିବ୍ରତ ନହୋଇ ନିଷ୍ଠାର ସହିତ ସମ୍ପାଦନ କରୁଥିଲେ। ଭିଏସ୍‌ଏସ୍‌ ନଗରସ୍ଥିତ ଭୁବନେଶ୍ବରୀ ମନ୍ଦିର ପ୍ରତିଷ୍ଠା କରିବା ଦିଗରେ ତାଙ୍କ ଭୂମିକା ଅବିସ୍ମରଣୀୟ ହୋଇରହିବ ବୋଲି ମତ ଦେଇଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ସିଦ୍ଧେଶ୍ବର ମହାପାତ୍ର, ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ, ଡ଼. ମକ୍‌ବୁଲ୍‌ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍ବର୍ଗତ ଦାଶଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏହି ଅବସରରେ ଅତିଥିମାନେ ସ୍ବର୍ଗତ ଦାଶଙ୍କ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ପୁଅ ସଚ୍ଚିଦାନନ୍ଦ, ଶିବାନନ୍ଦ ଓ ସବ୍ୟସାଚୀ ପ୍ରମୁଖଙ୍କ ସମେତ ପରିବାରବର୍ଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଲେଖ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।