ଭୁବନେଶ୍ବର: ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଛି ମହିଳା/ଲେଡିଜ୍ମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍। କିନ୍ତୁ ଏହି ଫଟୋରେ ଦେଖନ୍ତୁ, ମହିଳା ସିଟ୍ରେ କେମିତି ପୁରୁଷମାନେ ବସିଛନ୍ତି। ପାଖରେ ମହିଳା ଓ ଯୁବତୀମାନେ ଛିଡ଼ା ହୋଇଛନ୍ତି। ଏ ହେଉଛି ଭୁବନେଶ୍ବରରେ ଚଳାଚଳ କରୁଥିବା ମୋ’ ବସ୍ ଭିତରର ଦୃଶ୍ୟ। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ସବୁକୁ ସୁଜତ ପଟ୍ଟନାୟକ ନାମକ ଜଣେ ଭଦ୍ରବ୍ୟକ୍ତି ‘କ୍ରୁଟ୍’ର ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରାଙ୍କୁ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି। ସୁଜତଙ୍କ ଏହି ଟ୍ବିଟ୍ ପରେ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା।
ମୋ’ ବସ୍ରେ ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ପାଇଁ କିଛି ସିଟ୍ ସଂରକ୍ଷିତ ଥାଏ। ଏହି ସଂରକ୍ଷିତ ସିଟ୍ରେ ବରିଷ୍ଠ ନାଗରିକ, ମହିଳା ଓ ଯୁବତୀମାନେ ବସିବାକୁ ଅଗ୍ରାଧିକାର ଦିଆଯାଇଥାଏ। କିନ୍ତୁ ଯେତେବେଳେ ମହିଳା କିମ୍ବା ଯୁବତୀମାନେ ବସ୍ରେ ନ ଥା’ନ୍ତି, ପୁରୁଷମାନେ ଏହି ସିଟ୍ରେ ବସିପାରିବେ। ମହିଳା କିମ୍ବା ଯୁବତୀ ବସ୍କୁ ଉଠିଲେ, କର୍ତବ୍ୟ ଦୃଷ୍ଟିରୁ ପୁରୁଷମାନେ ସେମାନଙ୍କୁ ସିଟ୍ ଛାଡ଼ି ଦେବା କଥା। କିନ୍ତୁ ଏହି ଦୁଇଟି ଫଟୋରେ ତାହା ଭିନ୍ନ ଦର୍ଶାଉଛି। ଜଣେ ମହିଳା ଓ ଯୁବତୀ ବସ୍ ଭିତରେ ଠିଆ ହୋଇଥିବାବେଳେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ରେ ପୁରୁଷମାନେ ବସିଛନ୍ତି। କିନ୍ତୁ ସେମାନେ ମହିଳା ଓ ଯୁବତୀଙ୍କୁ ସେମାନଙ୍କ ସଂରକ୍ଷିତ ସିଟ୍ରେ ବସିବାକୁ ସ୍ଥାନ ଛାଡ଼ୁ ନାହାନ୍ତି। ଯାହା କି ବୁଦ୍ଧିଜୀବୀ ମହଲରେ ଚିନ୍ତା ଓ ଉଦ୍ବେଗର ବିଷୟ ହୋଇଛି। ରାଜଧାନୀର ସଚେତନ ନାଗରିକମାନଙ୍କ ପ୍ରତି ଅଙ୍ଗଳି ଉଠିଛି।
ଏ ସମ୍ପର୍କରେ ‘କ୍ରୁଟ୍’ର ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଟ୍ବିଟର୍ରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ସିଟ୍କୁ ମହିଳାମାନଙ୍କୁ ଛାଡ଼ି ଦେବା ଉଚିତ। ସେହିପରି ମହିଳା ଓ ଯୁବତୀମାନେ ମଧ୍ୟ ସେମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ଆବଶ୍ୟକ। ଏଥିରେ ଅନ୍ୟ ଯାତ୍ରୀମାନେ ମହିଳା ଓ ଯୁବତୀମାନଙ୍କୁ ସହଯୋଗ କରିବା ଉଚିତ। ମୋ’ ବସ୍ କର୍ମଚାରୀମାନେ ମଧ୍ୟ ଯୁବତୀ ଓ ମହିଳାମାନଙ୍କୁ ସେମାନଙ୍କ ସଂରକ୍ଷିତ ସିଟ୍ରେ ବସିବାକୁ ଅଗ୍ରାଧିକାର ଦେବା ପାଇଁ ଉଦ୍ୟମ କରନ୍ତୁ। ଏହାକୁ କାର୍ଯ୍ୟକାରୀ କରାଇବାକୁ ଆମ୍ଭେମାନେ ମଧ୍ୟ ବସ୍ କର୍ମଚାରୀଙ୍କୁ ପରାମର୍ଶ ଦେବୁ। ଶେଷର ପୁରୁଷଯାତ୍ରୀମାନେ ମଧ୍ୟ ସଚେତନ ହୋଇ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟରେ ନ ବସିବାକୁ କ୍ରୁଟ ପକ୍ଷରୁ ଅନୁରୋଧ କରାଯାଇଛି।